ଯାଜପୁର ରୋଡ଼ ସବ୍ ଜେଲରେ ହୁଗୁଳା ସୁରକ୍ଷା ବ୍ୟବସ୍ଥା: ପୁଣି ଜଣେ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ।

ଯାଜପୁର(ସଙ୍କେତ ଖବର)କୋରେଇ ବ୍ଲକ ରଗଡ଼ିସ୍ଥିତ ଯାଜପୁର ରୋଡ଼ ସବ ଜେଲ କର୍ତୁପକ୍ଷଙ୍କ ବେଫିକର ନୀତି କାରଣରୁ ସୁରକ୍ଷା ସଂପୂର୍ଣ୍ଣ ହୁଗୁଳା ହୋଇପଡ଼ିଛି । ମାସକ ତଳେ ଏହି ଲେରେ ଜଣେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା କରିଥିବା ବେଳେ ଆଜି ଜଣେ ବିଚାରଧିନ ବନ୍ଦୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଜେଲ କର୍ତୁପକ୍ଷଙ୍କ ବେଫିକର ନୀତିକୁ ପଦାରେ ପକାଇ ଦେଇଛି । କିନ୍ତୁ ଏନେଇ ଜେଲ କର୍ତୁପକ୍ଷ ପାଟି ଖୋଲୁନଥିବା ବେଳେ ମିଳିଥିବା ଖବର ମତେ ଆତ୍ମହତ୍ୟା ଉଦ୍ୟମ କରିଥିବା ବନ୍ଦୀଜଣକୁ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ବନ୍ଦୀ ସତ୍ୟବ୍ରତ ଖିଲାର ହୋଇଥିବା ବେଳେ ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗତ ୪ମାସ ତଳେ କୈାଣସି ମାମଲାରେ ଗିରଫ ହୋଇ ରଗଡ଼ି ଜେଲରେ ବିଚାରଧିନ ବନ୍ଦୀ ଭାବେ ରହିଛନ୍ତି । ଆଜି ଜେଲରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିିବା ପରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତି କରାଯାଇଥିଲା । ବର୍ତମାନର ଖବର ମତେ ବନ୍ଦୀ ବିପଦମୁକ୍ତ ରହିଛି । ତେବେ ରଗଡ଼ି ଜେଲରେ ବିଚାରଧିନ ବନ୍ଦୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କର୍ତବ୍ୟରତ ଅଧିକାରୀ ଏବଂ କର୍ମଚାରୀଙ୍କ ଦାୟିତ୍ୱ ହିନତାକୁ ପଦାରେ ପକାଇ ଦେଇଛି ।

ମାସକ ତଳେ ଅର୍ଥାତ ଗତମାସ ୨୨ତାରିଖରେ ବନ୍ଦୀ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲା ଅନ୍ତର୍ଗତ ଭଗବାନଗୋଲା ଥାନା ଶିଶାତାଲା ଚରଣାତାନପୁରା ଗ୍ରାମର ଇରଫାନ୍ ଅଲ୍ଲିଙ୍କ ପୁଅ ହନିଫ୍ ଶେଖ୍(୨୩) ଜେଲ ଭିତରେ ଥିବା ସ୍କାଏଲାଇଟରେ ନିଜର ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ପୂର୍ବରୁ ମଧ୍ୟ ଏହି ଜେଲରୁ ବନ୍ଦୀ ଖସିଯିବା ଏବଂ ଖସିବାକୁ ଉଦ୍ୟମ କରିଥିବାର ନଜୀର ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜେଲ ଉଚ୍ଚକର୍ତୁପକ୍ଷଙ୍କ ଏଥିପ୍ରତି ନଜର ପଡ଼ୁନି । ଅଧିକାରୀଙ୍କ ଦାୟୀତ୍ୱ ହିନତା କାରଣରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି ।