କଡା କଟକଣା ମଧ୍ୟରେ ହେବ ସ୍ନାନଯାତ୍ରା
ପୁରୀ(ସଙ୍କେତ ଖବର)
ଚଳିତ ବର୍ଷ କୋଭିଡ଼୍ କଟକଣା ମଧ୍ୟରେ ହେବ ସ୍ନାନଯାତ୍ରା। ପ୍ରଥମ ଥର ପାଇଁ ମଧ୍ୟ ରାତ୍ରୀ ପରେ ରାତି ଗୋଟାଏରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ହୋଇ ହେବ ପହଣ୍ତି। ରାତି ୪ ଟା
ମଧ୍ୟରେ ପହଣ୍ତି ଶେଷ ହୋଇ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ସକାଳ ୭ ଟା ୩୦ ରୁ ୯.୩୦ ମଧ୍ୟରେ ଜଳବିଜେ ଓ ସ୍ନାନ ନୀତି ହେବ। ସକାଳ ୧୦.୩୦ ରେ ଛେରାପହଁରା ଗଜପତିଙ୍କ ଦ୍ୱାରା ସହପାଦିତ ହେବା ପରେ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ହାତୀ ବେଶ ହେବ। ପରେ ସଂଧ୍ୟା ୫ ଟା ରୁ ୮ ଟା ମଧ୍ୟରେ ବାହୁଡ଼ା ପହଣ୍ତି ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ
କୋଭିଡ଼୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ ନୀତି ପାଇଁ ଆଲୋଚନା ହୋଇଛି।
ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମହାପ୍ରଭୁଙ୍କ ସମସ୍ତ ନୀତି କିପରୀ ସମୟ ପୂର୍ବରୁ ହେବ ସେ ନେଇ ସବୁ ନିଯୋଗ ଓ ସେବାୟତଙ୍କ ସହଯୋଗ କାମନା କରିଛି ପ୍ରଶାସନ। ତେବେ ସ୍ନାନଯାତ୍ରା ଭକ୍ତମାନେ ଦେଖିପାରିବେ
କି ନାହିଁ ତାହା ୩୧ ତାରିଖ ଲକଡ଼ାଉନ କଟକଣା ଉଠିବା ପରେ ନିଷ୍ପତ୍ତି ନିଆଯିବ। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ପ୍ରଥମ ଥର ପାଇଁ ରାତି ୧ ଠାରେ ପହଣ୍ତି ବିଜେ ହେବାକୁ ଥିବା ବେଳେ
ସେବାୟତ ମାନେ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଆଜି ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷେକ ନୀତି ଠାରୁ ଉଭା ଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘର୍ଟ ସଂପର୍କରେ ଆଲୋଚନା ହୋଇଥିଲା। ତେବେ ସ୍ନାନଯାତ୍ରା ସହ ଏ ସମସ୍ତ ନୀତି ଚୁଡ଼ାନ୍ତ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏହା ଅନୁମୋଦିତ ହେବ।