ମେ ୨୬ ରେ ସୁପର ମୁନ୍, ଲାଲ୍ ଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

0

ଭୂବନେଶ୍ୱର(ସଙ୍କେତ ଖବର): ମେ ୨୬ ତାରିଖର ପୂର୍ଣ୍ଣ ଚନ୍ଦ୍ରଟି ୨୦୨୧ ମସିହାର ଶେଷ “ସୁପରମୁନ୍” ଭାବରେ ଦେଖାଯିବ । “ସୁପରମୁନ୍” ଶବ୍ଦ ଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ ଧୀରେ ଧୀରେ “ସୁପରମୁନ୍” ଶବ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଏହା ଆମଠାରୁ ପ୍ରାୟ ୩.୫୬ ଲକ୍ଷ ଦେଖାଯାଏ କିଲୋମିଟର ଦୂରରେ ରହୁଥିଲା ବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତା ର ୧୦% ବା ତା’ଠାରୁ କମ ଦୂରତା ରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତେବେ ତାହାକୁ ଆମେ ସୁପରମୁନ କହିଥାଉ । ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ “ସୁପରମୁନ୍ କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ ୨୦୨୧ ମସିହାରେ ପ୍ରଥମ ସୁପରମୁନ ଗତ ଏପ୍ରିଲ୍ ମାସ ୨୬ ତାରିଖରେ ଦେଖାଯାଇଥିଲା ଓ ଏବର୍ଷର ଶେଷ “ସୁପରମୁନ “ ମେ ୨୬ ତାରିଖରେ ଦେଖାଯିବ । ଏପ୍ରିଲ୍ ମାସ ୨୬ ତାରିଖ ପୂର୍ଣ୍ଣମୀ ରେ ଚନ୍ଦ୍ର ଆମଠାରୁ ୩ ଲକ୍ଷ ୫୭ ହଜାର ୬୧୫ କିମି ଦୂରରେ ଥିଲା ଏବେ ମେ ୨୬ ତାରିଖରେ ପୂର୍ଣ୍ଣମୀ ରେ ଚନ୍ଦ୍ର ପ୍ରାୟ ୧୫୦ କିମି ନିକଟ ଅର୍ଥାତ୍ ଆମଠାରୁ ୩ ଲକ୍ଷ ୫୭ ହଜାର ୪୬୨ କିମି ଦୂରରେ ଦେଖାଯିବ । ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଉଜ୍ଜ୍ୱଳ ଦେଖାଯିବ ।

ସଂଯୋଗ ବଶତଃ ସେ ମେ ୨୬ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟା ରେ ଅପରାହ୍ଣ ୨.୧୭ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭.୧୯ ସମୟରେ ଉପଛାୟାରୁ ସମ୍ପୂର୍ଣ ବାହାରିଯିବ ସେହିପରି ଚନ୍ଦ୍ର ପୃଥିବୀର ଛାୟା ରେ ଅପରାହ୍ନ ୩.୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬.୨୨ ସମୟରେ ଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ । କିନ୍ତୁ ସେ ସମୟରେ ଭାରତ ତଥା ଓଡିଶାରେ ଦିନ ହୋଇଥିବ ଓ ଚନ୍ଦ୍ର ଦିଗ୍ବଳୟ ତଳେ ଥିବାରୁ ଏଠାରେ ଗ୍ରହଣ ଦେଖୁହେବ ନାହିଁ । ଆମେ ଜାଣିଛେ, ଯେ ସୂର‌୍ୟ୍ୟ ଚାରିପଟେ ପୃଥିବୀ ବୁଲୁଥିବା ବେଳେ ଚନ୍ଦ୍ର ପୃଥିବୀ ଚାରିପଟେ ଏକ ନିର୍ଦ୍ଦିଷ୍ଟ କକ୍ଷ ପଥ ରେ ଘୂରୁଛି । ଯେତେବେଳେ ଏହି ତିନୋଟି ପିଣ୍ଡ ଏକ ସରଳ ରେଖା ରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରେ ।
ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ହେଉଛି ୪.୪୧ ମିନିଟରୁ ୪.୫୫ ମିନିଟ । ପଠାଣି ସାମନ୍ତ ପ୍ଲାନେଟାରିୟମ, ଭୂବନେଶ୍ୱର ତରଫରୁ ଲୋକମାନଙ୍କୁ ସଚେତନ କରିବା ସହ ଅନ୍ ଲାଇନ୍ ରେ ଲାଇଭ୍ ଦେଖିବାର ବ୍ୟବସ୍ଥା କରାଯାଇଛି ।
“ସୁପରମୁନ୍”, “ଚନ୍ଦ୍ର ଗ୍ରହଣ” ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେନାହିଁ । ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟ ଗୁଡିକୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡିକ ଜାଣିବା ।

Leave a Reply

Your email address will not be published. Required fields are marked *

You cannot copy content of this page