ସମୁଦ୍ରରେ ପହଁରୁଥିବା ବ୍ୟକ୍ତିଙ୍କୁ ମାରିଦେଲା ସାର୍କମାଛ; ୬୦ ବର୍ଷ ପରେ ବନ୍ଦ ହେଲା ସିଡ୍‌ନି ବେଳାଭୂମି

0

ସିଡ୍‌ନି: ସମୁଦ୍ରରେ ପହଁରୁଥିବା ଜଣେ ବ୍ୟକ୍ତିଙ୍କର ସାର୍କ ବା ହାଙ୍ଗରମାଛ ଆକ୍ରମଣରେ ମୃତ୍ୟୁ ହେବାରୁ ପ୍ରସିଦ୍ଧ ‘ବଣ୍ଡି ଆଣ୍ଡ୍‌ ବ୍ରଣ୍ଟ୍‌’ ସମେତ ଆଜି ଅଷ୍ଟ୍ରେଲିଆର ସିଡ୍‌ନିରେ କେତେଗୁଡ଼ିଏ ବେଳାଭୂମି ବନ୍ଦ କରିଦିଆଯାଇଛି। ପ୍ରାୟ ୬୦ ବର୍ଷ ପରେ ଏହା ହେଉଛି ସହରର ବେଳାଭୂମିରେ ପ୍ରଥମ ସାର୍କ ଆକ୍ରମଣଜନିତ ମୃତ୍ୟୁ ଘଟଣା।

ସମୁଦ୍ରର ସେ ଅଞ୍ଚଳରେ ସାର୍କ ମାଛଟି ଏବେ ଅଛି କି, ନାହିଁ ଜାଣବା ଲାଗି ଆକ୍ରମଣସ୍ଥଳରେ ‘ଡ୍ରମ୍‌ ଲାଇନ୍‌’ (ସାର୍କ ଧରିବା ପାଇଁ ବ୍ୟବହୃତ ବନସୀ) ବସାଯିବା ସହିତ ଡ୍ରୋନ୍‌ ମୁତୟନ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ବୁଧବାର ଅପରାହ୍ଣରେ ଅଷ୍ଟ୍ରେଲିଆର ବୃହତ୍ତମ ନଗରର ଦକ୍ଷିଣକୁ ପ୍ରାୟ ୨୦ କିଲୋମିଟର୍‌ ଦୂର ଏବଂ ବଟାନି ବେ’ ପ୍ରବେଶ ପଥ ନିକଟରେ ଅବସ୍ଥିତ ‘ଲିଟ୍‌ଲ୍‌ ବେ ବିଚ୍‌’ ସମୁଦ୍ର ଜଳରାଶିରେ ଗୋଟାଏ ସାର୍କ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଥିବା ଅନ୍‌ଲାଇନ୍‌ରେ ପ୍ରସାରିତ ଭିଡିଓରୁ ଜଣାପଡ଼ିଛି। ପୁଲିସ ସମୁଦ୍ରରେ ପହଁରୁଥିବା ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହିଁ।

ରାଣ୍ଡ୍‌ୱିକ୍‌ର ମେୟର୍‌ ଡିଲାନ୍‌ ପାର୍କର୍‌ କହିଛନ୍ତି, ଏ ଅଘଟଣ ଆମ ବାସିନ୍ଦାଙ୍କ ପାଇଁ ଅତି ଭୟାବହ। ବେଳାଭୂମି ଆମ ବାରି ଅଗଣା ପରି। ସେଠାରେ ଏମିତି ଭୟାବହ ପରିସ୍ଥିତିରେ ମୃତ୍ୟୁ ଘଟିବା ଅତ୍ୟନ୍ତ ଆଘାତଦାୟକ।

ସୂଚନାଯୋଗ୍ୟ, ନିକଟରେ ଥିବା ଅନ୍ୟ ଏକ ବେଳାଭୂମିରେ ହଜାର ହଜାର ପହଁରାଳି ଭାଗ ନେଉଥିବା ବାର୍ଷିକ ଦାତବ୍ୟ ସନ୍ତରଣ ଉତ୍ସବ ‘ମୁରେ ରୋଜ୍‌ ମାଲାବାର୍‌ ମେଜିକ୍‌ ଓସେନ୍‌ ସୁଇମ୍‌’ ଆୟୋଜନ ହେବାର କିଛି ଦିନ ଆଗରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଆୟୋଜକମାନେ କହିଛନ୍ତି ଯେ, ସେମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଯଦି ସନ୍ତରଣ ଉତ୍ସବ ବାତିଲ୍ କରାଯାଇ ପୁନର୍ବାର ମାର୍ଚ ୬ରେ ଆୟୋଜନ କରାଯିବ।

‘ନିୟୁ ସାଉଥ୍‌ ୱେଲ୍‌ସ୍‌ ଡିପାର୍ଟମେଣ୍ଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌’ର ଜଣେ ମୁଖପାତ୍ର କହିଛନ୍ତି, ସାର୍କ ଜୀବବିଜ୍ଞାନୀମାନଙ୍କର ମନେହୁଏ ସେ ଅନ୍ୟୂନ ୯ ଫୁଟ୍‌ ୮ ଇଞ୍ଚ୍‌ ଲମ୍ବର ଗୋଟାଏ ଧଳା ହାଙ୍ଗର (ସାର୍କ) ଏହି ମାରାତ୍ମକ ଆକ୍ରମଣ ପାଇଁ ଦାୟୀ। ରେକର୍ଡ ଅନୁସାରେ, ୧୯୬୩ ପରେ ଏହା ହେଉଛି ସିଡ୍‌ନିରେ ପ୍ରଥମ ସାର୍କ ଆକ୍ରମଣ।

ତାପମାତ୍ରା ୩୦ ଡିଗ୍ରିରୁ ଅଧିକ ହୋଇଥିଲେ ସୁଦ୍ଧା ଗ୍ରୀଷ୍ମ ଦିନମାନଙ୍କରେ ସମୁଦ୍ରରେ ପ୍ରବେଶ ନ କରିବା ଲାଗି ଜନସାଧାରଣଙ୍କୁ ସରକାରୀ କର୍ତ୍ତୃପକ୍ଷମାନେ ନିର୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page