ଗଡମଧୁପୁର ଓ ଜେନାପୁର ଅଂଚଳର ଲୋକଙ୍କ ବଢୁଛି ଦୁର୍ଦ୍ଦଶା

0

ଯାଜପୁର(ସଙ୍କେତ ଖବର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡମଧୁପୁର ଏବଂ ଜେନାପୁର ଠାରେ ଥିବା ଦୁଇଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଡାକ୍ତର ପଦବୀ ଖାଲି ପଡିଛି । ମହାମାରୀ କରୋନା ସମୟରେ ଡାକ୍ତର ନଥିବାରୁ ଏହି ଅଂଚଳରେ ଅତି ଦାରୁଣ ଅବସ୍ଥା ସୃଷ୍ଟି ହୋଇଛି । ସେହିପରି ନିକଟସ୍ଥ କବାଟବନ୍ଧର ସାରୋଇ ଏବଂ ଅଂଟିଆ ସବସେଂଟରରେ ମଧ୍ୟ କୌଣସି ଅଧିକାରୀ ନଥିବାରୁ ପ୍ରାୟ ୨୦ ହଜାର ଲୋକ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଏବଂ ଟୀକାରୁ ବଂଚିତ ହେଉଛନ୍ତି । ତେଣୁ ଏଠାରେ ତୁରନ୍ତ ଅସ୍ଥାୟୀ ଡାକ୍ତର ନିଯୁକ୍ତି ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପଠାଇବାକୁ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।
ତା ସହିତ ସେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଦୀର୍ଘବର୍ଷ ତଳେ ଗଡମଧୁପୁର ଡାକ୍ତରଖାନା ସମ୍ମୁଖରେ ଦୀର୍ଘଦିନ ଧାରଣାରେ ବସିବା ପରେ ଡାକ୍ତରଖାନାର ବହୁ ସମସ୍ୟା ସମାଧାନ ହୋଇଥିଲା । ବାତ୍ୟା ଏବଂ ବର୍ଷା ଆସିଲେ ଲୋକ ମାନେ ଦୂରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ପାରୁନାହାନ୍ତି । ସେପଟେ କରୋନା ସାଙ୍ଗକୁ ଝାଡାବାନ୍ତି ଓ ଜ୍ୱର ବ୍ୟାପିଲାଣି । ଭୟରେ କେହି ଘରୁ ବାହାରି ପାରୁ ନାହାନ୍ତି । ଏଥିପାଇଁ ଏହି ଅଂଚଳରେ ତୁରନ୍ତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପହଂଚାଯାଉ ନଚେତ ଦୁଇ ଡାକ୍ତରଖାନାକୁ ଅସ୍ଥାୟୀ ଡାକ୍ତର ପଠାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏକ ଜନମଙ୍ଗଳ ରାଷ୍ଟ୍ରରେ ଲୋକଙ୍କ ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟସେବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ଦୃଷ୍ଟିକୋଣରୁ ଉଭୟ ଜେନାପୁର ଏବଂ ଗଡମଧୁପୁରର ରାଜ୍ୟରେ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଏହି ଅଂଚଳର ଲୋକ ମାନଙ୍କୁ ଏଭଳି ତୁଚ୍ଛ ଦୃଷ୍ଟିରେ ଦେଖା ନଯାଇ ତୁରନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଉ । ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ । କରୋନା ସମୟରେ କୌଣସି ଆନ୍ଦୋଳନ ଉଚିତ ନୁହେଁ । ଯଦି ଏହାର ସମାଧାନ ନକରାଗଲେ ଆଗାମୀ ଦିନରେ ଦୃଢ ଭାବେ ବିରୋଧ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page