ରଥ ନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ :ଆରମ୍ଭ ହେଲା କୋଭିଡ ଟେଷ୍ଟ

0

ପୁରୀ(ସଙ୍କେତ ଖବର): ରଥ ଖଳାରେ ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବିଶେଷ ଗୁରୁତ୍ୱ। ରଥଖଳାକୁ ଜୈବ ବଳୟ ମଧ୍ୟରେ ଦିଆଯାଇଛି ସ୍ୱତନ୍ତ୍ର ସୁରକ୍ଷା। ଅନଧିକୃତ ବ୍ୟକ୍ତି ବିଶେଷଙ୍କ ଉପରେ ଲାଗିଛି କଡା କଟକଣା। ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ରହିଛି କଡା ନିର୍ଦ୍ଦେଶ। ସେପଟେ ରଥଖଳାକୁ କରାଯାଇଛି ସାନିଟାଇଜେସନ। ରଥଖଳାରେ କାର୍ଯ୍ୟ ସରିବା ପରେ ରାତିରେ ସାନିଟାଇଜେସନ କରାଯାଇଛି। ରଥଖଳାର ବିଭିନ୍ନ ସ୍ଥାନକୁ ଅଗ୍ନିଶମ ବିଭାଗର ଟେକ୍ନିକାଲ ଟିମ୍ ହ୍ୟାଣ୍ଡ ସ୍ପ୍ରେ ଜରିଆରେ ସାନିଟାଇଜେସନ କରାଯାଇଛି। ଯେହେତୁ ରଥଖଳାର କୋଭିଡ୍ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ରଥଖଳାରେ ରଥନିର୍ମାଣ ସେବକଙ୍କ କରୋନା ପଜିଟିଭ ସଂଖ୍ୟା ବଢିବଢି ଚାଲିଛି। ଆଜି ସୁଦ୍ଧା ୧୮ଜଣ ରଥନିର୍ମାଣ ସେବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ଜଣ ବିଶ୍ୱକର୍ମା ସେବାୟତ ଥିବା ବେଳେ ୬ଜଣ ଭୋଇସେବକ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। କାର୍ଯ୍ୟରେ ଯୋଗଦେବା ପୂର୍ବରୁ ରଥନିର୍ମାଣ ସେବକଙ୍କର କୋଭିଡ୍ ଟେଷ୍ଟ କରାଯାଇ ଶ୍ରୀଗୁଣ୍ଡିଚା ଭକ୍ତନିବାସରେ ସଂଘରୋଧରେ ରଖାଯାଉଛି। ନେଗେଟିଭ ରିପୋର୍ଟ ଥିଲେ ରଥନିର୍ମାଣରେ ସାମିଲ ହେଉଛନ୍ତି। ପଜିଟିଭ ଥିଲେ ନିଳାଚଳ ଭକ୍ତନିବାସ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆଜିଠାରୁ ରଥଖଳାକୁ ବାଇଓ ବବଲ୍ ସୁରକ୍ଷା ଦିଆଯାଇଛି। ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଡା କଟକଣା କରାଯିବା ସହିତ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page