ପ୍ରବାସୀ ଓଡ଼ିଆଙ୍କ ମହାନତା,ନିଜ ଦରମାରୁ ଦାନ କଲେ ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର।

0

ଯାଜପୁର(ସଙ୍କେତ ଖବର) : କରୋନା ମହାମାରୀ ଏକ ଅଦୃଶ୍ୟ ଶତ୍ରୁ । ଏହା ନିଜର ରୂପ ଓ ଚରିତ୍ର ପ୍ରତ୍ୟେକ ମୁହୁର୍ତ୍ତରେ ବଦଳାଇ ଚାଲିଛି । ବର୍ତ୍ତମାନ ସ୍ଥିତି ଅନୁସାରେ ସଂକ୍ରମଣ ବୃଦ୍ଧିସହ ଅକ୍ସିଜେନ୍ ମାତ୍ରା ଶରୀରରୁ ଦ୍ରୁତ ହ୍ରାସ କରାଉଛି । ଅକ୍ସିଜେନ୍ କମିଯିବାରୁ ସଂକ୍ରମିତ ଗୁରୁତର ହୋଇ ପଡ଼ୁଛନ୍ତି । ତେଣୁ ଅକ୍ସିଜେନ୍ ଅଧିକରୁ ଅଧିକ ଆବଶ୍ୟକ ପଡ଼ୁଛି । ଏହାକୁ ଅନୁଭବ କରି ଯାଜପୁର ଜିଲା ସ୍କୁଲର ପୁରାତନ ଛାତ୍ର ଶିବାଶିଷ ଦାସ ଯିଏକି କାନାଡ଼ାର ଟରୋଣ୍ଟୋରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ, ସେ ଯାଜପୁର ଜିଲା ପ୍ରଶାସନକୁ ୫ଗୋଟି ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର ପ୍ରଦାନ କରିଛନ୍ତି ।
ଭାରତରେ ଅକ୍ସିଜେନ ଜନିତ ସମସ୍ୟା ଯୋଗୁଁ କୋରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ । ନିଜ ଦରମା ଅର୍ଥରେ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ଆମେ କହୁଛୁ ସୁଦୁର କାନାଡାର ଟରୋଂଟୋରେ ରହୁଥିବା ଓଡିଆ ଯୁବକ ଶିବାଶିଷ ଦାସ । ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ଜିଲାପ୍ରଶାସନକୁ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି । ଶିବାଶିଷଙ୍କ ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ଶିବାଶିଷଙ୍କୁ ଧନ୍ୟବାଦ ଦିଆଯାଇଛି । ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ । ନିଜ ଜନ୍ମମାଟିରେ କୋରୋନା ର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ । କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । ଆଉ ଏହି ପ୍ରବାସୀ ଓଡିଆ ଜଣକ ହେଉଛନ୍ତି ଯାଜପୁର ଜିଲା ଏରଡଙ୍ଗ ନଟରା ଗାଁର ଶିବାଶିଷ ଦାସ । ଯେଉଁ ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ ଲୋକେ ସଂଘର୍ଷ କରୁଛନ୍ତି ସେହି ଅକ୍ସିଜେନ କନସେନଟ୍ରେଟର କୋରୋନା ରୋଗୀଙ୍କ ପାଇଁ ସେ ଦାନ କରିଛନ୍ତି । କାନାଡାର ଟରୋଂଟୋରେ ରହୁଥିବା ଶିବାଶିଷ ସ୍ଥାନୀୟ ସରକାରଙ୍କ ଅଧିନରେ ଜଣେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି ।

ଗତ କିଛି ଦିନ ହେଲା ଭାରତରେ ଅକ୍ସିଜେନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ଖବର ଟେଲିଭିଜନରେ ଦେଖିବା ପରେ ସହାୟତା କରିବାକୁ ମନସ୍ଥ କରିଥିଲେ । ଯାଜପୁରର ଜିଲା ସ୍କୁଲ ଓ ଏନସି କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶିବାଶିଷ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଥିବା ବେଳେ ଆଗକୁ ଆଉ ୩ଟି ଦାନ କରିବେ । ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ହେଉଥିବା ଏଭଳି ମେସିନ ମିଳିବା ପରେ ଶିବାଶିଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଶିବାଶିଷଙ୍କ ଭଳି ଅନ୍ୟ ମାନେ ଏପରି ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି । ପ୍ରଥମେ ଦେଇଥିବା ଏହି ମେସିନ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ ବ୍ୟବହୃତ ହୋଇଛି । ବିଦେଶରେ ରହି ନିଜ ମାଟି ଓ ମଣିଷକୁ ମନେ ରଖି କର୍ତବ୍ୟ ସଂପାଦନ କରିଥିବା ଶିବାଶିଷଙ୍କୁ ଅନେକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ବୁଧବାର ପୁର୍ବାହ୍ନରେ ଇଂ ଶିବାଶିଷଙ୍କ ପିତା ଦୀଲିପ କୁମାର ଦାସ ଓ ଭାଇ ଦେବାଶିଷ ଦାସ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି କନ୍‌ସେନ୍‌ଟ୍ରେଟରକୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକ, ମିହିର ପ୍ରସାଦ ମହାନ୍ତି, ଓ ସିଡ଼ିଏମ୍ଓ ଡ଼ା ସୁଧାଂଶୁ ଶେଖର ବଳଙ୍କୁ ପ୍ରଦାନ କରିଛନ୍ତି । ଏହି ସହାୟତା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ଦାସଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ କରୋନା ରୋଗୀମାନଙ୍କ ପାଇଁ ଏହା ବିଶେଷ ଉପାଦେୟ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page