ରୋହିତ ଫେରୋଟେକ କର୍ମଚାରୀଙ୍କ ମୁଁହ ରେ ଫୁଟିବ ହସ।

0

କଳିଙ୍ଗନଗର(ସଙ୍କେତ ଖବର) ରୋହିତ ଫେରୋଟେକରେ କାମ କରୁଥିବା ୧୧୦୦ କର୍ମଚାରୀ ପୂର୍ବପରି ସେମାନଙ୍କର କାମ ଜାରି ରଖିବେ । କାହାକୁ ଜଣଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯିବ ନାହିଁ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ମଜୁରୀ ପ୍ରଦାନକୁ ମେ ପହିଲା ବା ଶ୍ରମିକ ଦିବସ ଠାରୁ କାର୍ଯ୍ୟକାରୀ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଉଥିବା ଠିକା କର୍ମଚାରୀ ମାନଙ୍କୁ ଇଏସଆଇ ଓ ମେଡିକାଲ ସୁବିଧାରେ ଅନ୍ତର୍ଭୂକ୍ତ କରାଯିବ । ଯାଜପୁର କଳିଙ୍ଗ ନଗରରେ ଥିବା ରୋହିତ ଫେରୋଟେକକୁ ଟାଟ ଷ୍ଟିଲ ମାଇନିଂ ଲିମିଟେଡ ଅଧିକୃତ କରିବା ପରେ ଶ୍ରମିକମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ସୁକିନ୍ଦା ବିଧାୟକଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି ।


ଟିଏସଏମଏଲ ସହ ରୋହିତ ଫେରୋଟେକର ମିଶ୍ରଣ ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କର ଚିନ୍ତା ବଢିଯାଇଥିଲା । ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଟିଏସଏମଲ ଓ ରୋହିତ ଫେରୋଟେକର କର୍ମକର୍ତ୍ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଥିଲା । ରୋହିତ ଫେରୋଟେକର ମିଶ୍ରଣ ସମୟରେ ସେଠାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀଙ୍କର ସ୍ୱାର୍ଥ ରକ୍ଷା ସହ ଶ୍ରମିକ ମାନେ କିପରି ଠିକ ସମୟରେ ଉଚିତ୍ ଦରମା ପାଇବେ ସେ ଉପରେ ଜୋର ଦେଇଥିଲେ ସୁକିନ୍ଦା ବିଧାୟକ । ଏହି ଆଲୋଚନରେ ଟାଟ ଷ୍ଟିଲ ମାଇନିଂ ଲିମିଟେଡର ପ୍ରଶାସନିକ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀ, ରୋହିତ ଫେରୋଟେକର ମାନବ ସମ୍ବଳ ମୁଖ୍ୟ ଗଣେଶ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ବି.ବି. ନନ୍ଦ ଏବଂ କଳିଙ୍ଗ ନଗର ମଜଦୂର ୟୁନିଅୟନର ରୋହିତ ଫେରୋଟେକ ଶାଖାର ସଭାପତି ଅର୍ଜୁନ ଚରଣ ପରିଡା ଆଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ୨୦୨୦ ମସିହାରୁ କମ୍ପାନୀ ଦେବାଳିଆ ହୋଇପଡିବାରୁ ଷ୍ଟେଟ ବ୍ୟାଙ୍କର ନେତୃତ୍ୱରେ କିଛି ବ୍ୟାଙ୍କ ସମୁହ ଏକତ୍ରିତ ହୋଇ ରୋହିତ ଫେରୋଟେକର ପରିଚାଳନା ଦାୟିତ୍ୱ ନେଇଥିଲେ । ମାତ୍ର ଏଥିରେ ମଧ୍ୟ ସମସ୍ୟା ଦେଖାଦେଇଥିଲା ଓ ଗତ ୨ ମାସ ଧରି ଏଠାରେ କାମ କରୁଥିବା କର୍ମଚାରୀମାନେ ଦରମା ପାଇନଥିଲେ । ପରିଶେଷରେ ଟିଏସଏମଏଲ ଏହାକୁ ଅଧିକୃତ କରିଥିଲା ଓ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କ ହସ୍ତକ୍ଷେପ ଦ୍ୱାରା ସମସ୍ୟା ସମାଧାନ ହୋଇଥିବାରୁ ସମସ୍ତ ଠିକା ଓ ସ୍ଥାୟୀ କର୍ମଚାରୀ ମାନେ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page