ଗ୍ରାମ୍ୟ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା :୧୪ରୁ ଉର୍ଦ୍ଧ୍ୱ ଗାଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

0

ବାଲିଗୁଡା (ସଙ୍କେତ ଖବର): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଓ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ବିକାଶର ଏକ ନଗ୍ନ ରୂପ ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେଲା ରାସ୍ତା ମରାମତି କାର୍ଯ୍ୟ ହୋଇନାହିଁ । ଏଥି ଯୋଗୁଁ ୧୪ ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି କଦର୍ଯ୍ୟ ରାସ୍ତାରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ବୋଧେ ବିଭାଗୀୟ କର୍ତ୍ତୃପକ୍ଷ ଏହି ରାସ୍ତା ନିର୍ମାଣ ପରେ ନିଜ ମାନଚିତ୍ରରୁ ଏହାକୁ ହଟାଇ ଦେଲେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହି ରାସ୍ତାର ଅବସ୍ଥା କିପରି ଅଛି ଯାତାୟତ କରୁଥିବା ୧୪ ରୁ ଉର୍ଦ୍ଧ ଗ୍ରାମ କାକମାହା, ଗୁଡ଼ୁଡ଼ି, କୁଲେଚି, କାମ୍ବା, କାତାଡି, ହଜଗାଁ, ପୀଡୁଡିମିଲା, ଜାରିଗିଗୁଡା, କାତୁଶି, ସୀତାଗୁଡା, ଗଞ୍ଜୁଗୁଡା, ଲାଞ୍ଜମୀ, ନୂଆ ବରିକିଆ, ବୋରିକିଆ ଗ୍ରାମର ଲୋକେ କିପରି ଦୁର୍ଦଶା ଭୋଗୁଛନ୍ତି ସେ ସମ୍ପର୍କେ ନା ଜାଣିବାର ଅଛି ଜିଲ୍ଲା ପ୍ରଶାସନକୁ ନା ବିଭାଗୀୟ କର୍ତ୍ତୃପକ୍ଷ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ପାରିଗଡ ପଞ୍ଚାୟତର ୧୧ନଂ. ୱାର୍ଡର ବୋରିକିଆ ଗ୍ରାମ ମୁଖ୍ୟ ରାସ୍ତା ଠାରୁ ଦାରିଙ୍ଗବାଡି ବ୍ଲକ ର ବୁଡ଼ାଗୁଡା ରାସ୍ତାର ଅବସ୍ଥା ନ କହିବା ଭଲ । ପାହାଡ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ସେଠାକାର ଲୋକେ । ଏଠାରେ ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ହୋଇନଥିବାରୁ ଲୋକେ ଏକ ପ୍ରକାର ଅଭିଶପ୍ତ ଜୀବନଯାପନ କରୁଛନ୍ତି ।

ଏହି ରାସ୍ତାଟି କୋଟଗଡ ଓ ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ସଂଯୋଗ ହୋଇଥିବାରୁ ଲୋକେ ଜୀବିକା ନିମନ୍ତେ ଏହି ୧୪ ଟି ଗ୍ରାମବାସୀ ଏଇ ଦୁଇ ବ୍ଲକ ଉପରେ ନିର୍ଭର କରିଥାନ୍ତି । ହେଲେ ଯାତାୟତ କରିବାରେ ସମସ୍ୟା ଉପୁଜି ଥିବାରୁ ଜରୁରୀ କାର୍ଯ୍ୟ ଯାହାକି, ସରକାରୀ ଓ ବେସରକାରୀ କାର୍ଯ୍ୟ ସହିତ ମୁଖ୍ୟତଃ ମେଡିକାଲକୁ ଯିବା ନିମନ୍ତେ ଉକ୍ତ ଗ୍ରାମ ଗୁଡିକୁ କୌଣସି ଯାନବାହାନ ଯାତାୟାତ କରେ ନାହିଁ, ଅତି କଷ୍ଟରେ କୋଟଗଡ ଓ ଦାରିଙ୍ଗବାଡି ସହରକୁ ଆସିଲେ ହିଁ ଯେ କୌଣସି ଯାନବାହାନ ମିଳିଥାଏ । ରାସ୍ତା ଖରାପ ଥିବା ଯୋଗୁଁ ନିଜର ବାଇକରେ ଆସିବା ମଧ୍ୟ ବହୁ କଷ୍ଟ ଦାୟକ ହୋଇପଡେ । ପାରିଗଡ ପଞ୍ଚାୟତର ୧୧ନଂ. ୱାର୍ଡର ବୋରିକିଆ ଗ୍ରାମ ମୁଖ୍ୟ ରାସ୍ତା ଠାରୁ ଦାରିଙ୍ଗବାଡି ବ୍ଲକ ର ବୁଡ଼ାଗୁଡା ରାସ୍ତା ଦୀର୍ଘ ୩ କି. ମି. ରାସ୍ତା ଇତି ମଧ୍ୟରେ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି ।
ଏହି ରାସ୍ତାରେ ଯିବା ଆସିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ତେବେ ଏହି ୧୪ଗୋଟି ଗ୍ରାମାଞ୍ଚଳର ଏକ ମାତ୍ର ନିର୍ଭରଶୀଳ ଏହି ରାସ୍ତା ତୁରନ୍ତ ପୁନଃ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି । ରାସ୍ତା ଥାଇ ନଥିଲା ସଙ୍ଗେ ସମାନ । କେଉଁଠି ମାଟି ଉଠି ଯାଇଛି ତ ଆଉ କେଉଁଠି ମେଟାଲ ଉଠି ଖାଲ ହୋଇ ରହିଛି । ଆଉ କେଉଁଠି ରାସ୍ତା ଧୋଇ ଖାଲଖମାର ସୃଷ୍ଟି ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହେଉଛି ।
ଏହି ରାସ୍ତା ମରାମତି ସମ୍ପର୍କରେ ୧୪ଟି ଗ୍ରାମର ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସମେତ ବାଲିଗୁଡା ଓ ଜି. ଉଦୟଗିରି ବିଧାୟକ ତଥା ବାଲିଗୁଡା ଉପଜିଲ୍ଲାପାଳ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରେ ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବା ସହ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି । ଏଣୁ ଏହି ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page