ସୌମ୍ୟବାବୁଙ୍କ “କିନ୍ତୁ” ଉପାଖ୍ୟାନ !
![](https://www.sanketkhabar.com/wp-content/uploads/2020/06/FB_IMG_1591021493364.jpg)
କୁହାଯାଏ ଓଡ଼ିଆ ଭାଷା ସାହିତ୍ୟରେ ” ଯଦି କିନ୍ତୁ ଆଉ ଏବଂ ” ଏହି ତିନୋଟି ଅବୟବ ଶବ୍ଦ ଯେତିକି ଜଟିଳ ସେତିକି ଦ୍ବନ୍ଦାତ୍ମକ। ଏହାକୁ ଉଭୟ ନକରାତ୍ମକ ଆଉ ସକରାତ୍ମକ ଦିଗ ଦେଇ ବ୍ୟବହାର କରାଯାଇ ପାରେ। ଏହାକୁ ଯିଏ ଯେଉଁ ଭାବରେ ବ୍ୟବହାର କରିବ ଚଳିବ। ସବୁ ପରେ ଏହି ତିନୋଟି ଶବ୍ଦ ଯଦି ବାକ୍ୟର ଶେଷରେ ଲାଗିଗଲା ତାହେଲେ କଥା ସରିଲା।
ସାଧାରଣତଃ ଖୁବ୍ କମ୍ ସଂଖ୍ୟକ ଚତୁର ଲୋକ ଏହି ଶବ୍ଦର ବ୍ୟବହାର କରିଥାନ୍ତି। ଶତ୍ରୁ ଉପରେ ପ୍ରତିଶୋଧ ହେଉ ବା ଯନ୍ତ୍ରଣାରେ ବୁଡାଇ ରଖିବା ହେଉ ଏଭଳି ସମୟରେ ଏହା ବ୍ୟବହାର କରା ଯାଇଥାଏ।
ଆଜି ସକାଳୁ ସକାଳୁ ଖବରକାଗଜ ଉପରେ ଆଖି ବୁଲାଇ ଆଣିଲା ବେଳକୁ ଦେଖିଲି ଦୈନିକ ସମ୍ମାଦର ପ୍ରଥମ ପୃଷ୍ଠାରେ ଆମ ଘରର ହାଲଚାଲ ସ୍ତମ୍ବରେ ପ୍ରକାଶ ପାଇଛି “ନବୀନ ବାବୁଙ୍କୁ କୃତଜ୍ଞତା, କିନ୍ତୁ… ଶିର୍ଷକ ଏକ ଆଲେଖ୍ୟ। ସମ୍ପାଦକ ମହୋଦୟଙ୍କ ନିଜସ୍ବ ସ୍ତମ୍ବ ଆମ ଘରର ହାଲଚାଲର ଜଣେ ନିୟମିତ ପାଠକ ଭାବରେ ମୂଳରୁ ଶେଷଯାଏ ଗୋଟିଏ ନିଶ୍ବାସରେ ପଢିଗଲି। ଲାଲ ରଙ୍ଗରେ ରେଖାଙ୍କିତ ଅଞ୍ଚଳରେ ପହଞ୍ଚିବା ଯାଏ ଭାବୁଥିଲି ସୌମ୍ୟବାବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସତେ ଯେପରି ପ୍ରଶଂସାରେ ପୋତି ପକାଇଛନ୍ତି। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟବାସୀଙ୍କୁ ଗାଇବା ପାଇଁ କହିବାକୁ ଯାଇ ସେ ଯେଉଁ ମଙ୍ଗଳ କରିଛନ୍ତି ତାର ପଟାନ୍ତର ନାହିଁ
ହେଲେ ଲାଲ୍ ରଙ୍ଗରେ ରେଖାଙ୍କିତ ଅଞ୍ଚଳରେ ପହଞ୍ଚିବା ପରେ ଦେଖିଲି ଶବ୍ଦ ସବୁ କଟାକ୍ଷ କରିଵା ଆରମ୍ଭ କରି ଦେଇଛନ୍ତି। କାନ୍ତକବିଙ୍କ କଳ୍ପନାର ଘଞ୍ଚ ଜଙ୍ଗଲ ଆଉ ରାଜ୍ୟରେ ନାହିଁ, ପାହାଡ ସବୁ ଏବେ ମାଫିଆଙ୍କ କବ୍ଜାରେ, ନଦୀ ସବୁ ଶୁଖିଲା, ଚିଲିକାକୁ ଆଉ ପକ୍ଷୀ ଆସୁ ନାହାନ୍ତି, କୃଷି ଆଉ ଲାଭଜନକ ବୃତ୍ତି ହୋଇନାହିଁ, ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଚତୁର୍ଥ ପାଠ ଆସୁନାହିଁ, ମୋ କୁଡିଆରେ ଚଞ୍ଚକତା, ଭେଣ୍ଡିଆ ଟୋକା ଭତ୍ତା ପାଉଛି, ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଶହ ଶହ କୋଟି ଖର୍ଚ୍ଚ ହେଉଛି ଅଥଚ ଯୁବଶକ୍ତି ନେତାମନ୍ତ୍ରୀଙ୍କ ସୁପାରିଶରେ ବଞ୍ଚୁଛନ୍ତି ଏଭଳି ଅନେକ ତିର୍ଜକ ଶବ୍ଦର ଆକ୍ରମଣ ହୋଇଛି।
ଆଉ ଶେଷରେ ଏ ଜାତିର ଇତିହାସକୁ ମନେପକାଇ ଖୋଜିଛନ୍ତି ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁଙ୍କୁ, ସ୍ବାଭିମାନର ପ୍ରତିକ ମଧୁବାବୁଙ୍କୁ। ତେବେ ମନରେ ପ୍ରଶ୍ନ ଉଠେ ଏ ” କିନ୍ତୁ ” ମଧ୍ୟରେ ଶାସନ ବ୍ୟବସ୍ଥାର ଅନେକ ଛିଦ୍ର ସେ ତାଙ୍କ ଜ୍ଞାତସାରରେ ପଦାରେ ପକାଇ ଦେଇଛନ୍ତି। ଯିଏ ଦୀର୍ଘ ୧୫ ବର୍ଷ ଧରି ଶାସକର ପ୍ରତିଟି କଥାକୁ ବିରୋଧକରି ଆସୁଥିଲେ ସେ କେଉଁ ଆଦର୍ଶରେ ଅନୁପ୍ରାଣିତ ହୋଇ ପତାକା ଧରିଲେ ଅନ୍ତତପକ୍ଷେ ରାଜ୍ୟବାସୀଙ୍କୁ ସ୍ପଷ୍ଠ କରିବା ଦରକାର। ଯୁବଶକ୍ତିର ପ୍ରତିକ, ଓଡିଆ ଅସ୍ମିତାର କଥା କହୁଥିବା ସୌମ୍ୟବାବୁ ଯିଏ ଦିନେ ଶାସକର ମାତୃଭାଷା ପ୍ରତି ମମତ୍ବକୁ ନେଇ କାଠଗଡାରେ ଠିଆ କରାଉଥିଲେ, କଥା କଥାକେ ନିଜର ସ୍ବାଧିନ ମତବ୍ୟକ୍ତ କରୁଥିଲେ ସେ ଯଦି ଆଜି ସମୟ ସହ ନିଜକୁ ଚଳେଇ ନେଇ ପାରିଲେ ତେବେ ସେଠାରେ କାନ୍ତକବିଙ୍କ ସେଦିନର ଉତ୍କଳମାତାକୁ ଖୋଜିବାର କଣ ଆବଶ୍ୟକତା ଅଛି ?
କହିବାକୁ ଯାଇ ଖାଲି କହିଲେ ହେବନାହିଁ ପ୍ରଥମେ କରିବାକୁ ପଡିବ। ସୌମ୍ୟ ବାବୁଙ୍କ ଏ କିନ୍ତୁ ଆମ ବ୍ୟବସ୍ଥାର ଅନେକ କିନ୍ତୁକୁ ଧରା ପକାଇ ଦେଇଛି। ଗତ କୋଡିଏ ବର୍ଷ ଧରି ଯଦି ସବୁ ଠିକ୍ ଚାଲିଛି ବୋଲି ସେ କହୁଛନ୍ତି ତାହେଲେ ଏ କିନ୍ତୁ ଆସିଲା କେଉଁଠୁ? ଏକଥା ବୁଝିବାକୁ ପଡିବ ସ୍ବୟଂ ସୌମ୍ୟବାବୁ ବୋଧହୁଏ ସରକାରଙ୍କ ସବୁଥିରେ ସନ୍ତୁଷ୍ଟ ନାହାନ୍ତି । ଗୋଟିଏ ପଟେ କୃତଜ୍ଞତା ଆଉ ଆରପଟେ କିନ୍ତୁର ପ୍ରଶ୍ନ ପାହାଡ ଏ ବଡ ଦ୍ବନ୍ଦ ସୃଷ୍ଠି କରୁଛି। ଆଶା ପାଠକେ ଏହା ପଛର ରହସ୍ୟ ଖୋଜିବାରେ ସକ୍ଷମ ହେବେ।
(୦୧ ଜୁନ ରେ ପ୍ରକାଶିତ ଦୈନିକ ସମ୍ବାଦ ପୃଷ୍ଠା ଅନୁସାରେ…)
-ବିରଞ୍ଚି ନାରାୟଣ ଦାସ