ମହମ୍ମଦ କୁ ଭାରି ଭଲ ଲାଗେ ତା ଜେଜେ ଙ୍କ କଥା। ଇଶ୍ୱରଙ୍କ କଥା ଭଲ ନ ଲାଗିବ ବା କେମିତି ? ବେଳେ ବେଳେ ସେ ପୁରାଣ କଥା ଏମିତି ଖୋଳି ଖୋଳି ପଚାରେ ଯେ ବ୍ୟସ୍ତ ହୋଇ ଯାଆନ୍ତି ଇସମାଇଲ।ଦଶ ବରଷ ର ପିଲା କୁ ବୁଝେଇବା ମୁସ୍କିଲ ହୋଇଗଲା ପରେ ବାହାନା କରି ବାହାରକୁ ପଳେଇ ଯାଆନ୍ତି ସେ । ଦୁନିଆଁ ରେ ଧର୍ମକୁ ନେଇ,ଜାତି କୁ ନେଇ କେତେ କେତେ ବିଭେଦ, ମନାନ୍ତର, ମତାନ୍ତର ସେ ଦେଖିଛନ୍ତି। ହେଲେ କେବେ ସେ ଧର୍ମ କୁ ନେଇ ଝଗଡ଼ା କରି ନାହାନ୍ତି। ସେ ଯେତିକି ଆଲ୍ଲାଙ୍କୁ ଭକ୍ତି କରନ୍ତି ସେତିକି ଇଶ୍ୱରଙ୍କୁ ମଧ୍ୟ। ତାଙ୍କ ମୁସଲମାନ ବହୁଳ ଗାଁ ରେ ସେଥିପାଇଁ ତାଙ୍କ ର ଯେତିକି ସମ୍ମାନ, ପାଖ ହିନ୍ଦୁ ଗ୍ରାମ ରେ ମଧ୍ୟ ତତୋଧିକ ଆଦର। କୌଣସି ବିବାଦ ପାଇଁ ହିନ୍ଦୁ ମୁସଲମାନ ନିର୍ବିଶେଷରେ ଖୋଜାପଡନ୍ତି ଇସମାଇଲ। ବୟସ ଅଶୀ ଟପିଲାଣି ହେଲେ ତେଜ କମିନି ଶରୀରରୁ। ବୁଢ଼ା ଙ୍କ ର ଜିଗିର ଦୋସ୍ତ ହରି, ଗୋବିନ୍ଦ, ସୁଧାକର ।ଏ ବୁଢ଼ା ମାନେ ଏକାଠି ଯୋଉ ସଭା ରେ ବସିବେ ଲାଗେ ଯେମିତି ସୁପ୍ରିମକୋର୍ଟ ର ଫୁଲ ବେଚଂ ବସିଛି ! ସମସ୍ତେ ମାନନ୍ତି ତାଙ୍କୁ।ମାନିବେନି କେମିତି ? ଏମାନେ ସବୁବେଳେ ନ୍ୟାୟ ହିଁ କରିଥାନ୍ତି। ଗାଁ ର ଝଗଡ଼ା ଝାଟି ଗାଁ ରେ ହିଁ ତୁଟୁଥିଲା। ହିନ୍ଦୁ ମାନଙ୍କର ଦୋଳ,ହୋଲି, ଗଣେଶ ପୂଜା, ଦୁର୍ଗା ପୂଜା,କାଳୀ ପୂଜା ଇତ୍ୟାଦି ରେ ଇସମାଇଲ ଓ ଅନ୍ୟ ମୁସଲମାନ ଭାଇ ମାନେ ଉପସ୍ଥିତ ରହିବାଟା ସାରା। ସେମିତି ଇଦ୍,ବକ୍ରିଇଦ୍, ଇଜ୍ତମା ଇତ୍ୟାଦି ରେ ମିଳେ ହିନ୍ଦୁ ଙ୍କ ର ସହଯୋଗ।ମୋଟ ଉପରେ ସ୍ନେହ ମମତା ରେ ପ୍ରତ୍ୟେକ ଚଳୁଥିଲେ। ଇସମାଇଲ ଙ୍କ ବାପା ଚପଲ ଦୋକାନ କରିଥିଲେ। ସେ ବି ଭାରି ଧାର୍ମିକ ଥିଲେ। ସେ ମକ୍କା ମଧ୍ୟ ଯାଇ ବେଶ ସୁନାମ ଅର୍ଜନ କରିଥିଲେ। ତେବେ ତାଙ୍କ ସମୟରୁ ହିଁ ହିନ୍ଦୁ ମୁସଲମାନ ଙ୍କ ମଧ୍ୟ ରେ ସୁ ସମ୍ପର୍କ ସ୍ଥାପିତ ହୋଇଥିଲା।

ବିବାହ ର ବହୁ ବର୍ଷ ପର୍ଯ୍ୟନ୍ତ ତାଙ୍କର ପିଲା ପିଲି ନ ହେବା ରୁ ସେ କୌଣସି ବର୍ଷ ଜଣେ ସହୃଦୟ ହିନ୍ଦୁ ବନ୍ଧୁ ଙ୍କ ପରାମର୍ଶ ରେ ରଥଯାତ୍ରା କୁ ଯାଇ ଠାକୁର ଙ୍କୁ ଗୁହାରି କରିଥିଲେ। ଯାହାର ଫଳ ସ୍ୱରୂପ ତା ପର ବର୍ଷ ଇସମାଇଲ ଜନ୍ମ ହେବା ରୁ ତାଙ୍କ ର ବିଶ୍ୱାସ ଓ ଶ୍ରଦ୍ଧା ଆହୁରି ବଢିଗଲା। ମଲା ଯାଏ ସେ କୃତଜ୍ଞତା ଜ୍ଞାପନ କରିବାକୁ ପ୍ରତିବର୍ଷ ସେ ରଥ ନ ହେଲେ ବାହୁଡ଼ା ଯାତ୍ରା କୁ ଯିବା ନିଶ୍ଚିତ ଥିଲା। ଜୀବଦ୍ଦଶାରେ ସେ ଅନେକ ରୋଜଗାର କରିଛନ୍ତି,ଆଉ ଅନେକ ଙ୍କୁ ସାହାଯ୍ୟ ବି କରିଛନ୍ତି।
ଇସମାଇଲ ଙ୍କ ଘର ପଛ ପଟକୁ ବିରାଟ ଅଂଚଳ। କିଛି ଚାଷ ହୁଏ।ଆଉ କିଛି ଜଂଗଲର ଭ୍ରମ ସୃଷ୍ଟି କରେ। ଜଙ୍ଗଲ କୁ ଛାଡି କିଛି ଦୂରରେ ହିନ୍ଦୁ ମାନଙ୍କର ମଶାଣି ପାଇଁ କିଛି ଜାଗା ଛାଡି ଦେଇଥିଲେ ବାପା। ଅନେକ ସମୟରେ ଇସମାଇଲ କୁ ଧରି ବାପା ସେହି ଛୋଟ ଜଂଗଲ କୁ ବୁଲି ଆସିଲେ ଗୋଟିଏ ଗଛ ପାଖରେ ଅଟକି ଯାଆନ୍ତି। ଇସମାଇଲ ଦେଖେ ଗଛ ମୂଳଟି ଭାରି ପରିସ୍କାର ପରିଚ୍ଛନ୍ନ। ବାପା ସେଇଠି ତାକୁ ଧରି ବସନ୍ତି। କହନ୍ତି ସେ ଗଛର କାହାଣୀ।ସେ ଯୋଉ ବର୍ଷ ପ୍ରଥମ କରି ରଥ ଦେଖିବାକୁ ଯାଇଥିଲେ ରଥରେ କାଳିଆ ଠାକୁର ଙ୍କୁ ଦେଖି ବିଭୋର ହୋଇ ଯାଇଥିଲେ। ନିଃସନ୍ତାନ ଥିବାରୁ ଗୁହାରି ସିନା କଲେ ପିଲାଟିଏ ପାଇଁ, ହେଲେ କାଳିଆ ସାଆନ୍ତ ଙ୍କ ରଗାଂଅଧର ତାଙ୍କୁ ବିମୋହିତ କରିଥିଲା। ସେଇଠୁ ଫେରିବା ବେଳେ କିଛି ଲୋକ ବିଭିନ୍ନ ଗଛର ଚାରା ବାଣ୍ଟୁଥିବାର ଦେଖି ସେ ପାଖକୁ ଯାଆନ୍ତେ କାହୁଁ ଆସି ଜଣେ କାଳିଆ ମଚମଚ ପିଲାଟିଏ ନିମ୍ବ ଗଛ ଟିଏ ଧରେଇ ଦେଇ ଗଲା।ଗଲା ବେଳେ କହିଗଲା “”ୟାର ଭଲରେ ଯତ୍ନ ନେବ, ଦିନେ ମତେ ଫେରେଇବ !”
ତା କଥା ବୁଝି ନ ପାରିଲେ ବି ଗଛଟିକୁ ଆଣି ଆଗ୍ରହ ରେ ପୋତିଦେଲେ ବାଡ଼ିରେ। ତା’ର ଯତ୍ନ ନେଲେ। ପରବର୍ଷ କୁ ଜନ୍ମ ହେଲେ ଇସମାଇଲ। ବାପା କହନ୍ତି “ଏ ଗଛ ଟି ଆମ ସୌଭାଗ୍ୟ ର ପ୍ରତୀକ। ଗଛ ପରେ ତୂ ଆଉ ତୋ ପରେ ଉନ୍ନତି।” ଶେଷ ପର୍ଯ୍ୟନ୍ତ ବାପା କହୁଥିଲେ
“ଏ ଗଛଟି ତୁ ଓ ତୋ ପରେ ତୋ ପିଲା ମାନେ ଯେପରି ଯତ୍ନ ନେବେ ଦେଖିବୁ।”
ଇସମାଇଲ ବାପା ଙ୍କ କଥା ମାନି ଆସିଛନ୍ତି। ଅବଶ୍ୟ ଏଥିପାଇଁ ତାଙ୍କୁ କମ୍ ମୂଲ୍ୟ ଦେବାକୁ ପଡ଼ିନାହିଁ। ଇସମାଇଲ ଙ୍କ ର ଗୋଟିଏ ବୋଲି ପୁଅ ମୋଇନ,ଦୁବାଇ ପଳେଇଲା ଚାକିରି କରିବାପାଇଁ। ପାରମ୍ପରିକ ଚପଲ ବେପାର ତା ମନକୁ ଗଲାନି। ସିଆଡେ କୁସଂଗ ରେ ପଡ଼ି ନଷ୍ଟ ହେଲା।ନିଜ ଇଛାରେ ବିବାହ କଲା। କିନ୍ତୁ ସବୁଠାରୁ ବେଶୀ କଷ୍ଟ ହେଲା ଯୋଉଦିନ ହିନ୍ଦୁ ମୁସଲମାନ ମଧ୍ୟରେ ବିଭେଦ କଥା ସେ କହିଲା। ଦୁଷ୍ଟ ସାଂଗ ମାନଙ୍କ ସହ ମିଶି ବର୍ଷ ବର୍ଷ ର ଭାଇଚାରା କୁ ନଷ୍ଟ କରିବାକୁ ବସିଲା। ତା ପାଇଁ ମନ କଷ୍ଟ ହେଲେ ଇସମାଇଲ ପଳାନ୍ତି ନିମ୍ବ ଗଛ ପାଖକୁ। ମନେ ମନେ କଥା ହୁଅନ୍ତି ଗଛ ସାଂଗ ରେ। ଲାଗେ ଯେମିତି ଗଛ ତାଙ୍କ କଥା ଶୁଣୁଛି ! ଗଛର ଡାଳ ନଇଁ ଆସି ଆଉଁସି ପକାଏ ତାଙ୍କ ମୁଣ୍ଡକୁ। ତାଙ୍କ ମନକୁ ଶାନ୍ତି ମିଳିଥାଏ ସେଇଠି।ସେ ଅନୁଭବ କରନ୍ତି କିଛି ବି ସମସ୍ୟା ହେଲେ, ଦୁଃଖ ହେଲେ ସେ ଗଛ ମୂଳକୁ ଆସିଲେ ଯେମିତି ସବୁ ସମାଧାନ ହୋଇଯାଉଛି। ଗଛ ଠାରୁ କିଛି ଦୂରରେ ଉଇ ହୁଙ୍କା ଟିଏ ସତେ ଯେମିତି ମନ୍ଦିର ର ଭ୍ରମ ସୃଷ୍ଟି କରୁଛି। କେମିତି ଗୋଟେ ଅଦ୍ଭୂତ ବାସ୍ନା ରେ ମହକି ଯାଏ ସ୍ଥାନ ଟି। ଗଛ ଟିକୁ ପ୍ରତ୍ୟେକ ଦିନ ଦୀର୍ଘ ସମୟ ଦେଖିବାକୁ ତାଙ୍କୁ ଭାରି ଖୁସି ଲାଗେ। ହରି,ଗୋବିନ୍ଦ ହେରିକା ଆସିଲେ ସେ ଗଛ ମୂଳରେ ତାସ ଖେଳ ବି ଜମିଯାଏ।
ଅଥଚ ସେଇ ଗଛକୁ ନେଇ ପୁଅ ମୋଇନ୍ ଆରମ୍ଭ କରିଦେଲା ନାଟ।ସେ ଗଛ ଟାକୁ କାଟି ସେଠାରେ କ’ଣ ଗୋଟେ ଫାର୍ମ କରିବ। ଉଦ୍ଦେଶ୍ୟ ବାପା ଙ୍କୁ ଭଲ ଲାଗୁଥିବା ଏ ହିନ୍ଦୁ ଗଛ ଟାକୁ ସଫା କରିବା। ଦୁଷ୍ଟ ସାଂଗ ବି ଉସକେଇଲେ। ବାପା ବହୁତ ବୁଝେଇଲେ। ଜେଜେଙ୍କ କଥା କହି ତା ମତ ପରିବର୍ତ୍ତନ ପାଇଁ ଚେଷ୍ଟା କଲେ। ସେ କିନ୍ତୁ ବୁଝିବାକୁ ନାରାଜ।ଶେଷରେ ନିରାଶ ହୋଇ ଗଛ କଟା ପୂର୍ବ ଦିନ ଉପବାସ ରେ ସେ ଗଛ ମୂଳେ ବିତାଇଲେ ଇସମାଇଲ। ଲୋକ ବାକ ଆସି ଗଛ ଟାକୁ କାଟିବା ପ୍ରୟାସ ଦେଖି ରାଗ ଅଭିମାନ ରେ ସେ ଆର ସାହି ଗୋବିନ୍ଦ ଘର ଆଡେ ଯାଇଛନ୍ତି କି ନାହିଁ ଦାରୁଣ ଖବର ପାଇ ଘରକୁ ଧାଇଁଲେ। ଗଛ ମୂଳେ ମୋଇନ ଚାରିକାତ ମେଲି ପଡ଼ିଛି। ଲୋକଗୁଡା କିଏ କୁଆଡେ ଛତ୍ରଛାଡ ହୋଇ ପଳେଇଛନ୍ତି। ସ୍ତ୍ରୀ ଓ ବୋହୂ ମୋଇନ କୁ ଘେରି ବସି କାନ୍ଦୁଛନ୍ତି।ଗଛ କଟା ଆରମ୍ଭ ବେଳକୁ ଗୋଟେ ନାଗସାପ ହଠାତ୍ ବାହାରି ଦଂଶନ କଲା ମୋଇନ କୁ। ଲୋକଗୁଡା ତାକୁ ଉଦ୍ଧାର କରିବେ କ’ଣ ଭୟ ଓ ବିକଳ ରେ ଡିଆଁ ମାରି ଛୁ। ଇସମାଇଲ ପୁଅକୁ ନେଇ ଗଲେ ଡାକ୍ତରଖାନା। ହେଲେ ବଚେଂଇବା ସମ୍ଭବ ହେଲାନି। ସେଇ କଥା କୁହନ୍ତି ନାତି କୁ। ଜୀବନର ଅନୁଭବ, ଅଭିଜ୍ଞତା ସଂପର୍କରେ ନାତି କି ଧରି ଇସମାଇଲ ଗଛ ମୂଳେ ଗପନ୍ତି। କେତେ ପୁରାଣ କଥା କହନ୍ତି। ପିଲାଟି ମଧ୍ୟ ଆଗ୍ରହ ରେ ଶୁଣେ ସବୁ।
ସେଦିନ ସକାଳୁ କିନ୍ତୁ ଭିନ୍ନ ପରିବେଶ ହୋଇ ଗଲା ଗାଁ ଟି।ଘଣ୍ଟ, ଘଣ୍ଟା,କାହାଳୀ ଧ୍ୱନି ରେ ପ୍ରକମ୍ପିତ ହୋଇ ଗଲା ଇସମାଇଲ ଙ୍କ ସେଇ ନିମ୍ବ ଗଛ ମୂଳ। ଦଇତାପତି ଙ୍କୁ ସ୍ୱପ୍ନାଦେଶ ହୋଇଛି ଇସମାଇଲ ବାଡ଼ିର ନିମ୍ବ ଗଛ ଟି ଜଗନ୍ନାଥଙ୍କ ନବକଳେବର ଦାରୁ ହେବ ବୋଲି ! ଦାରୁ ଖୋଜା ଦଳ ମଧ୍ୟ ଅନୁଧ୍ୟାନ କଲେ। ବହୁ ପୁରୁଣା ଗଛକୁ। ଗଛ ନିକଟରେ ହୂଙ୍କା, ହୁଙ୍କା ରେ ସାପ, ବିନା ଚଢ଼େଇ ବସାର ଗଛ, ନିକଟରେ ମଶାଣି, ଗଛରେ ଦିବ୍ୟ ଚିହ୍ନ । ବାଃ ମନ ଲାଖି ଦାରୁ ଟି ଏ ଦାରୁ ଦେବତା ଙ୍କ ପାଇଁ। କଥା ଟା ଶୁଣୁ ଶୁଣୁ ଚେତା ହରେଇ ଲେ ଇସମାଇଲ। ଖୁସି, ଦୁଃଖ, ହସ, ଲୁହର ଫେଣ୍ଟାଫେଣ୍ଟି ଭାବ ନେଇ ସେ ପାଗଳଙ୍କ ଭଳି ଖାଲି କୁଣ୍ଢେଇ ଧରୁଥାନ୍ତି ତାଙ୍କ ପ୍ରିୟ ଗଛଟି କୁ। ଆଖି ରୁ ଝରି ଯାଉଥାଏ ଧାର ଧାର ଲୁହ।
ପ୍ରହଲ୍ଲାଦ କୁ ହିରଣ୍ୟକଶିପୁ ପଚାରିଥିଲା କହୁଛୁ ତ ଇଶ୍ୱର ସବୁଠିଁ ଅଛନ୍ତି। କ’ଣ ଏ ଖୁମ୍ବ ରେ ଅଛନ୍ତି ତୋ ଠାକୁର ? ହାତ ଯୋଡ଼ି ପ୍ରହଲ୍ଲାଦ ଇଶ୍ୱରଙ୍କ ସ୍ତୁତି କରି ସମ୍ମତି ଦେଇଥିଲା ହଁ ୟା ଭିତରେ ବି ଇଶ୍ୱର ବିଦ୍ୟମାନ। ମୋଇନ ବୁଝି ପାରିଲା ନାହିଁ ଏଇ ଦାରୁ ଦେବତା ଙ୍କୁ।ଏଇ ଗଛଟିରେ ତ ଇଶ୍ୱର ରହିଥିଲେ। ଅସୁର ବୁଦ୍ଧିରେ ସେ ଦ୍ରୋହ କଲା, ଗୁରୁ,ଗୁରୁଜନ ଙ୍କୁ ଅବମାନନା କଲା।ହିରଣ୍ୟକଶିପୁ ଭଳି ତାକୁ ବି ନାଶ କଲେ ଇଶ୍ୱର ସର୍ପ ରୂପ ରେ । ସେଥିପାଇଁ ଇସମାଇଲ କେବେ ଅନୁଶୋଚନା କରିନଥିଲେ। ବରଂ ତା ନାତି ଭିତରେ ପ୍ରହଲ୍ଲାଦ ର ଭାବ ଦେଖି ଉଲ୍ଲସିତ ହୋଇଛନ୍ତି। ଶ୍ରୀମନ୍ଦିର ରୁ ସ୍ୱତନ୍ତ୍ର ଭାବରେ ଆସିଥିବା ପାଟକୁ ଦଇତା ବାନ୍ଧି ଦେଲେ ଇସମାଇଲ ମୁଣ୍ଡରେ। ହଜାର ହଜାର ଲୋକ ଙ୍କ ଜୟଧ୍ୱନୀ ରେ , ହରିବୋଲ ହୁଳହୁଳି ଧ୍ୱନୀରେ କମ୍ପି ଉଠୁଥିଲା ସେ ପବିତ୍ର ସ୍ଥଳ। ଗାଁ ଲୋକେ ତ କୁଣ୍ଢେଇ ଧରି କହୁଥାନ୍ତି ଇସମାଇଲ ଏ ଯୁଗର ସାଲବେଗ !ତା ପାଇଁ ଏ ଗାଁ ଧନ୍ୟ ହୋଇଗଲା! ଦଶ ବରଷ ର ନାତିକୁ ଧରି ଇସମାଇଲ କମ୍ପିତ ସ୍ୱରରେ କହୁଥାନ୍ତି
“ଦେଖରେ ଧନ ଏ କାଳିଆ ଠାକୁର ର କି ଲୀଳା ! ମୋ ପୁଅ କୁ ସିନା ଛଡେଇ ନେଲା,ହେଲେ ଯୋଉ ସମ୍ମାନ ଆଜି ଅଜାଡ଼ି ଦେଲା ମୋ ମୁଣ୍ଡ ରେ ତାହା ଯୁଗ ଯୁଗ ପାଇଁ ମୋ ପରିବାର କୁ ମହାନ କରିଦେଲା, ଇତିହାସ ପାଲଟି ଗଲା। ଆରେ ଏ ଏମିତି ହଟିଆ ଟିଏ ମାଗିଲେ କିଛି ଦିଏନି ହେଲେ ଯାଚିକି ଅଜାଡ଼ି ଦିଏ ଅନେକ କିଛି। ”
ଗଛ କଟା ଠାରୁ ପୁରୀ ଯିବା ଯାଏଁ ବୁଢ଼ା ଙ୍କ ଆଖିରୁ ଲୁହ ଶୁଖିନି। ପୁଅ କୁ ହରେଇ ଥିଲା ବେଳେ ସେ ଏତେ ଦୁଃଖି ହୋଇ ନ ଥିଲେ, ଏତେ କାନ୍ଦି ନ ଥିଲେ ଯେତେ ଏ ଗଛଟି ପାଇଁ କାନ୍ଦୁଛନ୍ତି। ଜନ୍ମ ଆଗରୁ ବାପା ଲଗେଇ ଥିଲେ। ବଡ଼ ହେଲା ପରେ ତା ସହିତ ଏମିତି ଦୋସ୍ତି ହୋଇଗଲା ଯେ ନିଜ ହୃଦୟ ଯେମିତି ଗଛ ସହ ମିଶି ଏକାକାର ହୋଇଯାଇଥିଲା। ହେଲେ ଆଜି ସେ ନିଶ୍ୱ କରି ସବୁ ଦିନ ପାଇଁ ଚାଲିଗଲା।
ନବକଳେବର କୁ ସ୍ୱତନ୍ତ୍ର ଆମନ୍ତ୍ରଣ ପାଇ କେବଳ ଇସମାଇଲ ନୁହେଁ ତାଙ୍କ ପରିବାର ଓ ଗ୍ରାମ ଲୋକ ମଧ୍ୟ ଗଲେ। ଇସମାଇଲ ଦେଖିଲେ ଜଗନ୍ନାଥଙ୍କ ର ଅପୂର୍ବ ସେ ମୂର୍ତ୍ତି, ସେ ପହଣ୍ଡି,ମଥାରେ ଟାହିଆ, ଆଃ କି ସୁନ୍ଦର ବେଶ ! ସମସ୍ତେ ଦେଖି କୃତ କୃତ ହେଉ ଥିବା ବେଳେ ଇସମାଇଲ କିନ୍ତୁ ଦେଖୁଥିଲେ ସେଇ ପ୍ରଚଣ୍ଡ ନିମ୍ବ ଗଛ,ତା ଘଂଚ ଛାଇ,ସୁଲୁସୁଲିଆ ପବନ। ସେଇ ଗଛ ମୂଳେ ବସି ସେ ଚାହିଁଛନ୍ତି ଗଛର ଗଣ୍ଡିକୁ। ଦିବ୍ୟ ରୂପ ରେ ଉଭା ହେଲା କଳା ମଚମଚ ବାଳକ ଟିଏ। ଆଃ କି ମନଲୋଭା ହସ ତା’ର ! ପୀତ ବସନ ରେ ଆଛାଦିତ ଶରୀର, ମଥାରେ ମୟୂର ଚୂଳ, ହାତରେ ବଇଁଶି, ପାଦରେ କକ୍ୱଣ, ବକ୍ଷ ରେ କୌସ୍ଥୁଭ। ଚନ୍ଦନ, ତୁଳସୀ ର ମହ ମହ ବାସରେ କମ୍ପି ଉଠୁଛି ଚତୂର୍ଦିଗ। ମନ୍ଦ ମନ୍ଦ ହସି ସେ ଧରିଲା ଇସମାଇଲ ଙ୍କ ହାତ। ଗୋଟିଏ ଗୋଟିଏ କରି ପାଦ ଆଗକୁ ବଢୁଛି। ଇସମାଇଲ ଦେଖୁଛନ୍ତି ରଥ ଉପରକୁ ସେଇ କାଳିଆ ପିଲା ଟି ହାତ ଧରି ଟାଣି ନେଉଛି।
“ଆରେ ଆ। ମୋ ଭିତରେ ତୁ, ଆଉ ତୋ ଭିତରେ ମୁଁ ପରା କେବେଠାରୁ ରହିଛନ୍ତି ! ଜନ୍ମ ପରେ ଜନ୍ମ ଆମେ ଏମିତି ଭାବରେ ଥିବା ରେ।”
ଅବଶ ଲାଗୁଛି ଇସମାଇଲ ଙ୍କୁ। ଆଖି ଜାଲୁଜାଲୁଆ ଦିଶୁଛି। ଲାଗୁଛି ସେଇ ବିଶାଳ ନିମ୍ବ ଗଛ ର ବଡ଼ ଡାଳ ଟିଏ ତାଙ୍କ ଦେହରେ ଗୁଡେ଼ଇ ହୋଇ ତାଙ୍କୁ ଶୂନ୍ୟେ ଶୂନ୍ୟେ ଟେକି ନେଉଛି।ସେ ସେଇଠି ଲଥ କରି ବସିପଡିଲେ।ସାଥି ମାନେ ବିଚଳିତ ହୋଇ ଉଠେଇବା ବେଳକୁ ଜାଣିଲେ ଇସମାଇଲ ଆଉ ନାହାଁନ୍ତି। ସେ ପବିତ୍ର ଆତ୍ମା ର ଦିବ୍ୟ ଶରୀରକୁ ବୋହି ଆଣୁଥିବା ବେଳେ ଦେଖୁଥିଲେ କାଳିଆ ଠାକୁରଙ୍କ ସେହି ରହସ୍ୟମୟ ହସ କୁ।
++ ସନ୍ତୋଷ କୁମାର ସେଠୀ
ଯାଜପୁର।

Leave a Reply

Your email address will not be published. Required fields are marked *

You cannot copy content of this page