ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

0

ଯାଜପୁର (ସଙ୍କେତ ଖବର): ବିଶିଷ୍ଟ ଗାଳ୍ପିକ ଡ଼ଃ ରମେଶ ଚନ୍ଦ୍ର ବିଶ୍ଵାଳଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦଶରଥପୁର ବ୍ଲକ ମଙ୍ଗଳପୁର ଠାରେ ଡ଼ଃ ରମେଶ ଚନ୍ଦ୍ର ବିଶ୍ଵାଳ ସ୍ମୃତି ସଂସଦ ପକ୍ଷରୁ ବୁଧବାର ଅନୁଷ୍ଠିତ ଏହି  ଏକଦିବସୀୟ ସମାରୋହରେ ସଂସଦ ସଭାପତି ସରୋଜ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଭାପତି ବିଶିଷ୍ଟ କବି ଡ଼ଃ ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଓ ବିଶିଷ୍ଟ ପ୍ରାବନ୍ଧିକ ଡ଼ଃ ବେଣୁଧର ପାଢୀ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଅସମାହିତ ପ୍ରଶ୍ନର ଅନ୍ୱେଷଣ ହିଁ ରମେଶ ବିଶ୍ୱାଳଙ୍କ ଗଳ୍ପର ଚାବିକାଠି ବୋଲି ମୁଖ୍ୟ ଅତିଥି ଡ଼ଃ ମଲ୍ଲିକ କହିଥିବାବେଳେ ରମେଶ ବିଶ୍ଵାଳ ଯେ କେବଳ ଜଣେ ଗାଳ୍ପିକଥିଲେ ତାହା ନୁହେଁ ବରଂ ସେ ଜଣେ ଗାଳ୍ପିକର ଜୀବନ ମଧ୍ୟ ଜିଉଁଥିଲେ ବୋଲି ମୁଖ୍ୟବକ୍ତା ଡ଼ଃ ପାଢୀ କହିଥିଲେ । ପ୍ରଥମେ ଏହି ଦୁଇ ଅତିଥିଙ୍କ ଦ୍ୱାରା ସ୍ବର୍ଗତ ରମେଶ ଚନ୍ଦ୍ର ବିଶ୍ଵାଳଙ୍କ ପ୍ରତିମୂର୍ତ୍ତି ଅନାବରଣ  କରାଯାଇ ସମାରୋହ ଉଦଘାଟନ କରାଯାଇଥିଲା ।

ବିଶିଷ୍ଟ ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ୍ତଙ୍କୁ ଡ଼ଃ ରମେଶ ଚନ୍ଦ୍ର ବିଶ୍ଵାଳ ଗଳ୍ପ ପୁରସ୍କାର ପ୍ରଦାନ କରାଯାଯିବା ସହ ସ୍ବର୍ଗତ ବିଶ୍ୱାଳଙ୍କ ପରିବାର ପକ୍ଷରୁ  ପ୍ରସ୍ତୁତ କରାଯାଇଥିବା ସ୍ମୃତି ପୁସ୍ତିକା ‘ଆମ ବାପା’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । କବି ଦାମୋଦର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ବିରଜା ବଳ ସ୍ୱାଗତ ଭାଷଣ ଦେଇଥିଲେ ।

ସଂସଦ ସମ୍ପାଦିକା ଡ଼ଃ ଶ୍ରଦ୍ଧାଞ୍ଜଳି ସାମଲ,ଗାଳ୍ପିକ ରବି ପଣ୍ଡା, ଗାଳ୍ପିକ ରାମଚନ୍ଦ୍ର ଦାସ, ଆର୍ଯ୍ୟା ଆନିନ୍ଦିତା ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଏହି ସମାରୋହରେ ଏକ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଥିଲା । କବି ସୁବ୍ରତ ଦାସ ଓ କବି ସୁବ୍ରତ ଜେନା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥିଙ୍କୁ ଶିକ୍ଷକ ନେତା ନିରଞ୍ଜନ ବିଶ୍ଵାଳ, ମୁଖ୍ୟବକ୍ତାଙ୍କୁ କବି ବିଦ୍ୟୁତଲତା ଦାସ ଓ କବିତା ସଂଯୋଜକଙ୍କୁ କବି ପୂର୍ଣ୍ଣଚନ୍ଦ୍ର ଦାସ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଡ଼ଃ ରବୀନ୍ଦ୍ର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page