ଘୋର ସଙ୍କଟରେ ନିଳାଚଳ କାରଖାନା, ଦୁଇ ମାସରେ ଗଲାଣି ଦୁଇ ଶ୍ରମିକଙ୍କ ଜୀବନ
![](https://www.sanketkhabar.com/wp-content/uploads/2020/06/FB_IMG_1592030256674.jpg)
ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢି ଉଠିଥିବା ରାଜ୍ୟର ଅନ୍ୟତମ ରାଷ୍ଟ୍ରାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ ନିଗମରେ ଦେଖାଯାଇଛି ଅଭାବନୀୟ ପରିସ୍ଥିତି। ଦୁଇ ମାସରୁ ଉର୍ଦ୍ଧ ଧରି କାରଖାନାରେ ତାଲା ଝୁଲିବା ଦ୍ବାରା କର୍ମଚାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଥିତି ଏତେ ଜଟିଳ ହୋଇଛି ଯେ ଆର୍ଥିକ ଅନାଟନକୁ ସହି ନପାରି ଦୁଇମାସ ମଧ୍ୟରେ ଦୁଇଜଣ କର୍ମଚାରୀଙ୍କୁ ପ୍ରାଣ ହରାଇବାକୁ ପଡିଛି।
ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ ହେଲା ମାତ୍ର କେଇଦିନ ପୂର୍ବେ କାରଖାନାର ସ୍ଥିତି ସମୀକ୍ଷା କରିବାକୁ ଯାଇ ସୁକିନ୍ଦା ବିଧାୟକ ରଜ ପୂର୍ବରୁ ଗୋଟିଏ ମାସର ଦରମା କର୍ମଚାରୀଙ୍କୁ ମିଳିବ ବୋଲି ପ୍ରତିଶ୍ରୁତି ଦେବା ସତ୍ତ୍ବେ ଅନ୍ୟତମ ଅଂଶିଦାର MMTC ମନା କରିଦେବାରୁ ଗତକାଲି ରାତିରେ ଜଣେ ଶ୍ରମିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ଖବରରୁ ଜଣାପଡେ ଦାନଗଦୀ ବ୍ଲକ ଅଧିନସ୍ଥ ସାରଙ୍ଗପୁର ଗ୍ରାମର ସିଣ୍ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା କିଶୋର ଚନ୍ଦ୍ର ଜେନା ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଛନ୍ତି।
ସୂଚନାଯୋଗ୍ୟ ୪୯% ଅଂଶଧନ ଥିବା MMTC ଗତକାଲି ଯାଜପୁର ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ସମ୍ପର୍କରେ ସ୍ପଷ୍ଠଭାବରେ ମନା କରିଦେବା ସହ ଯଦି ନିହାତି ଆବଶ୍ୟକ ପଡେ ମାନବିକତା ଦୃଷ୍ଟିକୋଣରୁ ପଡି ରହିଥିବା ଉତ୍ପାଦ ବିକ୍ରିକରି କିଛି ଅର୍ଥ ଦେବା କଥା ଜଣାଇଥିଲା। ଏହି ଖବର ପ୍ରଚାର ହୋଇଯିବା ପରେ କର୍ମଚାରୀଙ୍କ ମହଲରେ ନୈରାଶ୍ୟ ଖେଳି ଯାଇଥିଲା। ଆଗକୁ ରଜ ପର୍ବ ଥିବାରୁ ଭୟଙ୍କର ଆର୍ଥିକ ଦୁର୍ଗତୀକୁ ସାମ୍ନା କରିନପାରି କିଶୋର ନାମକ ଏହି ଯୁବକ ଆତ୍ମହତ୍ୟା କରିଥିବା କଥା ସହକର୍ମୀ ମାନେ ଅଭିଯୋଗ କରୁଛନ୍ତି।
ଏହି ସମାନ ଢଙ୍ଗରେ କିଛିଦିନ ପୂର୍ବେ ବ୍ୟାସନଗର ଧବଳଗିରୀ ଅଞ୍ଚଳର ଜନୈକ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଲକ୍ ଡାଉନ ସମୟରେ ଏହି କାରଖାନା ବନ୍ଦ ହୋଇଯିବା ଦ୍ବାରା ଶ୍ରମିକମାନେ କାମ ହରାଇ ଘୋର ଦୁର୍ଦ୍ଦିନ ମଧ୍ୟରେ ଦିନ କାଟୁଛନ୍ତି। ବାରମ୍ବାର ଏ ସମ୍ପର୍କରେ ପ୍ରତିବାଦ କରିବା ପରେ ସ୍ଥାନୀୟ ବିଧାୟକ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରିଥିଲେ ହେଲେ ଶେଷରେ ତାହା ମଧ୍ୟ ବିଫଳ ହେବାକୁ ଯାଉଛି।
ପ୍ରବାଦପୁରୁଷ ବିଜୁ ବାବୁଙ୍କ ସ୍ବପ୍ନର କଳିଙ୍ଗନଗର ଶିଳ୍ପାଞ୍ଚଳର ଏହି ଅନ୍ୟତମ ରାଷ୍ଟ୍ରାୟତ ଊଦ୍ୟୋଗ ଦିନେ ଯାଜପୁର ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ନିଯୁକ୍ତିର ନୂଆ ଦିଶା ଦେଖାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ଦୁଇ ଦଶନ୍ଧୀ ମଧ୍ୟରେ ଏହି କାରଖାନାରେ ତାଲା ପଡିଯିବା ଆଉ ଜମିହରା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଶେଷରେ ଆତ୍ମହତ୍ୟା କରିବାକୁ ପଡିବ ଏକଥା ଭାବିଲା ବେଳକୁ ପାଦତଳ ଭାଟି ଚହଲି ଯାଉଛି।
ଦାଦନ ଶ୍ରମିକ ସମସ୍ୟାକୁ ସରକାର ଦୀର୍ଘସୁତ୍ରୀ ଉପାୟରେ ମୁକାବିଲା କରିବାକୁ ନକ୍ସା ତିଆରି କରୁଥିବା ବେଳେ ନିଳାଚଳ ଷ୍ଟିଲ୍ ପ୍ଲାଣ୍ଟ ବନ୍ଦ ହେବା ଘଟଣା ଦେଶର ଶିଳ୍ପର ବାସ୍ତବ ସ୍ଥିତିକୁ ପ୍ରମାଣିତ କରୁଛି। ଆଶା ଆଗକୁ ଆଉ ଅଧିକ ଶ୍ରମିକଙ୍କ ମୁଣ୍ଡ ଗଡିବା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ଉଚ୍ଚିତ ପଦକ୍ଷେପ ନେବା ଦରକାର।
-ବିରଞ୍ଚି ନାରାୟଣ ଦାସ