କୋଭିଡ୍ ଗାଇଡଲାଇନର ଖୋଲା ଉଲ୍ଲଂଘନ କଲେ ସୁକିନ୍ଦା ତହସିଲଦାର, ନାଚିଲେ ଓ ନଚାଇଲେ

ଯାଜପୁର (ସଙ୍କେତ ଖବର): ଓଡିଶାରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ସରକାର ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଭଳି କଡା ପ୍ରତିବନ୍ଧକ ଲାଗୁ କରିଛନ୍ତି। ଆଉ ଏହାର ତଦାରଖ ଦାୟିତ୍ୱ ଖୋଦ୍ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଖୋଦ୍ ଜଣେ ମହିଳା ତହସିଲଦାର କୋଭିଡ୍ ଗାଇଡଲାଇନର ଖୋଲା ଉଲ୍ଲଂଘନ କରି ବିବାହ ଶୋଭାଯାତ୍ରାରେ ନାଚୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଜଗତସିଂହପୁରର ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ନାଚୁଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ମେ ୨୧ ତାରିଖରେ ମହିଳା ତହସିଲଦାର ତାଙ୍କ ଭାଇ ବାହାଘରରେ ଯୋଗଦେବା ପାଇଁ ଜଗତସିଂହପୁରର ତିର୍ତ୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ । ନିଜେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ କରୋନା ଗାଇଡଲାଇନ ର ଖୋଲା ଉଲ୍ଲଂଘନ କରି ବାହାଘର ଶୋଭାଯାତ୍ରାରେ ଅନ୍ୟମାନଙ୍କ ସହିତ ନାଚୁଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟଯେ, ରାଜ୍ୟରେ ଜୁନ୍୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା ହେବା ସହ ବିବାହ ଶୋଭାଯାତ୍ରା ଏବଂ ଭୋଜି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଏହାସହ ବାହାଘରରେ ସର୍ବାଧିକ ୨୫ ଜଣଙ୍କୁ ଅନୁମତି ଦିଆଯାଇଛି । ମହାମାରୀ ଭଳି ସଙ୍କଟ ସମୟରେ ସରକାର ପ୍ରଶାସନିକ ଅଧିକାରୀ ମାନଙ୍କୁ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱ ଦେଇଥିବା ବେଳେ ମହିଳା ତହସିଲଦାର ଜଣକ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ନଜରକୁ ଆସିଛି ।