ନାଗୀନ ଡ୍ୟାନ୍ସ କରି ନିଲମ୍ବିତ ହେଲେ ତହସିଲଦାର

ସୁକିନ୍ଦା (ସଙ୍କେତ ଖବର): କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଚାକିରୀରୁ ନିଲମ୍ବିତ ହେଲେ ତହସିଲଦାର । ଭାଇ ବାହାଘରରେ ବିନା ମାସ୍କରେ ଲୋକଙ୍କ ଭିଡ ଭିତରେ ନିଜେ ନାଚିବା ଓ ନାଚଗୀତରେ ମସଗୁଲ ହେବା ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁଯାୟୀ ନିଜ ଭାଇ ବାହାଘରରେ କଟକଣାକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ବର୍ତମାନ କୋଭିଡ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ସରକାର ବିଭିନ୍ନ ନିୟମ ଲାଗୁକରିଛନ୍ତି । କିନ୍ତୁ ଖୋଲାଖୋଲି ଏହି ନିୟମକୁ ଉଲଂଘନ କରିଥିଲେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା । ସୂଚନା ମୁତାବକ ଗତ ମେ ୨୧ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତ୍ରିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ନିଜ ଭାଇ ବାହାଘରରେ ବରଯାତ୍ରୀଙ୍କ ସହିତ ନାଗୀନ ଡ୍ୟାନ୍ସରେ ମସଗୁଲ ଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ।

ମହାଶୟା ନିଜେ ରାସ୍ତାରେ ବିନା ମାସ୍କରେ ଯାଉଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରୁଥିବା ବେଳେ ପୁଣି ନିଜେ ବିନା ମାସ୍କରେ ବରଯାତ୍ରୀଙ୍କ ସହ ଗାଁ ଦାଣ୍ଡରେ ନାଗୀନ ଡାନ୍ସ ନାଚିବା କେତେଦୂର ଯୁକ୍ତିଯୁକ୍ତ? କେଉଁଠି ସାଧାରଣ ଲୋକଙ୍କ ଭୋଜି ଭାତକୁ ପ୍ରଶାସନିକ ଅଧିକାରୀ ମାନେ ନର୍ଦ୍ଦମାରେ ଢାଳି ଦେଉଥିବା ବେଳେ ଏଠି ନିଜେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ରାତିରେ ବରଯାତ୍ରୀରେ ଯାଇ ବିନା ମାସ୍କ ଓ ସାମାଜିକ ଦୂରତାକୁ ଭୁଲିଯାଇ ଲୋକଙ୍କ ସହ ନାଚିବା ଏବଂ ତାସହିତ ଭୋଜିରେ ମଧ୍ୟ ଯୋଗଦେବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।
ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଜଗସିଂହପୁର ପୋଲିସ ଘଟଣା ସ୍ଥଳକୁ ଯାଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ଫେରିଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନ ସମ୍ପୃକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କରିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଏ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କୁ ପଚାରିଥିଲେ ହେଁ ସେ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ।