36 ତମ ରାଜ୍ୟ ଧାତବ ଖଣିସମୂହ ସୁରକ୍ଷା ସପ୍ତାହ ଉଦଯାପିତ

0

ଯାଜପୁର କାଳିଆପାଣି ସ୍ଥିତ ଟାଟା କମ୍ପାନୀ ଟିସ୍କୋ ମାଇନ୍ସ ପରିସରରେ 36 ତମ ରାଜ୍ୟ ଧାତବ ଖଣିସମୂହ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି  । ଖଣିରେ ଶ୍ରମିକ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବା ସହିତ ଆଞ୍ଚଳିକ ପରିବେଶ ଓ ଅଞ୍ଚଳବାସୀଙ୍କ ସୁରକ୍ଷା ପ୍ରତି ଖଣି କର୍ତ୍ତୃପକ୍ଷ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ବକ୍ତାମାନେ ମତ ଦେଇଥିଲେ । ଖଣି ଖନନ ଓ ପ୍ରଦୂଷଣର କୁପ୍ରଭାବରେ ସୃଷ୍ଟି ହେଉଥିବା ରୋଗ ଗୁଡିକର ନିରାକରଣ ଦୀଗରେ ଖଣି କମ୍ପାନୀ ମାନେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ରାଜ୍ୟ ତଥା ଭୁବନେଶ୍ବର ଜୋନର ବିଭିନ୍ନ ଧାତବ ଖଣିସଂସ୍ଥାଙ୍କୁ ନେଇ ଏଠାରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଖଣିକୁ ପୁରଷ୍କୃତ ମଧ୍ୟ କରାଯାଇଥିଲା  ।

ଖଣି ସୁରକ୍ଷା ଓ ଖଣିଜ ଉତ୍ପାଦନ ଉଭୟ ପରସ୍ପର ପରିପୂରକ । ଉଭୟ ଦୀଗ ପ୍ରତି ସମାନ ଦୃଷ୍ଟି ରଖାଗଲେ ଆମ ଭୁଗର୍ଭରୁ କୋଟିକୋଟି ଟଙ୍କାର ଅମୂଲ୍ୟ ରତ୍ନ ଉତ୍ପାଦିତ ହେବା ସହ ଦୁର୍ମୂଲ୍ୟ ଜୀବନ ସୁରକ୍ଷିତ ହୋଇପାରିବ । 36 ତମ ରାଜ୍ୟ ଧାତବ ଖଣିସମୂହ ସୁରକ୍ଷା ସପ୍ତାହ ଉଦଯାପନୀ ସନ୍ଧ୍ୟାରେ ବକ୍ତାମାନେ ଏହି ମତ ରଖିଥିଲେ  । ସୁକିନ୍ଦା ଖଣି ଉପତ୍ୟାକା କାଳିଆପାଣି ଟିସ୍କୋ ମାଇନ୍ସରେ ଉଦଯାପିତ ହୋଇଛି ଖଣି ସୁରକ୍ଷା ସପ୍ତାହ ସମାରୋହ । ଏଥିରେ କେନ୍ଦ୍ରୀୟ ଖଣି ସୁରକ୍ଷା ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସରକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଭୁବନେଶ୍ବର ଜୋନ୍ ଖଣି ସୁରକ୍ଷା ନିର୍ଦ୍ଦେଶକ ସୁବ୍ରୋ ବାଗଚୀ ପ୍ରମୁଖ ବହୁ ବରିଷ୍ଠ ପଦାଧିକାରୀ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ  । ଟାଟାଷ୍ଟିଲ ସମେତ ବିଭିନ୍ନ ଖଣିସଂସ୍ଥାର ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ  ।  ଖଣି ସୁରକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦୀଗ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ  ।

 

ରାଜ୍ୟ ଖଣି ସୁରକ୍ଷା ବିଭାଗ ଓ ସ୍ଥାନୀୟ କାଳିଆପାଣି ସ୍ଥିତ ବିସି ମହାନ୍ତି ଆଣ୍ଡ ସନ୍ସ ଖଣି ସଂସ୍ଥାର ସହଭାଗିତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା  । ବିସି ମହାନ୍ତି ଆଣ୍ଡ ସନ୍ସ କ୍ରୋମାଇଟ୍ ଖଣିର ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ଆୟୋଜିତ ସମାରୋହରେ ସଭାପତିତ୍ବ କରିଥିଲେ । ଏହି ଅବସରରେ ଖଣି ସୁରକ୍ଷା ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ ବିଷୟ ଉପରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା । ରାଜ୍ୟ ତଥା ଭୁବନେଶ୍ବର ଜୋନର ବିଭିନ୍ନ ଧାତବ ଖଣିସଂସ୍ଥାଙ୍କୁ ନେଇ ଏଠାରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଖଣି ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଖଣି କମ୍ପାନୀ ଏବଂ ଏହାର କର୍ମଚାରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଶେଷରେ ମେଲୋଡି ଓ ନାଚଗୀତ ଆଦି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦୁଇ ହଜାରରୁ ଉର୍ଦ୍ଧ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ  ।

 

 

Leave a Reply

Your email address will not be published. Required fields are marked *

You cannot copy content of this page