ଜଲସା ଦିଦି ଏ ପୃଥିବୀରୁ କେବେଠାରୁ ବିଦାୟ ନେଇ ସାରିଲେଣି। କିନ୍ତୁ ତାଙ୍କ ସେଇ ନାଁ ଯାହା ସେ ଝୁନିକୁ ଦେଇଥିଲେ, ସବୁଦିନେ ମୋର ମନେ ରହିଗଲା। ହୁଏତ ଜଲସା ଦିଦି ପାଇଁ ସମ୍ମାନରେ, ହୁଏତ ସେ ଡାକ ମତେ ଭଲ ଲାଗିଥିଲା ବୋଲି।

ଆଜି ସେଇ ଝୁନି, ସେଇ ସାଗରୀ ଦିଦିର ଜନ୍ମଦିନ।

ତା ପାଇଁ କଣ ଲେଖିବି ? ଯାହା ସଂଗେ ଏବେ ବି ଝଗଡ଼ା ଲାଗି ବର୍ଷ ବର୍ଷ ଆମେ କଥା ହେଉନା। ହୁଆଟସଆପରେ କଥା ହେଉ। ଯାହା ସହ ଜୀବନର ଅନେକ ଦୁଃଖ ଓ ସୁଖ ସାଙ୍ଗ ହୋଇ ଦେଖିଛି। ନିଭେଇଛି। ସେ ଜାଣିଛି ଆଉ ମୁଁ ଜାଣିଛି ସେସବୁ।

ମୁଁ ଆଗ ଗାଁରୁ ଯାଜପୁର ଚାଲି ଆସିଥିଲି ପଢିବାକୁ। ଝୁନି ଥିଲା ଜେଜେମା ପାଖେ। ମଝିରେ ମଝିରେ ଯାଜପୁର ଆସେ ବୁଲିବାକୁ। ମୁଣ୍ଡରେ ଉଙ୍କୁଣୀ ଭର୍ତ୍ତି କରି, ନଈ ଏକାଥରେ କେମିତି ପହଁରି ପାର୍ କରିଯିବ, ସେଇ ଗପ ସାଙ୍ଗରେ ଧରି। ପରେ ସେ ବି ଯାଜପୁର ଆସିଗଲା ଗାଁରୁ। ଗୋଟିଏ ସ୍କୁଲ ତାର, ମୋର ସାଙ୍ଗ ହୋଇଗଲୁ।

ମୁଁ ରେଭେନ୍ସା ଛାଡ଼ିବା ବର୍ଷ ସେ ଯାଇଥିଲା ରେଭେନ୍ସା କଲେଜ ପଢିବାକୁ।

ଜୀବନରେ ଭାରି ଖୋଲା ବଞ୍ଚିବାକୁ ଚାହିଁଛି ସେ। ଯେବେ ସେ ଅଧ୍ୟାପିକା ହେଲା ତାକୁ ତା କଲେଜ ଯିବାକୁ ଅନେକ ସମସ୍ୟା ହୋଇଥିଲା। ଜଣେ କିଏ ଯିବ ସ୍କୁଟରରେ ଛାଡିବ, ପୁଣି ଆଣିବ। ସେଇଠୁ ତା ପାଇଁ ସ୍କୁଟି କିଣିବା କଥା ଉଠିଲା। ଯାଜପୁର ଭାରି ପୁରୁଣାକାଳିଆ ସହର। ସେଠି ଏ ସ୍କୁଟି ଇତ୍ୟାଦି ଚାଲେନି ଝିଅଙ୍କ ପାଇଁ। ତାହା ପୁଣି ୧୬-୧୭ ବର୍ଷ ତଳର ଯାଜପୁର। ଆମ ଘରୁ ହିଁ ବିରୋଧ ଆରମ୍ଭ ହୋଇ ଯାଇଥିଲା। ମୁଁ କିନ୍ତୁ ଝୁନି ସପକ୍ଷରେ ଥିଲି ଓ ତାର ସ୍କୁଟି କିଣା ହୋଇ ଆସିଥିଲା।

ନିୟମ କାନୁନ ଭିତରେ ରହି ବି ସେ ମୁକ୍ତ ଭାବେ ଜିଇଁବାକୁ ଚାହିଁଛି। ଆଉ ଆମ ଭାଇ ଭଉଣୀଙ୍କ ଭିତରେ ସେ ସବୁଠାରୁ ଅଧିକ କଷ୍ଟ ପାଇଛି। ହୁଏତ ଝିଅଟେ ବୋଲି। କିନ୍ତୁ, ସେ କେବେ ଅଭିଯୋଗ କରିନି। ଚୁପ ରହିଛି। ଏକା ଚିପୁଡ଼ି ହୋଇ କାନ୍ଦିବା ମୁଁ ଦେଖିଛି।

ବାହାଘର ପରେ ତା ଘର ଓ ଆମ ଘର ବୋଝ ସେ ବୋହିଛି, ସବୁଦିନେ। ଆମ ଘରେ କିଛି ହେଲେ ସେ ଆଗ ଆସି ପହଁଚି ଥିବ। ମୁଁ କି ଆଉ କେହି ଯାଇ ନଥିବେ। ଘରେ ଯାହାକୁ ଯାହା ଭଲ ଲାଗିବ, ସବୁ ବୋହି ଆଣିଥିବ। ତା ନିଜ ସ୍କୁଲ, ତା ଚାକିରୀ ସବୁକୁ ସାଙ୍ଗରେ ବୋହି ପଚାଶ ଲୋକଙ୍କ ପଚାଶ କାମରେ ସେ ଲାଗିଥିବ। ସବୁବେଳେ ସେ ବ୍ୟସ୍ତ। ବଜାରରୁ ସଉଦା ନେଉଥିବ, କିଏ ଡାକ୍ତରଖାନାରେ ଥିବ ତା ପାଇଁ ଖାଇବା ନେଉଥିବ, ଇତ୍ୟାଦି କଣ କଣ ସେ କରେ ମୁଁ ନିଜେ କେବେ କରି ପାରିବି ନାହିଁ।

ଅନେକ ତା ସହ ମିଶି କାମ କରେଇ ନେବା ପରେ ତାକୁ ହିଁ ଦୋଷୀ କରିଛନ୍ତି। ମୁଁ ଦେଖିଛି। କିଛି କହି ପାରିନି। କାହାକୁ କହିବି ? ସମସ୍ତେ ତ ଚିହ୍ନା ମଣିଷ। ଝୁନି କାନ୍ଦି କାନ୍ଦି ରାତି ରାତି ଚାହିଁବା ମୁଁ ଦେଖିଛି।

ଜୀବନରେ ସେ ବେଶ ଅବୁଝା ହୋଇ ରହିଗଲା ସଭିଙ୍କ ପାଖରେ।

ଏବେ ତ ତା ସଂସାରକୁ ୧୫ ବର୍ଷ ପୁରିବ। ଆୟୁଷ ତାଙ୍କ ସଂସାରକୁ ଆସିଛି। ତା ଜୀବନ ଆହୁରି ପରିପୂର୍ଣ୍ଣ ହୋଇଛି। ତଥାପି ତାର ଧାଁ ଦୌଡ଼ ସରିନି। ସେ ହିଁ ସେମିତି। ଆରମ୍ଭରୁ। ଜବରଦସ୍ତ ମୁଣ୍ଡ ପୁରେଇବ ଅନ୍ୟର ସମସ୍ୟାରେ ଓ ଶେଷକୁ ସମସ୍ତେ ତାକୁ ଭୁଲ ବୁଝିବେ।

ତାକୁ ଅନେକ ସମୟ ମୁଁ ଏକା ଦେଖେ। ଲାଗେ- କେବେ ଟିକିଏ ଏ ବିଶ୍ରାମ ତ ନେଉ। ତା ଭାଗ୍ୟରେ, ଏ ଜନ୍ମରେ ତାର ନାହିଁ। କେତେବେଳେ ସୋଫା ଉପରେ ଶୋଇଥିବ। କେବେ ଚାହିଁଥିବ, ଶୋଇବା ବଦଳରେ।

ମନ, ସେ ଓ ଆୟୁଷକୁ ନେଇ ତାର ସଂସାର ଆୟୁଷ୍ମାନ ହେଉ। ମା’ ବିରଜାଙ୍କ ନିକଟରେ ଏତିକି ପ୍ରାର୍ଥନା।

Leave a Reply

Your email address will not be published. Required fields are marked *

You cannot copy content of this page