ଶିକ୍ଷକଙ୍କୁ ଅସମ୍ମାନ ବା ଆକ୍ରମଣ,ଅକ୍ଷମଣୀୟ ଅପରାଧ

0

ଯେଉଁ ରାଷ୍ଟ୍ରରେ ଗୁରୁ ବା ଆଚାର୍ଯ୍ୟଙ୍କୁ ଉପଯୁକ୍ତ ସମ୍ମାନ ମିଳେନା, ସର୍ବସାଧାରଣରେ ବେଇଜତ୍ କରାଯାଏ ସ୍ଥଳ ବିଶେଷରେ ଗଛରେ ବାନ୍ଧି ମାଡବି ଦିଆଯାଏ ବୁଝିବାକୁ ପଡିବ ସେ ରାଷ୍ଟ୍ର ଏକ ଭୟଙ୍କର ବିପର୍ଯ୍ୟୟ ଆଡକୁ ଗତିକରୁଛି । ଯିଏ ଏ ଦୁନିଆକୁ ତା’ ନିଜ ହାତରେ ତିଆରି କରୁଛି, ଜୀବନର ମୂଲ୍ୟବାନ ସମୟକୁ ସମାଜ ପାଇଁ ସମର୍ପିତ କରିଦେଉଛି, ପିଲା ପରିବାରକୁ ପଛକରି ସରକାରଙ୍କ ନିର୍ଦ୍ଦେଶକୁ ମାନି କାର୍ଯ୍ୟ କରୁଛି ତାକୁ ଯଦି କିଛି ଅସାମାଜିକ ତତ୍ତ୍ବ ଅସମ୍ମାନିତ କରିବେ ହାତ ଉଠାଇ ମାରିବାକୁ ସାହସ କରିବେ ବୁଝିବାକୁ ପଡିବ ବିନାଶ କାଳେ ବିପରୀତ ବୁଦ୍ଧି ଉଦୟ ହୋଇଛି । 

 

ଏ ଉପକ୍ରମଣିକା ଦେବା ପଛର ଆଧାର ହେଉଛି ନିକଟରେ କରୋନା ମୁକାବିଲା ପାଇଁ ହୋଇଥିବା କ୍ବାରେଣ୍ଟାଇନ ହୋମ ଦାୟିତ୍ବରେ ଥିବା ଦୁଇଜଣ ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ । ପ୍ରଥମ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକରେ । କ୍ବାରେଣ୍ଟାଇନ ହୋମର ଦାୟିତ୍ବରେ ଥିବା ଖେତମୁଣ୍ଡୁଳୀ ସ୍କୁଲର ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ସ୍ଥାନୀୟ କିଛି ବ୍ୟକ୍ତି ଗୋଟିଏ ଗଛରେ ବାନ୍ଧି ପକାଇ ଆକ୍ରମଣ କରିଛନ୍ତି । ତାଙ୍କର ଭୁଲ୍ ହେଲା ଗାଁ ସ୍କୁଲରେ ନିର୍ମାଣ ହୋଇଥିବା କ୍ବାରେଣ୍ଟାଇନ ହୋମରେ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ରଖିବା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରକୁ ଦୁତୀ ପ୍ରଧାନ, ନଵଧର ପ୍ରଧାନ ଏବଂ ବିଚିତ୍ର ପ୍ରଧାନ ନାମକ ତିନିଜଣ ଯୁବକ ବିରୋଧକରି ଶିକ୍ଷକଙ୍କ ଉପରେ ଆକ୍ରମଣ କରିଥିଲେ ।

 

ସେହିପରି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ଜିଙ୍କିରିଆ ପଞ୍ଚାୟତରେ ହୋଇଥିବା ଗୋଟିଏ କ୍ବାରେଣ୍ଟାଇନ ହୋମରେ ଜଣେ ନିୟୋଜିତ ଶିକ୍ଷକଙ୍କ ଉପରେ ମଧ୍ୟ ସମାନ ଧରଣର ଆକ୍ରମଣ ହୋଇଛି । ଗୁଜୁରାଟରୁ ବାଇକ୍ ଯୋଗେ ଫେରିଥିବା ଦୁଇଜଣ ପ୍ରବାସୀଙ୍କ ପରିବାର ପକ୍ଷରୁ ମଟର ସାଇକେଲ ଫେରାଇ ନେବାପାଇଁ ଆସି ମାଗିବାରୁ ଆରମ୍ଭ ହୋଇଥିଲା ସମସ୍ୟା । କ୍ବାରେଣ୍ଟାଇନ ଦାୟିତ୍ବରେ ଥିବା କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ପରିଡା ସରକାରୀ ନିୟମ ଅନୁସାରେ ସାଇକେଲଟି ସାନିଟାଇଜ ନହୋଇଥିବାରୁ ପରିବାର ଲୋକଙ୍କୁ ଦେବାକୁ ମନାକରି ଦେଇଥିଲେ। 

 

ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସ୍ଥାନୀୟ ସରପଞ୍ଚ ମଧୁସୁଦନ ମାଝି ସନ୍ଧ୍ୟାରେ ଘଟଣାର ଆପୋଷ ସମାଧାନ କରି ଦେଇଥିଲେ। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ତହିଁ ପରଦିନ ସମ୍ପୃକ୍ତ ଶିକ୍ଷକ ବଜାର ଯାଇଥିବା ବେଳେ ଏହି ଯୁବକମାନେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ସରପଞ୍ଚ ଆହତ ଶିକ୍ଷକଙ୍କୁ ଭଦ୍ରକ ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହାକୁ ନେଇ ଶିମୁଳିଆ ଥାନାରେ ଶିକ୍ଷକଙ୍କ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି।

 

ଏଠାରେ ପ୍ରଶ୍ନ ଉଠୁଛି ଏଭଳି ସ୍ଥିତି ଗୋଟିଏ ପରେ ଗୋଟିଏ କାହିଁକି ଘଟି ଚାଲିଛି ? ଗୋଟିଏ ପଟେ ସରକାର ଶିକ୍ଷକଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦେଉଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟର ମାନଙ୍କରେ ଏ ପ୍ରକାର ବ୍ୟବହାର କ’ଣ ବୁଝାଉଛି । ଜଣେ ଶିକ୍ଷକ ପାଇଁ ତାର ଆତ୍ମସମ୍ମାନ ଆଉ ମର୍ଯ୍ୟଦା ସବୁକିଛି ହେଲେ ଏହି ଘଟଣା ଦୁଇଟିରୁ ଜଣାପଡୁଛି ସତେ ଯେପରି ଏମାନଙ୍କର ସମାଜରେ କୌଣସି ଗୁରୁତ୍ବ ନାହିଁ। 

 

ସାଧାରଣରେ ଶିକ୍ଷକମାନେ କରୋନା ସମୟରେ କିଛି କରୁନାହାନ୍ତି, ବସି ବସି ବେତନ ନେଉଥିବାର ଗୋଟିଏ ଭ୍ରାନ୍ତ ଧାରଣା ସାଧାରଣରେ ସୃଷ୍ଠି କରାଯାଇ ଶିକ୍ଷକ ସମାଜକୁ କଷ୍ଟ ଦେଉଥିବା ବେଳେ ଏହି ଘଟଣା ତାହାକୁ ଦ୍ବିଗୁଣିତ କରିଦେଇଛି। ଅନେକ ହୁଏତ ଭାବୁଥିବେ ଏହା ଶିକ୍ଷକର ମଜବୁରୀ ବାସ୍ତବିକ୍ ତାହା ନୁହେଁ । ଶିକ୍ଷକ ଜାତି ଏକ ଶୃଙ୍ଖଳାର ପରିଧି ମଧ୍ୟରେ ତା ଜୀବନକୁ ପରିଚାଳିତ କରିଆସିଛି, ସେମାନେ ସବୁ ଦୁଃଖ କଷ୍ଟକୁ ସହିଯିବାରେ ଅଭ୍ୟସ୍ତ ଥାଆନ୍ତି ଯାହାର ପ୍ରତିଫଳନ ଆଜି ଗଞ୍ଜାମ ଆଉ ବାଲେଶ୍ବରରେ ଦେଖି ବାକୁ ମିଳିଲା । 

 

ଦିନକୁ ଦିନ ଆମ ସାମାଜିକ ବ୍ୟବସ୍ଥା ଶିକ୍ଷକର ମାନ ମର୍ଯ୍ୟଦାକୁ ନଷ୍ଟ କରିଚାଲିଛି । କଥା କଥାକେ ଆମ ବ୍ୟବସ୍ଥା ଶିକ୍ଷକକୁ ସର୍ବସାଧାରଣଙ୍କ ସହ ପ୍ରତ୍ୟକ୍ଷ ସେବା ପରି କାର୍ଯ୍ୟରେ ଲଗାଉଛି । ପ୍ରଶ୍ନ ଉଠୁଛି ଯଦି କରୋନା ମୁକାବିଲାରେ ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ଆଇନକୁ କଠୋର କରି ପାରୁଛନ୍ତି ତା‘ହେଲେ ଶିକ୍ଷକ ମାନଙ୍କ ବେଳକୁ କାହିଁକି ନୁହେଁ। ଏହାକୁ ନେଇ ଓଡିଶା ମାଧ୍ୟମିକ ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସରକାରଙ୍କ ପାଖରେ ଶିକ୍ଷକଙ୍କର ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । 

 

ଏ ଘଟଣା ଆମ ସାମାଜିକ ବ୍ୟବସ୍ଥାର ଏକ ଭୟଙ୍କର ବିଲକ୍ଷଣ ପରି ମନେହୁଏ। ଏହାର ତୁରନ୍ତ ସମାଧାନ କରା ନଗଲେ ଏହା ଆଗକୁ ଅଧିକ କ୍ରିୟାଶୀଳ ହେବ। ଅସାମାଜିକ ଚରିତ୍ରମାନେ ଉତ୍ସାହିତ ହେବେ । ଧିରେଧିରେ ସମାଜରେ ଶିକ୍ଷକ ଗୁରୁ ବା ଆଚାର୍ଯ୍ୟଙ୍କର ସମ୍ମାନ କ୍ଷୁର୍ଣ୍ଣ ହେବ । ବେଳ ଥାଉ ଥାଉ ସରକାର ଆଉ ଶିକ୍ଷା ବିଭାଗ ଯଦି ଏଦିଗ ପ୍ରତି ଯତ୍ନବାନ ନହୁଅନ୍ତି ତାହେଲେ ସର୍ବନାଶ ହେବା ନିଶ୍ଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

 ବିରଂଚି ନାରାୟଣ ଦାସ

Leave a Reply

Your email address will not be published. Required fields are marked *

You cannot copy content of this page