କୋଭିଡ୍ କଟକଣା ମଧ୍ୟରେ ଜହ୍ନା ବଳଦେବଜୀଉ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା

0

କୋରେଇ (ସଙ୍କେତ ଖବର): ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅବସରରେ କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା ବଳଦେବଜୀଉ ମନ୍ଦିରରେ ରୀତିନୀତି ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । କୋଭିଡ କଟକଣା ହେତୁ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇ ବିଧି ରକ୍ଷା କରି ପୂଜାର୍ଚ୍ଚନା କରଯାଇଥିଲା । ସକାଳୁ ମହାପ୍ରଭୁଙ୍କ ପହଡଭାଙ୍ଗି, ସ୍ନାନ, ପୂଜା ଓ ବିଭିନ୍ନ କର୍ମ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତମାନେ ସ୍ନାନ ମଣ୍ଡପକୁ ନେଇଥିଲେ ।ବୈତରଣୀ ନଦୀର ଦସ୍ୱାଶ୍ଵମେଧ ଘାଟରୁ ଆସିଥିବା ୧୦୮ ଗରା ଜଳରେ ପ୍ରଭୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ଓ ସୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ନୂତନ ଅଙ୍ଗବସ୍ତ୍ର, ପଇତା ଗ୍ରହଣ, ତ୍ରିକାଟୁ ନୈବିଦ୍ୟ, ପଞ୍ଚମୃତ ଭୋଗ ଇତ୍ୟାଦି ଲାଗି ପରେ ଗଜବେଶରେ ମହାପ୍ରଭୁ ଦର୍ଶନ ଦେଇଥିଲେ । ସନ୍ଧ୍ୟା ସମୟରେ ମହାପ୍ରଭୁ ଅଣସର ଗୃହକୁ ଯିବେ । ଆଜି ଠାରୁ ୧୫ ଦିନ ବିଭିନ୍ନ ସେବା ଚାଲିବା ପରେ ରଥଯାତ୍ରାର ୨ଦିନ ପୂର୍ବରୁ ଶ୍ରୀଜୀଉ ଙ୍କ ନବଯୌବନ ଦର୍ଶନ ହେବ । ଆଜିର କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କ ମୁଖ୍ୟ ପୂଜକ ଗୋପବନ୍ଧୁ ପାଢ଼ୀ, ସହଯୋଗୀ ମୃତ୍ୟୁଞ୍ଜୟ ପାଢ଼ୀ, ପୁରୋହିତ ଲକ୍ଷ୍ମୀଧର ପାଢ଼ୀ ପୂଜାପାଠ ଓ କର୍ମ ସମ୍ପାଦନ କରିଥିଲେ । ଟ୍ରଷ୍ଟ ବୋର୍ଡର ପ୍ରଧାନ ଟ୍ରଷ୍ଟି ପ୍ରଫୁଲ୍ଲ ବୋଇତାଇ, ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page