ସରକାରଙ୍କ ନିର୍ଦ୍ଦେଶକୁ ଫୁ, ଅଫଲାଇନରେ ଚାଲିଛି ମଦ ବିକ୍ରି

0

ବିଂଝାରପୁର (ସଙ୍କେତ ଖବର): ଲକଡାଉନରେ ରାଜ୍ୟ ସରକାର ମଦ ଦୋକାନ ଖୋଲିବା ଉପରେ କଟକଣା ଜାରୀ କରିଥିବା ବେଳେ ଅନଲାଇନ୍ ମାଧ୍ୟମରେ ବୁକିଙ୍ଗ ଓ ପାର୍ସଲ ମାଧ୍ୟମରେ ମଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କେତେକ ଲାଭଖୋର ବ୍ୟବସାୟୀ ସରକାରଙ୍କ ନିର୍ଦ୍ଦେଶକୁ ଫୁକରି ଖୁଲମଖୁଲ୍ଲା ଦିନ ଦ୍ଵିପ୍ରହରେ ମଦ ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ମଦ ଦୋକାନ ସମ୍ମୁଖରେ ଲୋକଙ୍କ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି। ଅଭିଯୋଗରୁ ପ୍ରକାଶ ଯେ ବିଂଝାରପୁର ବଜାର ଅଞ୍ଚଳରେ ଖୋଲାଥିବା ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକୁ ଦିନ ୧୧ଟା ପରେ ପୁଲିସ ବନ୍ଦ କରୁଥିବା ବେଳେ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନ ସମ୍ମୁଖରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମଦ ଦୋକାନର ସମ୍ମୁଖ କବାଟ ବନ୍ଦ ଥିବାବେଳେ ଦୋକାନ ସାଇଡରେ ଥିବା ଏକ ଟିଣ ଗେଟ୍ ଦେଇ ମଦ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ।
ବିଂଝାରପୁର ବ୍ୟବସାୟୀ ମାନଙ୍କ ଅଭିଯୋଗ ଯେ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଅତ୍ୟାବଶ୍ୟକୀୟ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିଥାଏ। ଅନ୍ୟ ଦୋକାନ ସବୁ ବନ୍ଦ ରହୁଥିବା ବେଳେ ମଦ ଦୋକାନକୁ ପାର୍ସଲ କରିବାକୁ ନିର୍ଦ୍ଦେଶ ଅଛି। ଯଦି ଦୋକାନ ବନ୍ଦ କରୁକରୁ ୫ ମିନିଟ ଡେରି ହୋଇଯାଉଛି ତେବେ ପୁଲିସ ଦୋକାନୀଙ୍କ ଉପରେ ଚଢାଉ କରିବାସହ ତାଙ୍କଠାରୁ ଜରିମାନା ଆଦାୟ କରୁଛି କିନ୍ତୁ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ମଦ ଦୋକାନ ସମ୍ମୁଖରେ ୧୨ଟା ପର୍ଯ୍ୟନ୍ତ ଭିଡ ରହୁଛି ପୁଲିସ ଚୁପ୍ କାହିଁକି। ତେବେ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ମଦ ଦୋକାନ ସମ୍ମୁଖରେ ଅସଂଖ୍ୟ ଲୋକଙ୍କ ଭିଡକୁ ନେଇ ସାଧାରଣରେ ପୁଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସଂପର୍କରେ ଏସଆଇ କଣ୍ଡୁରୀ ଚରଣ ଦାସଙ୍କୁ ପଚାରିବାରୁ ଆମ ନଜରକୁ ଆସିଲେ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page