ହାତିମୁଣ୍ଡା ପଞ୍ଚାୟତର ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟିକୁ ଅପେକ୍ଷା ?

0

ବାଲିଗୁଡା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ଉପାନ୍ତ ଇଲାକାରେ ରହିଛି ହାତିମୁଣ୍ଡା ଗ୍ରାମ ପଞ୍ଚାୟତ। ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ମେରାମାହା ଛକ ଠାରୁ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ରହିଛି। ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ମହକୁମାର ଦୂରତା ପ୍ରାୟ ୧୪ କି.ମି । ଏହି ୧୪ କି.ମି ରାସ୍ତାର ପ୍ରାୟ ୬ କି.ମି ରାସ୍ତା ପଞ୍ଚାୟତ ବାସୀଙ୍କ ପାଇଁ ମରଣ ଯନ୍ତା ସାଜିଛି। ଯାହାକି ଦୀର୍ଘ ବର୍ଷ ହେବ ପିଚୁ ଉଠିଯାଇ ରାସ୍ତାର ମେଟାଲ ସବୁ ରାସ୍ତା ଉପରେ ଗଡୁଛି ଓ ଖାଲଖମାର ହୋଇ ବର୍ଷାପାଣି ଜମି ରହୁଛି। ଯାହାରି ଫଳରେ ମୋଟର ସାଇକେଲ, ଯାତ୍ରୀବାହୀ ଅଟୋ ଚଳେଇବା କଷ୍ଟକର ହେଉଥିବା ଅଟୋ ୟୁନିୟନ ସଭାପତି ରମେଶ ସିଂଙ୍କ ସହିତ କୁମ୍ଭାରୀପଦର, ଗ୍ରାମ ମୁଖିଆ ବାବୁଲା ବଳିୟାରସିଂ, ଡ଼ମା ଗ୍ରାମର ନିର ମଳିକ,ତାମାଙ୍ଗି ଗ୍ରାମ ମୁଖିଆ ଉପେନ୍ଦ୍ର ବଳିୟାରସିଂ, ପ୍ରମୁଖ ଅଭିଯୋଗ କରିଛନ୍ତି।

ଗତ ତିନି ବର୍ଷ ମଧ୍ୟରେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ବହୁ ବାର ବିଭାଗୀୟ ଅଧିକାରୀଙ୍କ ସହିତ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ମାଣ୍ଡିପଙ୍କା ଗ୍ରାମବାସୀଙ୍କ ସହିତ କୃଷ୍ଣ ଉଠାଣ ସିଂ କହିଛନ୍ତି। ଏହିରାସ୍ତା ସମ୍ପର୍କରେ ଦାରିଙ୍ଗବାଡ଼ି ଗ୍ରାମ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚରା ଯିବାରୁ, ଆମେ ସେହି ରାସ୍ତା ସମ୍ପର୍କରେ ଅବଗତ ଅଛୁ, ଯଥା ଶୀଘ୍ର ସମ୍ଭବ ଆମେ ନୂତନ ଭାବେ ଟେଣ୍ଡର କରି ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି। ପ୍ରକାଶ ଥାଉକି, ଏହି ପଞ୍ଚାୟତର ତାମାଙ୍ଗି ଗ୍ରାମ ନିକଟରେ ରହିଛି ଐତିହାସିକ ତୀର୍ଥ ସ୍ଥଳି ଋଷିମାଳ ପର୍ବତ। ପ୍ରତିବର୍ଷ ବାରୁଣୀ ସ୍ନାନ ପାଇଁ ଗଞ୍ଜାମ, ଗଜପତି, ରାୟଗଡା ଜିଲାରୁ ବହୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

ବ୍ଲକ ତଥା ଜିଲା ପ୍ରଶାସନ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ଏହି ରାସ୍ତା ଉପରେ ଦୃଷ୍ଟି ଦେଉନଥିବାରୁ ପଞ୍ଚାୟତ ବାସୀଙ୍କ ସମେତ ଅଞ୍ଚଳ ବାସୀ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି ନକଲେ ଆଗାମୀ ଦିନରେ ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ-ବ୍ରହ୍ମପୁର ମୁଖ୍ୟ ରାସ୍ତା କୁ ଅବରୋଧ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page