ଆମେରିକା ରେ ଓଡ଼ିଆ ଅଧିବାସୀଙ୍କ ଦ୍ବାରା ଏକ ବହୁମୁଖୀ କଲ୍ୟାଣ ମଣ୍ଡପ ଓ ସାଂସ୍କୃତିକ କେନ୍ଦ୍ର ଉଦ୍‍ଘାଟିତ

0

ଆମେରିକା/ହ୍ୟୁଷ୍ଟନ (ସଙ୍କେତ ଖବର): ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଟେକ୍‍ସାସ୍‍ ରାଜ୍ୟର ହ୍ୟୁଷ୍ଟନ ମହାନଗରୀରେ ଓଡ଼ିଶାର ଏକ ସାଂସ୍କୃତିକ କେନ୍ଦ୍ର ନିକଟରେ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି । ଡଃ.ଏସ୍‍.କେ. ଦାଶ ସେଣ୍ଟର ଫର ଓଡ଼ିଆ କଲ୍‍ଚର ନାମକ ଏହି କେନ୍ଦ୍ରକୁ ପ୍ରଖ୍ୟାତ ବୈଜ୍ଞାନିକ ଓ ସମାଜସେବୀ ଡଃ ସୀତକଣ୍ଠ ଦାଶ ଏବଂ ତାଙ୍କର ସହଧର୍ମିଣୀ କବୟିତ୍ରୀ କଳ୍ପନା ଦାଶ ପାରମ୍ପରିକ ଭାବେ ଫିତା କାଟି ଉଦ୍‍ଘାଟନ କରିଥିଲେ । ୩୧୦୧-ଫିକୱେ ମାର୍ଗଠାରେ ଓରିସା କଲଚର ସେଣ୍ଟର (ଓ.ସି.ସି) ଦ୍ୱାରା ନିର୍ମିତ ଏହି ସୁନ୍ଦର, ସୁଶୋଭିତ ତଥା ସୁରମ୍ୟ କେନ୍ଦ୍ରଟି ବୃହତ୍‍ ହ୍ୟୁଷ୍ଟନ ଠାରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କ ପାଇଁ ଏକ ବହୁମୁଖୀ କଲ୍ୟାଣ ମଣ୍ଡପ ତଥା ସାମାଜିକ ଓ ସାଂସ୍କୃତିକ ପୀଠସ୍ଥଳୀ ଭାବରେ କାର୍ଯ୍ୟ କରିବ ବୋଲି ଜଣାଯାଇଛି ।

୨୦୦୯ ମସିହାରେ ପ୍ରତିଷ୍ଠିତ ଓ.ସି.ସି, ସଂସ୍କୃତି, ସାହିତ୍ୟ, ଧର୍ମ ଏବଂ ଆଧ୍ୟାତ୍ମିକତା ମଧ୍ୟରେ ସମନ୍ୱୟ ରକ୍ଷାକାରୀ ଏକ ଅନନ୍ୟ ମଞ୍ଚ ଭାବରେ ଉଦ୍‍ଭବ ହେବାକୁ ଚାହୁଁଥିବା ଉଦ୍ୟୋକ୍ତାମାନଙ୍କ ସୂତ୍ରରୁ ପ୍ରକାଶ । ଭବିଷ୍ୟତରେ ଏଠାରେ ମନ୍ଦିର, ପାଠାଗାର ଓ ସଂଗ୍ରହାଳୟ ଆଦି ସ୍ଥାପନ କରାଯିବାର ଯୋଜନା ରହିଛି ।


ଉଦ୍‍ଘାଟନୀ ଉତ୍ସବରେ ଉଦ୍‍ବୋଧନ ଦେଇ ମୁଖ୍ୟ ଅତିଥି ଡଃ ସୀତକଣ୍ଠ ଦାଶ, ଏହି ସାଂସ୍କୃତିକ କେନ୍ଦ୍ର ଟେକସାସ୍‍ ତଥା ଆମେରିକାରେ ଓଡ଼ିଶାର କଳା, ସଂସ୍କ୍‍ୃତି, ଭାସ୍କର୍ଯ୍ୟ,
ପରମ୍ପରା, ଐତିହ୍ୟ, ପର୍ଯ୍ୟଟନ, ପରିପାଟ୍ଟୀ ଏବଂ ବ୍ୟଞ୍ଜନକୁ ପ୍ରସାର, ପ୍ରଚାର ତଥା ଲୋକପ୍ରିୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ ।
ସ୍ୱାଗତ ଭାଷଣ ପ୍ରଦାନ କରି ଓ.ସି.ସିର ଅଧ୍ୟକ୍ଷ ଡଃ ଆଦିତ୍ୟ ସାମଲ, ହ୍ୟୁଷ୍ଟନସ୍ଥିତ ଓଡ଼ିଆ ସମ୍ପ୍ରଦାୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ତଥା ପରସ୍ପର ମଧ୍ୟରେ ଭାବର
ଆଦାନପ୍ରଦାନକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଥିବା ଦର୍ଶାଇଥିଲେ । ସଭାକୁ ସମ୍ବୋଧନ କରି ଓ.ସି.ସିର ସଭାପତି ଡଃ ଦେବାନନ୍ଦ ପତି, ଏହି କେନ୍ଦ୍ର
ସ୍ଥାପନ ହେବା ଦ୍ୱାରା ହ୍ୟୁଷ୍ଟନର ଓଡ଼ିଆ ଅଧିବାସୀ ମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଥିବା ସୁଚାଇଥିଲେ ।

କେନ୍ଦ୍ରର ଉତ୍ତୋରତ୍ତର ଉନ୍ନତି ପାଇଁ ଡଃ ପତି ସମସ୍ତଙ୍କର
ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ଏହି ଉପଲକ୍ଷେ ଓ.ସି.ସି ତରଫରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ନବ ନିର୍ମିତ କମ୍ୟୁନିଟି ହଲ୍‍ ଠାରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଶ୍ରୀସୁଦର୍ଶନଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମୁଖ୍ୟ ଅତିଥି ଡଃ ଦାଶ ସସ୍ତ୍ରୀକ ଦିଅଁମାନଙ୍କଠାରେ ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଏହା ପୂର୍ବରୁ ଏଠାରେ ଅଙ୍କୁରୋପଣ, ଅଧୀବାସ, କଳସ ଯାତ୍ରା, ବାସ୍ତୁ ପୂଜା, ବିଷ୍ଣୁ
ଏବଂ ଜଗନ୍ନାଥ ସହସ୍ର ନାମ ଯଜ୍ଞ ଆଦି ଧାର୍ମିକ ବିଧି ଯଥାରିତୀ ସମ୍ପନ୍ନ କରାଯାଇଥିଲା । ଚାରି ଠାକୁରଙ୍କୁ ପହଣ୍ଡି କରି ଘଣ୍ଟ, କର୍ତ୍ତାଳ, ଝାଞ୍ଜର ଘୋର ଘର୍ଗରନାଦ ଏବଂ ଜୟ
ଜଗନ୍ନାଥ ଧ୍ୱନୀ ମଧ୍ୟରେ ସିଂହାସନକୁ ନିଆଯାଇଥିଲା । ବିଶେଷ କରି ମହିଳା ମାନଙ୍କ ଦ୍ୱାରା ଦେବୀ ଶୁଭଦ୍ରାଙ୍କର ପହଣ୍ଡି ବିଜେର ଦୃଶ୍ୟ ବେଶ୍‍ ମନୋରମ ଥିଲା । ଚାରି ଦିନ ବ୍ୟାପୀ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବର ବିଭିନ୍ନ ଦିବସରେ ସ୍ୱାମୀ ସର୍ବପ୍ରିୟ ନନ୍ଦ ଏବଂ ଡଃ ସୂର୍ଯ୍ୟନାରାୟଣ ନନ୍ଦ ପ୍ରବଚନ ପ୍ରଦାନ କରିଥିଲେ । ଏହି ଅବସରରେ ଡଃ ନିତ୍ୟାନନ୍ଦ ଉପାଧ୍ୟାୟ ଓ ଶ୍ରୀମତୀ ପ୍ରଜ୍ଞାନ ଉପାଧ୍ୟାୟ, ଆନନ୍ଦ ବଜାରର ଶୁଭାରମ୍ଭ କରିଥିବାବେଳେ ଡଃ ଅରୁଣ ବର୍ମା ଓ ଶ୍ରୀମତୀ ଭିନ୍ନୀ ବର୍ମା, ଶ୍ରୀ ସୀତାରାମ ପ୍ରତିଷ୍ଠାନ ହଲ୍‍କୁ ଉଦ୍‍ଘାଟନ କରିଥିଲେ ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟର ହ୍ୟୁଷ୍ଟନ ଠାରେ ଅବସ୍ଥାପିତ ଭାରତର କନ୍‍ସଲ୍‍ ଜେନେରାଲ ଅସୀମ ମହାଜନ, ହ୍ୟୁଷ୍ଟନର ମେୟର ସିଲଭେଷ୍ଟର ଟର୍ନର, ବିଚାରପତି କେ.ପି. ଜର୍ଜ, ସମ୍ପ୍ରଦାୟ ସମ୍ପର୍କ ବିଶେଷଜ୍ଞ ବେଟ୍ଟୀ ରୁସୋ, ଓ.ସି.ସିର ଉପସଭାପତି ମାଧବ ମହାରଣା, କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି, ସମ୍ପାଦକ ଶ୍ରୀମନ୍ତ ଦାଶ, ଓସାର ଦକ୍ଷିଣପଶ୍ଚିମ ଚାପ୍‍ଟରର ସଭାପତି ସ୍ୱରୁପ ପଣ୍ଡା, ଡଃ ଯାମିନୀ ନୟାଗାନ୍ଧୀ, ଡଃ ଗୋପାଳ ମହାପାତ୍ର, ଦିଲ୍ଲୀପ ପାତ୍ର, ବିକ୍ରମ କୁମାର, ଡଃ ଆରତୀ ନନ୍ଦ ପତି, ଆବିଜର ତଏବଜି,ଶ୍ରୁତି ମହାନ୍ତି ରାଉତ, ବ୍ରିଜେଶ ରାଉତ, ଜ୍ୟୋତ୍ସ୍ନା ଜେନା ଓ ଗିରୀଶ କୁମାର ଲେଙ୍କା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page