ଆଷାଢୀ: ସନ୍ତୋଷ କୁମାର ସେଠୀ
ଦୋରଗୁଡା ଗାଁ କୁ ଆସିବା ମୋର ଅନେକ ଥର ହେଲାଣି। ପାହାଡ଼ ପର୍ବତ ଘେରା ଆଦିବାସୀ ଗାଁ ଟିଏ। ଅନେକ ଶିଶୁ ଓ ମାଙ୍କର ମୃତ୍ୟୁ ଘଟିବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବା ପରେ ସରକାର, ପ୍ରଶାସନ ପଦକ୍ଷେପ ନେଇଥିଲେ। ୟୁନିସେଫ୍ ର ପ୍ରତିନିଧି ରୂପେ ମୁଁ ମଧ୍ୟ ସେଇ କାର୍ଯ୍ୟ ରେ ଯୋଗ ଦେଇଥିଲି। ବାସ୍ତବ ରେ ଗ୍ରାମଟି ପାହାଡ଼ ଉପରେ । ସେଠାକୁ ପହଁଚିବାକୁ ତୀଖ ପାହାଡି ରାସ୍ତା। ରାସ୍ତାତ ନୁହେଁ ସରୁଚଲା ପାହାଡ଼ିଆ ସର୍ପିଳ ପଥ। ଯାହା ଅତ୍ୟନ୍ତ କଷ୍ଟକର।
ଖବର ପ୍ରକାଶିତ ହେବା ପରେ ପ୍ରଥମଥର ଗଲା ବେଳେ ବହୁତ କଷ୍ଟ ହୋଇଥିଲା। ଆରମ୍ଭରୁ ଥିବା କିଛି ବନ୍ଧୁ ତ ମାତ୍ର ୨/୩ କିଲୋମିଟର ପାହାଡ଼ ଚଢି ଅସୁସ୍ଥ ହୋଇ ଫେରିଗଲେ। ଆମେ କେତେ ଜଣ ବହୁ କଷ୍ଟରେ ସେଠି ପହଞ୍ଚିଥିଲୁ। ଛାଡ ସେ ତ ସବୁ ଅତୀତ। ଏବେ ସେଠାକୁ ଗାଡ଼ି ଯିବା ରାସ୍ତା ବି ହେଲାଣି। ଗମନାଗମନ ର କଷ୍ଟ ଆଉ ବେଶି ନାହିଁ।
ମୁଁ ଏତେ ଥର ଏ ଗାଁକୁ ଆସିଛି ଯେ ପ୍ରତି ଘରର ଲୋକଙ୍କୁ ମଧ୍ୟ ନାମ ଅନୁସାରେ ଜାଣିବା ଆଉ ଅସୁବିଧା ନାହିଁ। ତେବେ ଏ ନୂଆ ଲୋକଟିକୁ ଦେଖି ଆଶ୍ଚର୍ଯ୍ୟ ହେଲି। ଜଙ୍ଗଲିକୁ ପଚାରିଲି” ଇଏ କିଏରେ ?”
“ତୁ ତ ୟା ଭିତରେ ଆସିନୁ ଚିହ୍ନିବୁ କେମିତି ? ଏ ପରା କାଠିଆ ର ତିରିଲା ଅଛି। ଗଲା ୩ ମାସ ତଳେ ବାହା ହେଇଛି। ବାହାଘର ମାସେ ପୁରିଲା ପରେ ଚଉଠି ଭୋଜି ବି ଦେଇଛି ରେ।” ସେମାନଙ୍କ ର କଥା ତୁ ତା ରେ ହିଁ।
ତାଙ୍କ ସାଂଗେ ମିଶି ଏହି ପାରମ୍ପରିକ ଆଦିବାସୀ ସଂପ୍ରଦାୟର ଅନେକ ପରମ୍ପରା ମୁଁ ଜାଣି ଗଲିଣି। ଏକେତ ସଚେତନତା ଅଭାବରୁ ସେମାନେ ବହୁତ କମ୍ ବୟସରୁ ବାହା ହୋଇ ପଡ଼ିଥାନ୍ତି। ସେଥିପାଇଁ ପ୍ରତ୍ୟେକ ଙ୍କ ଘରେ ୬/୭ ଛୁଆ । ଏପରିକି ଶାଶୁ ଓ ବୋହୁ ଏକ ସମୟରେ ମଧ୍ୟ ପିଲା ଜନ୍ମ ର ଅନେକ ଉଦାହରଣ ମୋ ଖାତା ରେ ଅଛି। ଖାଦ୍ୟ ରେ ମଧ୍ୟ ପନିପରିବା ଖାଇବା ଜାଣି ନାହାନ୍ତି। ସେଥିପାଇଁ ଅଧିକ ମୃତ୍ୟୁ ଅପପୃଷ୍ଟି ଜନିତ।
ସେମାନେ ସାଧାରଣ ବାହାଘର ଭଳି ଦେଖାଚାହାଁ କରି ପସନ୍ଦ ଅନୁସାରେ ବାହାହୋଇ ପାରନ୍ତି, ଜବରଦସ୍ତ ଉଠେଇ ଆଣି କିମ୍ବା ପର୍ବ ମାନଙ୍କ ରେ ସିନ୍ଦୂର ବୋଳି ବାହା ହୋଇ ପାରନ୍ତି। ବାହାଘର ସ୍ଥିର ହେଲା ପରେ ଉଭୟ ପକ୍ଷ ପରସ୍ପରର ଘରକୁ ଯିବା ଆସିବା ହୁଏ। ବାହାଘର ପୂର୍ବରୁ ପୁଅ ପକ୍ଷରୁ ୮/୧୦ ଲୋକ ଝିଅ ନିମନ୍ତ୍ରଣ ସହ ଝିଅକୁ ଆଣିବାକୁ ଯିବେ। ଏମାନେ ଝିଅକୁ ଧରି ଆସିବା ବେଳେ ଝିଅ ପକ୍ଷର ମଧ୍ୟ ଛାଡ଼ିବାକୁ ଆସିବେ। ବିଧି ଅନୁସାରେ ଦେହୁରୀ ବାହା କରିବା ପରେ ପୁଅ ଓ ଝିଅ ଅଲଗା ମାସେ ରହିବେ। ପୁଅ କୋଠଘରେ ରହି ମାସକ ପରେ ଘରକୁ ଫେରିଲେ ଚଉଠି ଭୋଜି ର ଆୟୋଜନ ହେବ।ସାହି ପଡିଶା ସମସ୍ତେ ଭୋଜି ଖାଇବେ, ହାଣ୍ଡିଆ ମହୁଲି ପିଇ ଖୁସି ମନେଇବେ। ସେବେଠାରୁ ନବ ଦମ୍ପତିଙ୍କ ନୂଆ ସଂସାର ଆରମ୍ଭ ହୁଏ।
ତାଙ୍କ ଘର ନିକଟକୁ ଗଲି। ଝିଅ ଟି ଦେଖିବାକୁ ଶ୍ୟାମଳ ରଂଗ ର ହେଲେ ବି ଗଢଣ ଟି ସୁନ୍ଦର ଥିଲା। କାଠିଆ ମୋତେ ଦେଖି ଜୁହାର ହେଲା ଓ ତା ଦେଖାଦେଖି ତା ସ୍ତ୍ରୀ ମଧ୍ୟ। ମୁଁ ଉଭୟଙ୍କୁ ଆଶୀର୍ବାଦ କଲି। ପଚାରିଲି
“କଣ ତା ନାଁ ରେ କାଠିଆ ?”
ଏମିତି ତାଙ୍କ ସ୍ତ୍ରୀ ଲୋକ ମାନେ ଆମ ମାନଙ୍କ ସହ କଥା ହେବାକୁ ଆଗ୍ରହୀ ହୁଅନ୍ତି ନାହିଁ। କିନ୍ତୁ ଝିଅ ଟି ସ୍ପଷ୍ଟ କଣ୍ଠ ରେ କହିଲା “ମୋ ନାଁ ଆଷାଢୀ ପଧାନ।”
ମୁଁ ଆଶ୍ଚର୍ଯ୍ୟ ହେଲି ଖୁସି ବି ଲାଗିଲା।
“ଆରେ ବାଃ ବଢିଆ ନାଁ ଟେ ତ !”
“ମୁଁ ଆଷାଢ଼ ମାସରେ ଜନ୍ମ ହୋଇଥିଲି ବୋଲି ମୋ ବାଆ ଏ ନାଁ ଟି ରଖିଛନ୍ତି।” ସେ ମାର୍ଜିତ କଣ୍ଠ ରେ କହିଲା। ମୁଁ ତା ପରିବାର ସଂପର୍କରେ ଜିଜ୍ଞାସା କଲି।
ପ୍ରକୃତ ରେ ଆଷାଢୀର ବାପ ଘର କେନ୍ଦୁଝର ରେ। ସେମାନେ ୫ ଭଉଣୀ ୪ ଭାଇ। ଆଷାଢୀ ଆଶ୍ରମ ସ୍କୁଲରେ ପଢୁଥିଲା। ଆଗକୁ ପଢ଼ିବାର ଇଛା ଥିଲା। ବୟସ ୧୫ ହେବାରୁ ବାପା ବୁଢ଼ୀ ହେଲେ କେହି ବାହା ହେବେନି ବୋଲି ବାହା କରେଇ ଦେଲା।
କିଏ ଗୋଟେ କାଠିଆକୁ ଡାକିଲା। ସେ ସେଆଡେ ଯାଉ ଯାଉ ମତେ କହିଲା “ତୁ କଥା ହଉଥା ବାବୁ ମୁଁ ଟିକେ ଆସୁଛି।”
ଆଷାଢୀ ତା ଭାଷାରେ କଣ ତାକୁ କହିଲା। କାଠିଆ ଲାଜ ଲାଜ ହୋଇ ମୁଣ୍ଡ ହଲେଇ ପ୍ରସ୍ଥାନ କଲା।
“ତୁ ତ କହୁଛୁ ଭଲ ପଢୁଥିଲୁ ବୋଲି ତୋ ବାପା କୁ ବୁଝେଇ ଆଉ ପଢି ଥାନ୍ତୁ , ଚାକିରି କରିଥାନ୍ତୁ ଆମରି ଭଳିଆ। ଦେଖ ତ ଆମ ସହ କେତେ ତିରିଲା ଅଫିସର, କର୍ମଚାରୀ ଆସିଛନ୍ତି।”
“ତିରିଲା ନୁହଁ ବାବୁ ମହିଳା ବା ଲେଡି ଅଫିସର ବା କର୍ମଚାରୀ ” ସେ ଉତ୍ତର କଲା।
“ହଁ ବାବୁ ମୋର ବି ଇଚ୍ଛା ଥିଲା। କିନ୍ତୁ ବାପା ଓ ସଂପ୍ରଦାୟର ଜୋର ଆଗରେ ମୁଁ ଅସହାୟ ହୋଇଗଲି। ମୋର ଅତି ପ୍ରିୟ ଶ୍ୟାମଳୀ ଦିଦି ମଧ୍ୟ ବାପା କୁ ବୁଝେଇଲେ, କିଛି ଲାଭ ହେଲାନାହିଁ। ବର୍ଷ ବର୍ଷ ଧରି ଯେଉଁ ବ୍ୟବସ୍ଥା ଚାଲି ଆସିଛି ତାହା ବଦଳିବା ଏତେ ସହଜ ନୁହେଁ।”
ମୁଁ ମୁଣ୍ଡ ଟୁଙ୍ଗାରିଲି। ସେ କିନ୍ତୁ ଚକିତ କଲା ମତେ ।
“ଅସମ୍ଭବ ମଧ୍ୟ ନୁହେଁ।”
“ହେଲେ କିଏ ସମ୍ଭବ କରିବ” ମୁଁ ଉତ୍କଣ୍ଠା ର ସହ ପଚାରିଲି।
ସେ ଦୃଢ଼ ସ୍ବରରେ କହିଲା “ଆମରି ପିଢ଼ି ର ଉଦ୍ୟମ ହିଁ ଏହାକୁ ସମ୍ଭବ କରିବ ବାବୁ। ମୁଁ ଭଲ ପଢ଼ୁଥିଲି। ଶ୍ୟାମଳୀ ଦିଦି ମତେ ବହୁତ ଉପଦେଶ ଦେଇଛନ୍ତି। ଭାବୁଛି ଆପଣ ମାନଙ୍କ ର ସହଯୋଗ ରହିଲେ ଆମେ ନିଶ୍ଚିତ ପରିବର୍ତ୍ତନ କରିପାରିବୁ।”
ମତେ ଖୁସି ଲାଗିଲା। ସେ କହିଲା “ଆମେ ସମସ୍ତେ ଜାଣନ୍ତି କମ୍ ବୟସର ବିବାହ ବେଆଇନ । କିନ୍ତୁ ତାହା ହେଇଚାଲିଛି। ଏହାକୁ ସେତେବେଳେ ଅଟକାଇ ପାରିବା ଯେତେବେଳେ ଆମକୁ ନିଜ ଭିତରେ ସଚେତନ କରାଯାଇପାରିବ। ମୋ ସ୍ବାମୀ ଭଳି ସମସ୍ତେ ଏଠି ହାଣ୍ଡିଆ , ମହୁଲି ପିଅନ୍ତି ଯେଉଁଥି ପାଇଁ କମ ବୟସରେ ଅନେକ ମରି ବି ଯାଆନ୍ତି। ଅଖାଦ୍ୟ ଖାଇ ଓ ପୃଷ୍ଟି କର ଖାଦ୍ୟ ଅଭାବ ରୁ ରୋଗ ରେ ପଡନ୍ତି। ସେଥିପାଇଁ ମୋ ସ୍ୱାମୀ ଏଠୁ ଗଲାବେଳେ ନ ପିଇବାକୁ ମୁଁ ମନେକଲି। କିନ୍ତୁ ଏହା ସତ ସେ ନ ମାନି ପିଇକି ଆସିବେ। ଏହାକୁ ନିଶ୍ଚିତ ବଦଳେଇବା ବାବୁ।”
ତା ଦୃଢ଼ତା ରେ ମୁଁ ଖୁସି ହେଲି। ଧନ୍ୟବାଦ ଦେଲି ତା ଶ୍ୟାମଳୀ ଦିଦି କୁ ଯିଏ ଏତେ ସଂସ୍କାର ତାକୁ ଶିଖେଇଛନ୍ତି।
ୟା ଭିତରେ ଏ ଅଞ୍ଚଳର ଅବସ୍ଥା ରେ ସୁଧାର କୁ ଦେଖି ମୋର ଅନ୍ୟତ୍ର କାର୍ଯ୍ୟ ଲାଗିଗଲା। ବିବିଧ କାର୍ଯ୍ୟ ଚାପରେ ମୋ ମାନସ ପଟରୁ ଦୋରଗୁଡା ଗାଁ ଅସ୍ପଷ୍ଟ, ଅଦୃଶ୍ୟ ହୋଇଗଲା।
ଅନେକ ବର୍ଷ ପରେ ମୋର ଜଣେ ସାଙ୍ଗ ର ପୁଅ ମାନବ ସେଠାରେ ବିଡ଼ିଓ ଭାବେ ଯୋଗ ଦେବା ପରେ ହଠାତ୍ ତା ଫୋନ୍ ପାଇ ମୁଁ ପୁରୁଣା ସ୍ମୃତି ର ରୋମଥ୍ଥନ କଲି। ମୋ ଡାଏରୀ ଖୋଲି ଅତୀତ ଖୋଜିବା ବେଳେ ଆଷାଢୀର ନାମ ଟି ଜୀବନ୍ତ ହୋଇ ଉଠିଲା। ମାନବ କହିଲା ସେ ଗାଁ ର ସରପଞ୍ଚ ତାକୁ ଜାଣିଛନ୍ତି ଓ ଗୋଟେ ମିଟିଂ ରେ ସେ ଆପଣଙ୍କ ନାମ ନେଇ ପ୍ରଶଂସା କଲାବେଳେ ମୋତେ ଖୁସି ଲାଗିଲା। ଆପଣଙ୍କୁ ଅନୁରୋଧ ଥରେ ଆପଣଙ୍କ ପୁରୁଣା ଯାଗା ବୁଲି ଆସନ୍ତୁ। ଆପଣ ଖୁସି ହେବେ ସେମାନେ ବି।
ସବୁ କାମ ପଛରେ ପକାଇ ମୁଁ ତା ପରଦିନ ହିଁ ଦୋରଗୁଡାରେ ପହଂଚି ଗଲି। ଏତେ ବର୍ଷ ପରେ ସେ ଅଂଚଳ ର ଅଦ୍ଭୁତପୂର୍ବ ବିକାଶ ଦେଖି ଖୁସି ଲାଗିଲା। ସବୁ ଠାରୁ ବେଶୀ ଖୁସି ଲାଗିଲା ଗ୍ରାମ ର ପ୍ରବେଶ ପଥରେ ଆଷାଢୀ ପଡା ବୋଲି ଗ୍ରାମର ନାମ ଲେଖା ବିଶାଳ କଂକ୍ରିଟ ତୋରଣ ଦେଖି। ଯା ହେଉ ଆଷାଢୀ ତା ନିଷ୍ଠା ବଳରେ ସଫଳ ହୋଇଛି। ତା କଥା ରଖିଛି। ଗ୍ରାମବାସୀ ତା ନାଁ ରେ ଗ୍ରାମ ର ନାମକରଣ କରି ସେମାନଙ୍କ କୃତଜ୍ଞତା ଜଣାଇଛନ୍ତି।
ଗ୍ରାମବାସୀ ଯେଉଁ ମାନେ ଅନେକ ମୋତେ ମନେ ରଖିଥିଲେ ସେମାନେ ମତେ ଦେଖି ଖୁସି ହେଲେ। କହିଲେ ପ୍ରଥମେ ପ୍ରଥମେ ଆଷାଢୀ ର ସଂସ୍କାର ମୂଳକ କଥାକୁ ତ ଅନେକ ବିରୋଧ କରୁଥିଲେ। ସେ କିନ୍ତୁ ସ୍ଥିତପ୍ରଜ୍ଞ ଭଳି ତା କର୍ମ ରେ ଅଟଳ ଥିଲା। କାଠିଆ କୁ ପ୍ରଥମେ ବୁଝାଇ ସଫଳ ହେବା ପରେ ସେ ଆଉ ପଛକୁ ଚାହିଁନି। ତା’ର ଦୁଇଟି ପୁଅ ଜଣେ ଗ୍ରାମର ପ୍ରଥମ ଡାକ୍ତର ଓ ଅନ୍ୟ ଜଣେ ଗ୍ରାମର ପ୍ରଥମ ଲେକଚରର୍। ସେମାନେ ସବୁ ବେଳେ ଗ୍ରାମ ର ମଂଗଳ ରେ ସହାୟକ ହୋଇଛନ୍ତି। ତାଙ୍କ ପରେ ଆହୁରି ଅନେକ ଚାକିରି, ବ୍ୟବସାୟ କରୁଛନ୍ତି। ଗ୍ରାମ ଟି ରେ ବର୍ତ୍ତମାନ କେହି ଜଣେ ବି ନିରକ୍ଷର ନାହାନ୍ତି।ମଦ ତ ସଂପୂର୍ଣ୍ଣ ବନ୍ଦ। ଆଷାଢୀ ଦୁଇଥର ସରପଞ୍ଚ ଥିଲା। ଏବେ କାଠିଆ ନୂଆ ସରପଞ୍ଚ ହେଇଛି।
ମୋ ଆଖିରେ ପଡୁଥିଲା ତକଚକ୍ ଓସାରିଆ ରାସ୍ତା, ସୁନ୍ଦର ଛାତ ଘର, ଅଙ୍ଗନବାଡ଼ି କେନ୍ଦ୍ର, ଚିକିତ୍ସା ଗୃହ, ବିଦ୍ୟାଳୟ। ବାସ୍ତବ ରେ ଗୋଟେ ଆଦର୍ଶ ଗ୍ରାମ ର ସୁନ୍ଦର ନମୁନା। ମନେ ପଡ଼ୁଥିଲା ସେମାନଙ୍କୁ ଲାଟିନ କରି ଦେବା ପରେ ତାହାକୁ ସେମାନେ ବ୍ୟବହାର ନ କରି କିପରି ଛେଳି, ମେଣ୍ଢା, କୁକୁଡ଼ା ବା ଜାଳ କୁଟା ରଖୁଥିଲେ। ଅଥଚ ଆଜି ସେଗୁଡିକ କେତେ ପରିସ୍କାର ପରିଛନ୍ନ। ଏ ବିପୁଳ ସଫଳତା ମୋତେ ଆନନ୍ଦ ଦେଉଥିଲା ସତ ହେଲେ ଆଖି ଖୋଜୁଥିଲା ମୋ ପ୍ରିୟ ନାୟିକା ଆଷାଢୀ କୁ। ସିଏ ହିଁ ତ ଏହାର ମୁଖ୍ୟ କର୍ଣ୍ଣଧାର। ସରକାର, ପ୍ରଶାସନ ବା ୟୁନିସେଫ ସବୁ ଯୋଗେଇ ଦେଇ ପାରିଥାଏ ସତ ହେଲେ ତାହାକୁ କାର୍ଯ୍ୟକାରୀ କରେଇଛି ଆଷାଢୀ। ତାହାର ଉଦ୍ୟମ ର ତ ଫଳ ଇଏ।ମୋ ଉତ୍ସୁକତାକୁ ପରିପ୍ରକାଶ କରିବାକୁ ମୋତେ ଲାଜ ଲାଗୁଥିଲା। କିଏ କଣ ଭାବିବ ଆଷାଢୀ ସଂପର୍କରେ ପଚାରିଲେ !
କାରଣ ସେମାନେ ତ ସବୁ ଶ୍ରେୟ ତାକୁ ହିଁ ଦେଉଛନ୍ତି।
ବିଡିଓଙ୍କ ସହ ମତେ ଗୋଟେ ପଟୁଆର ରେ ତାଙ୍କ କ୍ଲବ ବା କମ୍ୟୁନିଟି ଘର କୁ ନିଆଗଲା।
ପ୍ରକୃତ ରେ ମତେ ସେଇଠି ଅପେକ୍ଷା କରିଥିଲା ବିସ୍ମୟ। ଯାହାକୁ ଖୋଜି ମୋ ଅନ୍ତର ଆକୁଳ ଓ ଆନ୍ଦୋଳିତ ହୋଇ ଉଠିଥିଲା, ଯାହାକୁ ଦେଖିବି ବୋଲି ମୁଁ କାଲି ରାତିସାରା ନ ଶୋଇ ତିନି ଶହ କିଲୋମିଟର ଧାଇଁ ଆସି ଥିଲି,
ଯିଏ ଏତେ ସବୁ ସଫଳତା ର ପ୍ରଛଦପଟ ନାୟିକା ତା ସହ ଦେଖା ହେଲା। ହେଲେ ଏପରି ଭାବରେ ଦେଖାହେବ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି। ସେ ମୋତେ ଦେଖି ହସିଲା। ଖାଲି ମୋତେ ନୁହେଁ ସମସ୍ତ ଙ୍କୁ ଚାହିଁ ହସିଲା। ତା ହସ ଲିଭିବାର ନ ଥିଲା। ମୁଁ ମୋ ବିଭାଗ କାର୍ଯ୍ୟ ରେ ଅନେକ ସ୍ଥାନରେ କାମ କରିଛି। ହେଲେ ଏପରି ପ୍ରତିବଦ୍ଧତା ପୂର୍ଣ୍ଣ ବ୍ୟକ୍ତିତ୍ଵ ଟି କୁ ଆଗରୁ ଦେଖି ନ ଥିଲି। ସେହି ଗହଳି ଭିତରୁ ମୋ କାନରେ ବାଜିଲା ସେ କହୁଛି ” କଣ କହୁଥିଲି ବାବୁ ଆମ ପରିବର୍ତ୍ତନ ଆମେ କରିବୁ ବୋଲି ନା। ଦେଖନ୍ତୁ ତ ଆଉ କୋଉ କାମ ବାକି ରହିଯାଇଛି କି ?”
ଖୁସି, ବିଷାଦ,ଅନୁଶୋଚନା,ଆବେଗ ଓ ଭଲପାଇବା ରେ ମୋ ହୃଦୟ ବିଗଳିତ ହୋଇଗଲା। ତା ଜୀବନ୍ତ ଲାଗୁଥିବା ପଥର ମୂର୍ତ୍ତି ରେ ଫୁଲ ମାଳଟି ଲମ୍ବେଇ ଦେଇ ଭୋ ଭୋ ହୋଇ କାନ୍ଦୁଥିଲି ମୁଁ। ମୋତେ ସାନ୍ତ୍ୱନା ଦେଇ କାଠିଆ କହୁଥିଲା ଗଲା ବର୍ଷ ହାର୍ଟ ଆଟାକରେ ଚାଲିଯାଇଛି ଆଷାଢୀ।