ଖୋର୍ଦ୍ଧା ଗଡ଼ନିଆଳ ଗାଁ ରୁ ୧୩ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର

0

ଖୋର୍ଦ୍ଧା (ସଙ୍କେତ ଖବର): ବହୁ ପ୍ରତିକ୍ଷା ପରେ ଶେଷରେ ଖୋର୍ଦ୍ଧା ଗଡନିଆଳ ଗ୍ରାମରୁ ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପଲାଇନ ଓ ବନ ବିଭାଗ । ଅଜଗର ସାପଟିର ଲମ୍ବା ୧୩ ଫୁଟ ହୋଇଥିବା ବେଳେ ସାପଟିକୁ ସୁରକ୍ଷିତ ଭାବେ ଚନ୍ଦକା ଜଙ୍ଗଲରେ ଛଡାଯିବ । ସେହିପରି ସାପର ଅଣ୍ଡା ଗୁଡିକୁ ଏକ ସ୍କୁଲ ଘରେ ଛୁଆ ଫୁଟିବା ପର୍ଯ୍ୟନ୍ତ ରଖାଯିବ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

୧୩ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର

ବନ ବିଭାଗ, ଗ୍ରାମବାସୀ ଓ ସ୍ନେକ ହେଲପଲାଇନର ସ୍ୱପ୍ନ ଏବେ ସାକାର ହୋଇଛି । ୧୫ ଦିନ ଧରି ଯେଉଁ ଅଜଗର ସାପ ଓ ତା’ର ଅଣ୍ଡାକୁ ଗ୍ରାମବାସୀମାନେ ସୁରକ୍ଷା ଦେଇ ଆସୁଥିଲେ, ସେହି ସାପ ଆଜି ଗାତରୁ ପଦାକୁ ବାହାରିଛି । ଖୋର୍ଦ୍ଧା ବ୍ଲକ ମଲ୍ଲିପୁର ପଞ୍ଚାୟତର ଗଡ଼ନିଆଳ ଗ୍ରାମ୍ୟ ଜଙ୍ଗଲ ନିକଟରେ ଅଜଗର ସାପଟି ଅଣ୍ଡା ଦେବା ପର ଠାରୁ ଗ୍ରାମବାସୀମାନେ କିଭଳି ମା’ ଅଜଗର ଓ ଛୁଆ ସୁରକ୍ଷିତ ଭାବେ ଉଦ୍ଧାର ହେବେ, ସେନେଇ ପ୍ରଚେଷ୍ଟା ଜାରି ରଖିଥିଲେ । ତେବେ ଆଜି ସକାଳୁ ସାପଟି ପାଣି ପିଇବାକୁ ବାହାରକୁ ଆସି ପୁର୍ନବାର ଗାତକୁ ନଯାଇ ଗାତ ପାଖରେ ଜଗି ରହିଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ କର୍ମଚାରୀମାନେ ସାପକୁ ଦେଖି ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ସାପଟିର ଯେମିତି କୌଣସି କ୍ଷତି ନକରି ସୁରକ୍ଷିତ ଭାବେ ଧରିବେ, ତାହା ନେଇ ଆରମ୍ଭ ହୋଇଥିଲା ପ୍ରକ୍ରିୟା ସଙ୍ଗେ ସଙ୍ଗେ ଶୁଭେନ୍ଦୁ ଘଟଣା ସ୍ଥଳରେ ପହଂଚି ପ୍ରଥମେ ଗୋଧି ଓ ଅନ୍ୟାନ୍ୟ ସରିଶୃପ ପାଇଁ ବିଛା ଯାଇଥିବା ଜାଲକୁ କାଢି ଦେଇଥିଲେ । ଆଜି ସକାଳୁ ଦୀର୍ଘ ସମୟ ପରେ ସାପଟିକୁ ଉଦ୍ଧାର କରିବା ପରେ ଟେପ ସାହାଯ୍ୟରେ ଏହାର ଲମ୍ବ ଦେଖିଥିଲେ । ତେବେ ସାପଟିର ଲମ୍ବ ୧୩ ଫୁଟ ବୋଲି କହିଛନ୍ତି ସ୍ନେକ ହେଲପଲାଇନର ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ । ସେହିପରି ଗାତରେ ଥିବା ୪୦ରୁ ଉର୍ଦ୍ଧ ଅଣ୍ଡାକୁ ସୁରକ୍ଷିତ ଭାବେ ଉଦ୍ଦାର କରି ମଲ୍ଲିପୁର ଏକ ସ୍କୁଲ ଘରେ ଛୁଆ ଫୁଟିବା ପର୍ଯ୍ୟନ୍ତ ରଖାଯିବ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ଅନ୍ୟପଟେ ବନ ବିଭାଗର କର୍ମଚାରୀ ଓ ସ୍ନେକ ହେଲପଲାଇନର ସଦସ୍ୟମାନେ ପ୍ରାଣି ଚିକିତ୍ସକଙ୍କ ପରାମର୍ଶ ଅନୁଯାଇ ଅଜଗର ସାପଟିର କିପରିସୁରକ୍ଷିତ ମାତୃତ୍ୱ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଯଦି ଅଣ୍ଡାରୁ ଛୁଆ ଠିକ୍ ଭାବେ ବାହାରିବ, ତେବେ ଏହା ଓଡ଼ିଶାରେ ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

You cannot copy content of this page