ରାଜ୍ୟ ରାଜନୀତି:ଜଣେ ଶରଣାପନ୍ନ ଆଉ ଜଣେ ଶୟନ ମୁଦ୍ରାରେ !
![](https://www.sanketkhabar.com/wp-content/uploads/2020/05/FB_IMG_1590729370334.jpg)
ସଂସଦୀୟ ଗଣତନ୍ତ୍ରରେ ବିରୋଧୀଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସରକାରକୁ ସଠିକ୍ ରାସ୍ତାରେ ପରିଚାଳିତ କରାଇବା ଦାୟିତ୍ୱ ହେଉଛି ବିରୋଧୀ ଦଳର, କିନ୍ତୁ ବେଶ୍ କିଛି ବର୍ଷ ହେବ ବିରୋଧୀ ଦଳମାନେ କ୍ଷମତା ଦୌଡରୁ ବାଦ୍ ପଡିଯିବା ପରେ ନିଜର ଦାୟିତ୍ୱରୁ ଓହରି ଯାଉଛନ୍ତି। ସବୁ ଦାୟିତ୍ୱ ସରକାରଙ୍କର, ସବୁ ପାଇଁ ସରକାରୀ ଦଳ ଦାୟୀ ଏହି ମାନସିକତାରେ ବର୍ତ୍ତ ମାନର ଅନେକ ବିରୋଧୀଦଳ ବଶୀଭୁତ। ଏହାର ସର୍ବାଧିକ ପ୍ରଭାବ ଓଡିଶା ରାଜନୀତିରେ ଦେଖିବାକୁ ମିଳୁଛି।
ଗତ ଦୁଇ ଦଶନ୍ଧୀ ଧରି ରାଜ୍ୟରେ ବିଜେଡି ତାର ଶାସନ ଜାରୀ ରଖିଛି। ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନରେ ବିଜେଡି ରାଜ୍ୟରେ ଚତୁର୍ଥ ପାଳି ପରେ ପଞ୍ଚମ ପାଳିର ଶାସନ ଆରମ୍ଭ କରିଛି। ଆଜି ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଆରମ୍ଭରେ ଯେଉଁ ଚିତ୍ର ମନକୁ ଆସୁଛି ସେଥିରେ ଦୁଇଟି କଥା ସ୍ପଷ୍ଠ ବାରି ହୋଇପଡୁଛି ତାହା ହେଲା ଦୁଇ ପ୍ରମୂଖ ବିରୋଧୀ ଦଳ ମଧ୍ୟରୁ ଗୋଟିଏ ଏବେ ଶାସକ ଦଳର ଶରଣାପନ୍ନ ଥିବା ବେଳେ ଆଉ ଗୋଟିଏ ପୁରାପୁରି ଶୟନ ମୁଦ୍ରାରେ ଥିଲାପରି ଲାଗୁଛି।
ଆମେ ଯଦି ବିଜେଡି କ୍ଷମତାକୁ ଆସିବା ଦିନରୁ ରାଜ୍ୟ ରାଜ ନୀତିକୁ ବିଶ୍ଳେଷଣ କରିବା ତାହେଲେ ଦେଖାଯାଏ ଶାସକର ବିଜୟ ପାଇଁ ବିରୋଧୀ ଦଳର ନିଷ୍କ୍ରିୟତା ଆଉ ନିରବତା ଅନେକ ପରିମାଣରେ ଦାୟୀ। ୨୦୦୦ ମସିହାରୁ ୨୦୧୯ ମଧ୍ୟରେ ମୂଖ୍ୟ ବିରୋଧୀ ଦଳର ମାନ୍ୟତା ପାଇ ଆସିଥିବା କଂଗ୍ରେସ ଏବେ ବିଧାନସଭାରେ ଏକ ଅଙ୍କରେ ପହଞ୍ଚି ଯାଇଛି। ଭାରତୀୟ ଜନତା ପାର୍ଟି ନିଜର ସମସ୍ତ ଶକ୍ତି ଖଟାଇ ଏବେ ସମ୍ମାନଜନକ ସ୍ଥିତିରେ ଅଛି।
କଂଗ୍ରେସ ହାତରୁ ବିରୋଧୀଦଳ କ୍ଷମତା ବିଜେପି ଛଡାଇ ନେଇଛି। ମୁଖ୍ୟତ୍ୟ ଭାବରେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡିଛି। ଏହା ପୂର୍ବରୁ ଅନେକ ବରିଷ୍ଠ ନେତା ଦଳ ଛାଡି ବିଜେଡିରେ ସାମିଲ ହେବାର ଦେଖାଯାଇଛି। ଦିନେ ଯେଉଁମାନେ ବିଧାନସଭାରେ ବିଜେଡିକୁ ଆକ୍ରମଣ କରିବାକୁ ପଛାଉ ନଥିଲେ ସେମାନେ ଏବେ ଶତ୍ରୁର ପତାକା ଧରି ସମ୍ମୁଖରେ। ତେବେ ସବୁଠାରୁ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଥିଲା ୨୦୧୪ ନିର୍ବାଚନ ଓ ଏହାର ପରବର୍ତ୍ତୀ ସମୟରେ।
କଂଗ୍ରେସରେ ଦଳୀୟ ଅନ୍ତର୍ଦ୍ବନ୍ଦ,ପିସିସି ସଭାପତି ବାରମ୍ବାର ପରିବର୍ତ୍ତନ, ବରିଷ୍ଠ ନେତାଙ୍କ ଦଳତ୍ୟାଗ ଇତ୍ୟାଦି ଦଳକୁ ଏଭଳି ସ୍ଥିତିକୁ ନେଇ ଯାଇଥିଲା ଯେ ଯାହା ଏବେ ଅଣ୍ଟା ସଳଖି ଠିଆହେବା କଷ୍ଟ ହୋଇ ପଡିଛି। ସତେ ଯେପରି ଲାଗୁଛି କଂଗ୍ରେସ ପୁରାପୁରି ଶୟନ ମୁଦ୍ରାରେ। ଅନ୍ୟତମ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଯାହା ଉପରେ ରାଜ୍ୟବାସୀ ଭରଷାକରି ୭ଟି ସଂସଦୀୟ ଆସନ ଆଉ ୨୩ଟି ବିଧାନସଭା ଆସନରେ ଜିତାଇ ଥିଲେ।
ସମସ୍ତେ ଭାବିଥିଲେ ରାଜ୍ୟର ସ୍ବାର୍ଥ ପାଇଁ ଶାସକ ଦଳ ସହ ଲଢି ଦଳକୁ ଆଗକୁ ନେବ, କିନ୍ତୁ ଗତ ବର୍ଷକ ମଧ୍ୟରେ ଦେଖାଯାଉଛି ବିରୋଧ ଅପେକ୍ଷା ସହମତିରେ ଶାସନ ପାଇଁ ବିଜେପି ବେଶି ଆଗ୍ରହୀ ହୋଇଛି। କେନ୍ଦ୍ରରେ ବିଜେଡିର ସମର୍ଥନକୁ ଆଖିରେ ରଖି ରାଜ୍ୟ ନେତୃତ୍ବ ଏକ ପ୍ରକାରର ବିଜେଡି ପାଖରେ ଆତ୍ମ ସମର୍ପଣ କଲାପରି ମନେହୁଏ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ ଦଳ ବିଜେଡି ବିରୁଦ୍ଧରେ ପୁଳାପୁଳା ଅଭିଯୋଗ ଆଣି ଶାସକକୁ ଅସ୍ଥିର କରି ପକାଉଥିଲା ସେ ଦଳ ଏବେ ପୁରା ନିରବ।
କେଉଁ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ଏହି ଦଳ ନିରବ ସେକଥା କିନ୍ତୁ ରାଜ୍ୟବାସୀ ଜାଣି ପାରୁ ନାହାଁନ୍ତି। ବିଜେଡି ପାଖରେ ପୁରା ଶରଣାପନ୍ନ ଏହି ଦଳ ଆପାତଃତ ୨୦୨୩ ମସିହା ପୂର୍ବରୁ ପାଟି ଖୋଲିବ କି ନାହିଁ ସନ୍ଦେହ। ନିର୍ବାଚନ ରାଜନୀତିରେ ସଂଖ୍ୟା ଗଣିତ କେତବେଳେ କାହାକୁ କେଉଁଠି ବସାଇ ଥାଏ ସେକଥା କହିବା ମୁସ୍କିଲ ହେଲେ ଓଡିଶାର ରାଜନୈତିକ ଚିତ୍ର ଚରିତ୍ର ଯାହା କହୁଛି ଏବେ ଜଣେ ଶରଣାପନ୍ନ ଆଉ ଜଣେ ଶୟନ ମୁଦ୍ରାରେ ।
-ବିରଞ୍ଚି ନାରାୟଣ ଦାସ