ସୁକିନ୍ଦାରେ ବିଜେଡିର ମିଶ୍ରଣ ପର୍ବ,ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସାମିଲ ହେଲେ।
ସୁକିନ୍ଦା(ସଂକେତ ଖବର)
ସୁକିନ୍ଦା ବ୍ଲକ କାଳିଆପାଣିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପି,କଂଗ୍ରେସ ଛାଡି ୨୪୮ ଜଣ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାମାଜିକ ଦୂରତା ନିୟକୁ ବେଶ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ପରେ ଗୋଟିଏ ପଞ୍ଚାୟତର ଲୋକଙ୍କୁ ବିଜେଡିର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
ରାଜନୈତିକ ଦୃଷ୍ଟିରୁ ଆଜିର ମିଶ୍ରଣ ପର୍ବ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି। ବିଶେଷ କରି ବିଜେପି ପାଇଁ ଆଜିର ମିଶ୍ରଣ ପର୍ବ ଏକ ଆହ୍ୱାନ ହୋଇଛି। କାରଣ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଭ୍ୟ ଓ ପୂର୍ବତନ ପଞ୍ଚାୟତ ପ୍ରତିନିଧିମାନେ ବିଜେଡିରେ ସାମିଲ ହୋଇଛନ୍ତି।ଯଦିଓ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ୧୬,୭୩୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ କିନ୍ତୁ ବିଜେପି ଗଡ଼ର ଅଧିକାଂଶ ଛାମୁଆ ସଂଗଠକ ଆଜି (ଶୁକ୍ରବାର) ବିଜେଡିରେ ମିଶିଛନ୍ତି। କଅଁସ ସରପଞ୍ଚ ରବିନ୍ଦ୍ର ସାହୁ ଏବଂ ସମିତି ସଭ୍ୟ ଘାସିରାମ ବେହେରାଙ୍କ ଯୋଗଦାନ ପରେ ସ୍ଥାନୀୟ ଅଞ୍ଚଳରେ ବିଜେଡିର ସଂଗଠନ ମଜଭୁତ ହୋଇଛି। ସେହିପରି କାଳିଆପାଣି, ଚିଙ୍ଗୁଡିପାଳ,ରାଶଁଳୋ,କୁହିକା ଏବଂ ପିମ୍ପୁଡିଆ ପଞ୍ଚାୟତର ଶତାଧିକ ବ୍ୟକ୍ତିଙ୍କ ଯୋଗଦାନ ଯୋଗୁଁ ବିଜେଡି ସୁଦୃଢ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ଘଡ଼ାଇ।
କାଳିଆପାଣିର ସମାଜସେବୀ ଜେମା ଚାକି,ପୂର୍ବତନ ସରପଞ୍ଚ ଲିଲିମଣୀ ମହାନ୍ତ,ପୂର୍ବତନ ସରପଞ୍ଚ କାମଦେବ ଦେହୁରୀ,ଗୌରାଙ୍ଗ ସାହା ନିଜର ସମର୍ଥକ ମାନଙ୍କ ସହ ବିଜେପି ଛାଡି ଆଜି ବିଜେଡିର ହାତ ଧରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ରିଜର୍ଭ କ୍ରୋମାଇଟ ଖାଦାନ ମଜଦୂର ସଂଘର ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ପାତ୍ର ଓ ସୁକିନ୍ଦା ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଯେନା, ବିଜେଡି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଭଗବତୀ ମହାନ୍ତ ପ୍ରମୁଖ ଏବଂ ୭ଟି ଯାକ ପଞ୍ଚାୟତର ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧିମାନେ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।