ଇଡ଼କୋ ଉପରେ ବର୍ଷିଲେ ଡ୍ୟାନି, ବିକାଶର ମାଷ୍ଟର ପ୍ଲାନ କେବେ?

0

କଳିଙ୍ଗନଗର(ସଂକେତ ଖବର)

ଇସ୍ପାତ ଶିଳ୍ପର କ୍ୟାପିଟାଲ, ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ ଆହୁରି ୩୬ଟି କାରଖାନା। ପ୍ରସ୍ତାବିତ କାରଖାନା ଗୁଡିକ କାର୍ଯ୍ୟକ୍ଷମ ହେଲେ ଦେଶର ଶିଳ୍ପାୟନ ମାନଚିତ୍ରରେ କଳିଙ୍ଗ ନଗରର ପ୍ରତିଛବି ଦ୍ୱିଗୁଣିତ ହୋଇପାରେ। ହେଲେ ନବେ ଦଶକରୁ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ନଗରର ସାମଗ୍ରିକ ବିକାଶ ଲାଗି ଏଯାଏଁ ପ୍ରସ୍ତୁତ ହୋଇପାରିଲା ନାହିଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ। ଯଦିଓ ୧୯୯୬ରୁ ଆଜି ଯାଏଁ ଇଡକୋ ପକ୍ଷରୁ ୧୩,୬୮୭ ଏକର ଜମି ଅଧିଗ୍ରହଣ ହୋଇଛି,କିନ୍ତୁ କଳିଙ୍ଗ ନଗରର ବିକାଶ ଲାଗି ଇଡକୋ କାହିଁକି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁନାହଁ ବୋଲି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ପ୍ରଶ୍ନ କରିଛନ୍ତି।କଳିଙ୍ଗ ନଗରର ବିଭିନ୍ନ ପ୍ରସଙ୍ଗର ଆୟୋଜିତ ବୈଠକରେ,ଶିଳ୍ପାଞ୍ଚଳର ସାମଗ୍ରିକ ବିକାଶ ଲାଗି ମାଷ୍ଟର ପ୍ଲାନର ଆବଶ୍ୟକତା ହିଁ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ହୋଇଛି।ବିଗତ ୩ ଦଶନ୍ଧିରେ ଯଦିଓ କଳିଙ୍ଗ ନଗରରେ ଟାଟା, ଜିନ୍ଦଲ ଏବଂ ବିଆରପିଏଲ୍ ପରି ବଡ଼ କାରଖାନା ପ୍ରତିଷ୍ଠା ହୋଇଛି; ତେବେ ଏଯାଏଁ ଏକ ବସଷ୍ଟାଣ୍ଡ ନିର୍ମାଣ ହୋଇପାରିଲା ନାହିଁ। ସେହିଭଳି ଶିଳ୍ପାଞ୍ଚଳରେ ଦୈନିକ ହଜାର ହଜାର ଟ୍ରକ ଯାତାୟତ କରୁଛି, କିନ୍ତୁ କଳିଙ୍ଗ ନଗରରେ ଏକ ପାର୍କିଂ ୟାର୍ଡର ଆବଶ୍ୟକତାକୁ ଇଡକୋ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାଁନ୍ତି।ଫଳରେ ଅବ୍ୟବସ୍ଥିତ ଭାବେ ଟ୍ରକ ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଛି ଏବଂ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଣୁ ଇଡକୋ ଜମି ଅଧିଗ୍ରହଣରେ ନିଜକୁ ସୀମିତ ନରଖି,କଳିଙ୍ଗ ନଗରର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବାକୁ ବୈଠକରେ ମତ ପ୍ରକାଶ ପାଇଛି।ଜିଲ୍ଳାପାଳ ରଞ୍ଜନ କୁମାର ଦାସ ଓ ଏସପି ଚରଣ ସିଂ ମିନା ଇଡକୋ ସିଏମଡି, ସିଜିଏମ ଓ ଇପିକଲ୍ ମହା ପ୍ରବନ୍ଧକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।ଭିଡିଓ କନଫରେନ୍ସିଂରେ ଆୟୋଜିତ ଏହି ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତା ଗୁରୁବାର ଦିନ କଳିଙ୍ଗ ନଗର ଶିଳ୍ପାଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ।ବିଧାୟକ ଘଡ଼ାଇ, ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଇଡକୋର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ଅନୁଧ୍ୟାନ କରିବେ। ଯଥାଶୀଘ୍ର କଳିଙ୍ଗ ନଗର ଶିଳ୍ପାଞ୍ଚଳର ଉନ୍ନତି ଲାଗି ସ୍ୱତନ୍ତ୍ର ନୀତି ତଥା ମାଷ୍ଟର ପ୍ଲାନ କରାଯିବାର ସୂଚନା ମିଳିଛି ।
ଅନ୍ୟପକ୍ଷରେ ୩୬ଟି କାରଖାନା କାର୍ଯ୍ୟ ଆରମ୍ଭ ହେବା ଆଗରୁ ବିସ୍ଥାପିତମାନଙ୍କୁ ସଠିକ୍ ଭାବେ ଥଇଥାନ କରିବାକୁ ଦାବି ହୋଇଛି। ସେହିଭଳି ପ୍ରସ୍ତାବିତ କାରଖାନା ଗୁଡିକର ପାଚେରୀ ନିର୍ମାଣର ଦାୟିତ୍ୱ ଇଡକୋ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଉ।ଆଉ କାରାଖାନା ଗୁଡିକ ଲାଗି ଆବଶ୍ୟକ ପାଣି ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଏକ ଆନିକଟ୍ ନିର୍ମାଣ କରିବା ପାଇଁ ପୂର୍ବରୁ ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *

You cannot copy content of this page