ଶୂଦ୍ର ନାରୀ, ପ୍ରଥମ ଶିକ୍ଷୟିତ୍ରୀ:
ନାରୀ ଆନ୍ଦୋଳନର ଜନ୍ମଦାତ୍ରୀ

0
ସନ୍ତୋଷ ଦାସ

ଶୂଦ୍ର ହୋଇ ସେ କାହିଁକି ବେଦ ପଢିଲେ ? ଏହା ଥିଲା ଶମ୍ଭୁକଙ୍କ ଅପରାଧ ! ଏଇଥିପାଇଁ ରାଜା ରାମଚନ୍ଦ୍ର ତାଙ୍କ ମୁଣ୍ଡ କାଟ କରିଥିଲେ। ସେହି ଶୂଦ୍ର କୁଳରେ ଜନ୍ମ ସାବିତ୍ରୀବାଈଙ୍କର। ଜନ୍ମ ସ୍ଥାନ ହେଉଛି ମହାରାଷ୍ଟ୍ରର ପୁଣେ ସହର ଠାରୁ ୫୦ କିଲୋମିଟର ଦୂର ନାଇଗାଁରେ। ଜନ୍ମ ତାରିଖ ହେଲା ୧୮୩୧ ଜାନୁଆରୀ ୩ । ମଥାରେ ସିନ୍ଦୂର ପିନ୍ଧିଲା ବେଳକୁ ସାବିତ୍ରୀ ଖଡ଼ି ଛୁଇଁ ନଥିଲେ। ବର୍ଣ୍ଣରେ ଶୂଦ୍ର, ପୁଣି ଝିଅ ! ତାଙ୍କୁ ପାଠ ପଢ଼ାଇବ କିଏ ? ଜ୍ୟୋତିବାରାଓ ଫୁଲେଙ୍କ ହାତ ଧରିବା ପରେ ସବୁକିଛି ବଦଳିଗଲା। ଜ୍ୟୋତିବାରାଓ ଥିଲେ ଜଣେ ସମାଜ ସଂସ୍କାରକ। ଲଢୁଥିଲେ ଜାତିଆଣା ଅତ୍ୟାଚାର ଓ ଶ୍ରମଜୀବୀଙ୍କ ଉପରେ ଚାଲୁଥିବା ଶୋଷଣ ବିରୋଧରେ। ଆମ୍ବେଦକର ଯେଉଁ ତିନି ଜଣଙ୍କ ପାଖରୁ ପ୍ରେରଣା ଲାଭ କରିଥିଲେ ତାଙ୍କ ଭିତରେ ଜ୍ୟୋତିବାରାଓ ଥିଲେ ଅନ୍ୟତମ। ଅନ୍ୟ ଦୁଇ ଜଣ ହେଲେ ଗୌତମ ବୁଦ୍ଧ ଓ ସନ୍ଥ କବୀର। ସାବିତ୍ରୀଙ୍କୁ ଅ, ଆ, କ, ଖ ପଢ଼ାଇଥିଲେ ଜ୍ୟୋତିବାରାଓ। ତାପରେ ସେ ଆଗକୁ ବଢିଥିଲେ ଓ ଟ୍ରେନିଂ ନେଇଥିଲେ। ଶିକ୍ଷା ଓ ଟ୍ରେନିଂ ପରେ ଝିଅମାନଙ୍କୁ ପାଠ ପଢ଼ାଇଥିଲେ। ତାପରେ ଫୁଲେ ଦମ୍ପତି ସ୍କୁଲ ପ୍ରତିଷ୍ଠା କରିଥିଲେ। ତାଙ୍କ ପାଠପଢା ଶୈଳୀ ଏତେ ଉନ୍ନତ ଓ ଆକର୍ଷଣୀୟ ଥିଲା ଯେ ଅଧିକରୁ ଅଧିକ ଝିଅମାନେ ସ୍କୁଲରେ ନାମ ଲେଖାଇଥିଲେ। ବାଳକ ସ୍କୁଲ ଅପେକ୍ଷା ଏହି ବାଳିକା ସ୍କୁଲରେ ଛାତ୍ର ସଂଖ୍ୟା ଅଧିକ ହୋଇଥିଲା। ରକ୍ଷଣଶୀଳ ଲୋକଙ୍କ ଆଖିରେ ଏହା ଗଲାନାହିଁ। ଝିଅମାନେ ପାଠ ପଢ଼ିବା ଥିଲା ସେମାନଙ୍କ ଦୃଷ୍ଟିରେ ପାପ ! ଏହା ମନୁସ୍ମୃତିର ଅବମାନନା ବୋଲି ସେମାନେ ଚିତ୍କାର କଲେ। ସ୍କୁଲ ଯିବା ବାଟରେ ସାବିତ୍ରୀଙ୍କ ଉପରେ ବୃଷ୍ଟି ହେଲା ଟେକା, ପଥର ଓ ଗୋବର। ସେଥିପାଇଁ ସାବିତ୍ରୀ ସାଙ୍ଗରେ ଗୋଟେ ଅଧିକ ଶାଢ଼ୀ ନେଉଥିଲେ। ଦୁଃଖ କେବଳ ଏଇଠି ସରିଲା ନାହିଁ। ସମାଜର ଚାପରେ ତାଙ୍କ ଶ୍ବଶୁର ନିଜ ପୁଅ-ବୋହୂଙ୍କୁ ଘରୁ ତଡି ଦେଲେ। ଏହି ଦୁର୍ଦ୍ଦିନରେ ଫୁଲେ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଜ୍ୟୋତିବାଙ୍କ ଜଣେ ମୁସଲିମ ବନ୍ଧୁ ଉସମାନ ଶେଖ। ଉସମାନଙ୍କ ଭଉଣୀ ଫାତିମା ପାଲଟିଗଲେ ସାବିତ୍ରୀଙ୍କ ବାନ୍ଧବୀ। ଉଭୟ ପାଠ ପଢି ସ୍ନାତକ ବନିଲେ। ଫାତିମା ବେଗମ ଶେଖ ପାଲଟିଲେ ଦେଶର ପ୍ରଥମ ମୁସଲିମ ଶିକ୍ଷୟିତ୍ରୀ। ଫୁଲେ ଦମ୍ପତି ୧୮୫୦ ବେଳକୁ ୧୮ଟି ସ୍କୁଲ ପ୍ରତିଷ୍ଠା କରିଥିଲେ। ସେମାନେ ଆହୁରି ପ୍ରତିଷ୍ଠା କରିଥିଲେ "ଶିଶୁ ହତ୍ୟା ପ୍ରତିରୋଧ ଗୃହ"। ଏହାର ଉଦ୍ଦେଶ୍ୟ ଥିଲା ଧର୍ଷଣର ଶିକାର ହୋଇ ଗର୍ଭବତୀ ହୋଇଥିବା ମହିଳାମାନଙ୍କ ସନ୍ତାନ-ସନ୍ତତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା। ଜନସେବା ମଧ୍ୟ ଦେଇ ସାବିତ୍ରୀଙ୍କ ଜୀବନର ଅବସାନ ଘଟିଥିଲା। ସେତେବେଳକୁ ପ୍ଲେଗ ମହାମାରୀ ବ୍ୟାପିଥାଏ। ପ୍ଲେଗ ରୋଗରେ ପୀଡ଼ିତ ପିଲାଟିକୁ ଯେତେବେଳେ କେହି ଛୁଇଁବାକୁ ଆଗେଇ ଆସୁନଥିଲେ, ସେତେବେଳେ ସେ ତାକୁ ପିଠିରେ ପକେଇ ଡାକ୍ତରଖାନାରେ ପହଂଚାଇଥିଲେ। ଏହା ଫଳରେ ସାବିତ୍ରୀ ସଂକ୍ରମଣର ଶିକାର ହୋଇଥିଲେ। ୧୮୯୭ ମାର୍ଚ୍ଚ ୧୦ ରେ ତାଙ୍କ ଜୀବନଦୀପ ଲିଭିଯାଇଥିଲା। ଏହି ସମାଜ ସଂସ୍କାରକ, ଶିକ୍ଷାବିତ ଓ କବିୟିତ୍ରୀଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଜଣାଉଛି ବିନମ୍ର ଶ୍ରଦ୍ଧାଞ୍ଜଳି।

Leave a Reply

Your email address will not be published. Required fields are marked *

You cannot copy content of this page