ସୁକିନ୍ଦା ଆଦିବାସୀ ମହିଳାଙ୍କୁ କୁଶଳୀ କରାଯିବ, ଖର୍ଚ୍ଚ ହେବ ୧୨ କୋଟି ଟଙ୍କା: ବିଧାୟକ ପ୍ରିତିରଞ୍ଜନ
![](https://www.sanketkhabar.com/wp-content/uploads/2021/06/IMG_20210624_235818-1024x527.jpg)
ସୁକିନ୍ଦା(ସଂକେତ ଖବର): ସୁକିନ୍ଦା-ଦାନଗଦୀରେ ପ୍ରତିଷ୍ଠା ହେବ ଦକ୍ଷତା ବିକାଶ କେନ୍ଦ୍ର । ଦାନଗଦୀ ମହିଳାଙ୍କୁ ରୋଜଗାରକ୍ଷମ କରିବାକୁ ଓଡ଼ିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ। ଆଦିବାସୀ ପ୍ରବଣ ସୁକିନ୍ଦାର ଜନଜାତିଙ୍କୁ କୁଶଳୀ ଭାବେ ଗଢ଼ି ତୋଳିବା ଲାଗି ଟ୍ରେନିଂ ପ୍ରଦାନର ପଥ ପରିସ୍କାର ହୋଇଛି। ପ୍ରାୟ ୫୪ ପ୍ରତିଶତ ଆଦିବାସୀ ଏବଂ ଦଳିତ ରହୁଥିବା ସୁକିନ୍ଦା ବ୍ଲକରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନର ଭିତ୍ତିପ୍ରସ୍ତର ଦିଆଯାଇଛି। ସେହି ପ୍ରସ୍ତାବିତ ଟ୍ରେନିଂ ସେଣ୍ଟରରେ ପାରମ୍ପରିକ ପଦ୍ଧତିରେ ବିଭିନ୍ନ ବସ୍ତୁ ନିର୍ମାଣ କରୁଥିବା ଆଦିବାସୀଙ୍କୁ ଉନ୍ନତ ଜ୍ଞାନ କୌଶଳର ପ୍ରଶିକ୍ଷଣ ଦିଆଯିବ। ଫଳରେ ଆଧୁନିକ ଜ୍ଞାନରେ ଟ୍ରେନିଂ ପ୍ରାପ୍ତ ଆଦିବାସୀ ଯୁବକ-ଯୁବତୀ ବିଭିନ୍ନ କାରଖାନରେ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବେ। କାରଣ ବର୍ତ୍ତମାନ କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ନିଯୁକ୍ତିର ସୁଯୋଗ ଥାଇ ମଧ୍ୟ ଟ୍ରେନିଂ ଅଭାବରୁ ସୁକିନ୍ଦାର ଯୁବବର୍ଗ ଚାକିରୀ ପାଇବା କ୍ଷେତ୍ରରେ ପଛେଇ ଯାଉଛନ୍ତି । ସେହିଭଳି ଖଣି ଅଞ୍ଚଳର ବିଭିନ୍ନ ମାଇନ୍ସରେ ଯୋଗ୍ୟତା ଭିତ୍ତିରେ ଚାକିରୀ ପାଇବାକୁ ଅସଫଳ ହେଉଛନ୍ତି ସୁକିନ୍ଦା-ଦାନଗଦୀର ଯୁବଗୋଷ୍ଠୀ।ସେଥିପାଇଁ ସୁକିନ୍ଦା ବ୍ଲକର ଆଦିବାସୀ ଏବଂ ଦାନଗଦୀ ବ୍ଲକର ମହିଳାଙ୍କ ଦକ୍ଷତା ବିକାଶ ପାଇଁ ୨ଟି ସ୍କିଲ୍ ଡେଭଲପମେଣ୍ଟ କେନ୍ଦ୍ର ସ୍ଥାପନର ଶୁଭ ଦେଇଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ।
![](https://www.sanketkhabar.com/wp-content/uploads/2021/06/IMG-20210624-WA0006-1.jpg)
ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ୍) ପାଣ୍ଠିରୁ ୧୧ କୋଟି ୬୪ ଲକ୍ଷ ୮୨ ହଜାର ଟଙ୍କା ବିନିଯୋଗ କରାଯାଇ ସୁକିନ୍ଦାରେ ଆଦିବାସୀ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଦାନଗଦୀରେ ମଦିଳା ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ। ଓଡ଼ିଶାରେ ନାରୀ ସାକ୍ଷରତା ହାର ୬୭ ପ୍ରତିଶତରେ ପହଞ୍ଚି ଥିଲାବେଳେ,ଆଦିବାସୀ ଓ ଦଳିତଙ୍କ ସାକ୍ଷରତା ହାର ୬୩ ପ୍ରତିଶତ । ଅନ୍ୟପଟେ ଓଡ଼ିଶାରେ ୧,୦୦୦ ପୁରୁଷ ତୁଳନାରେ ମହିଳାଙ୍କ ହାର ୯୫୪ ଥିଲାବେଳେ ସୁକିନ୍ଦା-ଦାନଗଦିରେ ଏହି ହାର ୯୫୯ ରହିଛି । ସେଥିପାଇଁ ଆଦିବାସୀଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରୁଥିବା ଓଡ଼ିଶା ସରକାର ଯାଜପୁର ଜିଲ୍ଲାରେ ବ୍ଲକସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠାର ମହିଳା ପ୍ରାଧାନ୍ୟ ସୁକିନ୍ଦା-ଦାନଗଦୀରୁ ଶୁଭାରମ୍ଭ କରିଛନ୍ତି।
ପ୍ରତ୍ୟେକ କେନ୍ଦ୍ରରେ ଆୟତ୍ତନ ପ୍ରାୟ ୧୭ ହଜାର ବର୍ଗଫୁଟ। ୨ମହଲାର ବିଲଡିଂର ତଳ ମହଲାରେ ଏକ ଟ୍ରେନିଂ ସେଣ୍ଟର ଏବଂ ଉପର ମହଲାରେ ବଡ଼ ସମ୍ମିଳନୀ କକ୍ଷ ରହିବ। ନିର୍ମାଣ କାମ ବର୍ଷକ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।