ବିଚିତ୍ର ବିଶ୍ବ :ଭାରତ ପରି ଏକ ସାହସୀ ଦେଶ ତାଇଓ୍ବାନ।
![](https://www.sanketkhabar.com/wp-content/uploads/2020/07/FB_IMG_1594085871948.jpg)
ଆଜି ଯେଉଁ ଦେଶ ବିଷୟରେ ଆଲୋଚନା କରିବା ସେହି ଦେଶର ଆମ ଦେଶ ସହ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ଦେଶର ଶତ୍ରୁତା ଚୀନ ସହ ଥିବା ବେଳେ ଏହି ଦେଶର ଲୋକମାନେ ଭାରତୀୟଙ୍କ ପରି ଖୁବ୍ ସାହସୀ। ଏସିଆ ମହାଦେଶର ଏହି ତିନି କୋଟି ଜନସଂଖ୍ୟା ବିଶିଷ୍ଟ ଦେଶଟି ହେଲା ତାଇଓ୍ବାନ। କେବେ କୌଣସି କଥାରେ ନାଁ କହିବାର ଦେଖା ଯାଏନା ଏହି ଦେଶବାସୀଙ୍କ ପାଖରେ। ଖୁବ୍ ସାହସୀ ଏହି ଦେଶବାସୀ କେବେବି ଚୀନର ବଶତା ସ୍ବିକାର କରିବାକୁ ପ୍ରସ୍ତୁତ ନୁହଁନ୍ତି।
ଗୋଟିଏ ଦେଶ, ହେଲେ ଦୁଇଟି ନିୟମ ଦୁଇଟି ପତାକା ଜବରଦସ୍ତ ଚୀନ ଏହି ଦେଶରେ ପ୍ରଚଳନ କରିବାକୁ ଚେଷ୍ଠା କରିଆସୁଛି। ତାଇଓ୍ବାନ ଲୋକମାନଙ୍କର ଗୋଟିଏ ଭଲ ଗୁଣ ହେଲା ସକାଳେ ପ୍ରତ୍ୟକ ଲୋକ ନିଜେ ଘରୁ ଅଳିଆ ଆଣି ଗାଡିରେ ପକାଇଥାନ୍ତି। ଏହି ଦେଶର ସମୁଦାୟ ଜନସଂଖ୍ୟାର ୮୪ ପ୍ରତିଶତ ତାଇଓ୍ବାନୀ ହୋଇଥିବା ବେଳେ ୧୪ ପ୍ରତିଶତ ଚୀନ ଓ ୨ ପ୍ରତିଶତ ଇଣ୍ଡୋନେସିଆନ ଅଟନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେଉଁ ୧୪ ପ୍ରତିଶତ ଚୀନ ଲୋକ ବାସ କରନ୍ତି ସେମାନେ ମଧ୍ୟ ଚୀନର ରାଜୁତି ଏହି ଦେଶରେ ହେଉ ବୋଲି ଚାହାଁନ୍ତି ନାହିଁ।
୯୦ ପ୍ରତିଶତ ଲୋକ ବୌଧ ଧର୍ମାବଲମ୍ବୀ ଏହି ଦେଶରେ ବାସ କରନ୍ତି। ତାଇଓ୍ବାନ ଏକ ପରିସ୍କାର ପରିଚ୍ଛନର ଦେଶ। ପର୍ତ୍ତୁଗୀଜ ମାନଙ୍କ ଦ୍ବାରା ୧୫୯୦ ଖ୍ରୀଷ୍ଟାବ୍ଦରେ ତାଇଓ୍ବାନ ବିଶ୍ବବାସୀଙ୍କ ନଜରକୁ ଆସିଥିଲା। କୁହାଯାଏ ଏହା ପୂର୍ବରୁ କାଳେ ଚୀନ ଏହାକୁ ପଙ୍କ କାଦୁଅର ଦେଶ ବୋଲି କହି ଧ୍ୟାନ ଦେଉନଥିଲା। ଆଜି ସମୟ ଚକ୍ରରେ ଚୀନ ଏହି ଦେଶର ଶକ୍ତି ସାମର୍ଥ୍ୟ ସ୍ବଚ୍ଛଳ ଅର୍ଥନୀତିକୁ ଦେଖି ଦଖଲ କରିବା ପାଇଁ ଖୁଵ୍ ମନ ବଳାଉଛି। ତାଇଓ୍ବାନ ଏକ ଭୁକମ୍ପପ୍ରବଣ ଦେଶ ଭାବରେ ମଧ୍ୟ ପରିଚିତ।
ବାହାରକୁ ଜଣା ପଡୁନଥିଲେବି ବର୍ଷରେ ବହୁ ହଜାର ଥର କ୍ଷୁଦ୍ର ଭୁକମ୍ପ ଏହି ଦେଶରେ ଅନୁଭବ ହୋଇଥାଏ। ଟାଇନାନ୍ ନାମକ ଏକ ପୁରାତନ ସହର ଏହି ଦେଶରେ ଅଛି ଯାହା ୧୫୯୦ ମସିହାରେ ପର୍ତ୍ତୁଗୀଜ ମାନଙ୍କ ଦ୍ବାରା ନିର୍ମାଣ ହୋଇଥିବାର ଚର୍ଚ୍ଚା ହୁଏ। ଏହି ଦେଶର ଲୋକମାନେ ଖୁବ୍ ସୌନ୍ଦର୍ଯ୍ୟ ପିପାସୁ। ଏଠାକାର ମହିଳାମାନେ ସୂର୍ଯ୍ୟଙ୍କ ସିଧା କିରଣ ମୁଖରେ ନପଡିବା ପାଇଁ ବର୍ଷସାରା ମାସ୍କ ବ୍ୟବହାର କରିଥାନ୍ତି। ତାଇଓ୍ବାନର ଅନେକଙ୍କ ଘରେ ମିନି ଥିଏଟର ସହ ଏକ ଛୋଟିଆ ଚିତ୍ତ ବିନୋଦନ କେନ୍ଦ୍ର ଥିବାର ଦେଖାଯାଏ।
ଅବସର ସମୟରେ ଟିଭି ଦେଖିବା ସଙ୍ଗୀତ ପରିବେଷଣ କରିବା ଏଠାରେ ଦେଖାଯାଏ। ଏହି ଦେଶର ଲୋକମାନେ କୌଣସି କଥାରେ ନା କରିନଥାନ୍ତି। ନକରି ପାରିଲେବି କରିବା ପାଇଁ ଚେଷ୍ଠା କରିବା କଥା କହିଥାନ୍ତି। 7 Eleven ହେଉଛି ତାଇଓ୍ବାନର ସବୁଠାରୁ ବଡ ରେଷ୍ଟୋରାଁ। ଲୋକମାନେ ଏଠାରେ କେବଳ ଖାଦ୍ୟ ଖାଇବା ପାଇଁ ଆସିନଥାନ୍ତି ବରଂ ଏଠାରେ ଛୋଟ ପିଲାମାନେ ମଧ୍ୟ ପାଠ ପଢିବାର ସୁବିଧା ଅଛି। ଆମ ଦେଶରେ ୧୩ ସଂଖ୍ୟାକୁ ଅଶୁଭ ମନେକରିବା ପରି ତାଇଓ୍ବାନରେ ୪କୁ ଅଶୁଭ ମାନିଥାନ୍ତି।
ହୋଟେଲ, ହସ୍ପିଟାଲ୍ କି ଆପାର୍ଟମେଂଟରେ ୪ ନମ୍ବର ସଂଖ୍ୟା ମିଳିବା କଷ୍ଟ। ଏହି ଦେଶବାସୀଙ୍କ ବିଶ୍ବାସ ସକାଳ ଚାରିଟାରେ ପ୍ରେତ ସଜାଗ ଥାଏ। ମୋରାକଟ୍ ନାମକ ଏକ ଭୟଙ୍କର ସାମୁଦ୍ରିକ ତୋଫାନ ୨୦୦୯ ରେ ଏହି ଦେଶବାସୀଙ୍କୁ ସାମ୍ନା କରିବାକୁ ପଡିଥିଲା, ଯାହାର ପ୍ରଭାବରେ ୩.୩ ବିଲିୟନ ଡଲାରର କ୍ଷତି ହୋଇଥିବାର ଆକଳନ କରାଯାଏ। ମାତ୍ର ଆଠ ଘଣ୍ଟାରେ ଜଣେ ସମ୍ପୂର୍ଣ୍ଣ ଏହି ଦ୍ବିପକୁ ପରିଦର୍ଶନ କରିପାରିବ। ଚୀନ, ହଙ୍ଗକଙ୍ଗ, ଜାପାନ, ଇଣ୍ଡୋନେସିଆ ଆଦି ଦେଶମାନଙ୍କ ତୁଳନାରେ ତାଇଓ୍ବାନ ଅଧିବାସୀ ଖୁବ୍ ଖୁସି ମାଜାଜର।
ସପ୍ତାହକୁ ଅନ୍ୟୁନ ୭୦ ଘଣ୍ଟା କାମ କରୁଥିବା ଏହି ଦେଶର ଅଧିବାସୀ ମାନଙ୍କ ମଧ୍ୟରୁ ୯୬ ପ୍ରତିଶତ ମହିଳା କର୍ମଜୀବୀ। ଛୋଟିଆ ଦେଶ ହୋଇଥିଲେବି ହାଇସ୍ପିଡ୍ ଟ୍ରେନ ,ମେଟ୍ରୋ ତଥା ଅନ୍ୟାନ୍ୟ ସୁବିଧା ଏଠାରେ ଦେଖିବାକୁ ମିଳିଥାଏ। ସର୍ବାଧିକ ଲୋକ ଏହି ଦେଶର ସ୍କୁଟର ଚଲାଇବାକୁ ପସନ୍ଦ କରିଥାନ୍ତି। ତାଇଓ୍ବାନରେ ଆମ ଦେଶପରି ଯୌଥ ପରିବାର ଦେଖିବାକୁ ମିଳିଥାଏ। ବୟସ୍କ ବ୍ୟକ୍ତି ମାନଙ୍କୁ ଏଠାରେ ସର୍ବାଧିକ ସମ୍ମାନ ଦିଆ ଯାଇଥାଏ। ଏହି ଦେଶର ରାଜଧାନୀ ତାଇପେ ବିଶ୍ବର ଅନ୍ୟତମ ଆକର୍ଷଣୀୟ ସହର ମାନଙ୍କ ମଧ୍ୟରୁ ଗୋଟିଏ।
କୌଣସି ବ୍ୟକ୍ତି ଏହି ସହରରେ ନିଜକୁ ଭାରାକ୍ରାନ୍ତ ମନେକରିବାର ଦେଖାଯାଏ ନାହିଁ। ସମସ୍ତ ସୁବିଧା ଉପଲବ୍ଧ ଥିବା ଏହି ସହରରେ ୬ଟି ବିଶ୍ବସ୍ତରୀୟ ନାଇଟ୍ କ୍ଲବ ଅଛି। ଶସ୍ତାରେ ହୋଟେଲର ସୁବିଧା ଏହି ସହରରେ ମିଳିଥାଏ। ଏଠାକାର ପୋକ୍ ରାଇସ ସବୁଠାରୁ ସୁସ୍ବାଦୁ ବ୍ୟଞ୍ଜନ ବୋଲି କୁହାଯାଏ। ତାଇଓ୍ବାନର ବାୟୁ ଖୁବ୍ ସ୍ବଚ୍ଛ ଓ ନିରାପଦ। କମ୍ ଜନସଂଖ୍ୟା ପାଇଁ ଏଠାରେ କମ୍ ଗାଡିମଟର ବ୍ୟବହାର ହୋଇଥାଏ। ଏହି ଦେଶରେ ଧଳା କପଡା ବା ରଙ୍ଗକୁ ନିରାଶା ଓ ଦୁଃଖର ପ୍ରତୀକ ବୋଲି ମନେ କରୁଥିବା ବେଳେ ଲାଲ୍ ରଙ୍ଗକୁ ଖୁସି ଆଉ ଉତ୍ସବର ରଙ୍ଗ ବୋଲି ବିବେଚନା କରାଯାଏ।
ବିବାହ ପୂର୍ବରୁ ଆମ ଦେଶପରି ଜାତକ, କୁଣ୍ଡଳୀ ମିଳାଇବାର ଏହି ଦେଶରେ ମଧ୍ୟ ପ୍ରଥା ଅଛି। ଏପରିକି ପ୍ରଥମ ସନ୍ତାନର କ’ଣ ନାମ ରଖାଯିବ ତାହା ମଧ୍ୟ ବିବାହ ସମୟରେ ସ୍ଥିର ହୋଇଯାଇ ଥାଏ। ତାଇଓ୍ବାନର ଲୋକ ସ୍ବାସ୍ଥ୍ୟ ଦିଗ ଦେଇ ବେଶ୍ ସଚେତନ। ହାରାହାରି ଏଠାକାର ଲୋକଙ୍କର ଆୟୁସ ହେଲା ୮୦ ବର୍ଷ। ବାସ୍କେଟ ବଲ୍ ଫୁଟବଲ ଏହି ଦେଶର ଲୋକପ୍ରିୟ କ୍ରୀଡା। ଏଠାକାର ସ୍ବାସ୍ଥ୍ୟସେବା ବେଶ୍ ଉନ୍ନତ। ମାତ୍ର ଗୋଟିଏ ଫୋନରେ ଏହି ସମସ୍ତ ସୁବିଧା ନିଜ ପାଖରେ ପହଞ୍ଚି ଯାଇଥାଏ।ତାଇଓ୍ବାନରେ ପ୍ରତିବର୍ଷ ଫ୍ରାଇଂ ଫିସ୍ ଫେଷ୍ଟିଭାଲର ଆୟୋଜନ କରା ଯାଇଥାଏ।
ଏଠାକାର ମୁଦ୍ରାକୁ ନିୟୁ ତାଇଓ୍ବାନ ଡଲାର ବୋଲି କୁହା ଯାଇଥାଏ ଯାହା ଆମ ଦେଶର ମୁଦ୍ରାଠାରୁ ଅଢେଇ ଗୁଣ ଅଧିକ। ସୁଚନା ପ୍ରଯୁକ୍ତି ବିଦ୍ୟାରେ ମଧ୍ୟ ତାଇଓ୍ବାନ ବିଶ୍ବରେ ଅନ୍ୟତମ ବିକାଶଶୀଳ ରାଷ୍ଟ୍ର । ସମୟ ସହ ତାଳ ଦେଇ ଚୀନ ପରି ଦେଶକୁ ମଧ୍ୟ କଡ୍ଡା ଜବାବ ଦେବାକୁ ଏହି ଦେଶ ପଛାଏ ନାହିଁ। ଆଜିବି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚୀନର ଚାପରେ ତାଇଓ୍ବାନକୁ ଏକ ଦେଶର ମାନ୍ୟତା ଦେଇନାହିଁ ସତ ହେଲେ ସବୁ ପ୍ରତିକୂଳତା ମଧ୍ୟରେ ଆଜିବି ତାଇଓ୍ବାନ ତାର ସ୍ବତନ୍ତ୍ରତା ବଜାୟ ରଖିବାରେ ସକ୍ଷମ ହୋଇପାରିଛି ।
-ବିରଞ୍ଚି ନାରାୟଣ ଦାସ