ଟ୍ରେନ ଚାଲିବା ନିଷ୍ପତ୍ତି କେତେଦୁର ଠିକ୍ ?

0

ସ୍ଥିତି ସାମାନ୍ୟ ସୁଧୁରି ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଆମେ କହୁଛୁ ଆସନ୍ତା ୧୨ ତାରିଖ ଠାରୁ ଦିଲ୍ଲୀରୁ ୧୫ ଯୋଡା ଟ୍ରେନ ଚାଲିବାର ନିଷ୍ପତ୍ତି ସମ୍ପର୍କରେ । ଯେତବେଳେ ଦେଶରେ କରୋନା ପ୍ରାଥମିକ ଅବସ୍ଥାରେ ଥିଲା ସେତବେଳେ ଆମେ ଲକ୍ ଡାଉନକୁ ପୁରା କଡାକଡି କଲେ ଅଥଚ ଯେତ ବେଳେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ସେତବେଳେ ଲକ୍ ଡାଉନକୁ କୋହଳ କରି ଏଭଳି ନିଷ୍ପତ୍ତି ନିଆଯାଉଛି ।

ପ୍ରଥମେ କୁହାଗଲା ଜୀବନ ଆଗ ଜୀବିକା ପଛ ହେଲେ ଏବେ ଶୁଣିବାକୁ ମିଳୁଛି ଜୀବିକା ଆଗ । ପ୍ରଶ୍ନ ଉଠୁଛି ଏ ଟ୍ରେନ ଏମିତି କ’ଣ ନିହାତି ଦରକାର ପଡିଲା ଯାହା ସରକାର ଚାହିଁଥିଲେ ଆଉ କିଛିଦିନ କ’ଣ ଟାଳି ଦେଇ ପାରିନଥାନ୍ତେ ? ପ୍ରକୃତ କଥା ହେଉଛି ଏଠି ସାଧାରଣ ନାଗରିକର କଥା ଶୁଣୁଛି କିଏ ? ଯେଉଁ କାମ ପାଇଁ ଆଜି ସରକାର ଏତେ ବ୍ୟସ୍ତ ଯଦି ସେହି କାମ ଲକ୍ ଡାଉନ ଘୋଷଣାର ୪ଦିନ ଆଗରୁ ଦେଶବାସୀଙ୍କୁ ସୁଯୋଗ ମିଳିଥାନ୍ତା ତାହେଲେ ଏତେ ଯନ୍ତ୍ଳଣାର ଚିତ୍ର ଦେଖିବାକୁ ମିଳିନଥାନ୍ତା ।

ଦେଶର ସମସ୍ତ ଶ୍ରମିକ ନିଜ ଘରେ ପହଞ୍ଚି ଯାଇଥାନ୍ତେ । ମାତ୍ର ୪ ଘଣ୍ଟାର ମହଲତ ପରେ ଘୋଷଣା କରି ଦିଆଗଲା ଲକ୍ ଡାଉନ୍ । ଲୋକ କିଛି ବୁଝିବା ପୂର୍ବରୁ ସବୁଆଡେ ତାଲା ପଡିଗଲା । ସବୁଠାରୁ ବେଶି ଅସୁବିଧାର ସମ୍ନା କଲେ ଗରୀବ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକେ । ଜନ୍ମମାଟିରୁ ବହୁ ଦୁରରେ କାମ କରୁଥିବା ଏହି ପ୍ରବାସୀମାନେ ହାତରୁ କାମ ଚାଲିଗଲା ପରେ ପେଟ ବିକଳରେ ଶହ ଶହ ମାଇଲ୍ ଚାଲିଚାଲି ଯିବାକୁ ପଡିଲା ସେମାନଙ୍କୁ । କେତବେଳେ କିଏ ଚାଲୁଚାଲୁ ରାସ୍ତାରେ ଟଳି ପଡିଲାତ ପୁଣି କାହାର ରେଳଚକ ତଳେ ପ୍ରାଣ ଚାଲିଗଲା।

ସରକାର ଏବେ ଜୀବିକାକୁ ନେଇ ବେଶି ବ୍ୟସ୍ତ, ହେଲେ ଜୀବନ ଥିଲେତ ଜୀବିକାର ମୂଲ୍ୟ ବୁଝା ପଡିବ । ଆଜିବି ଆମେରିକା, ଜର୍ମାନ ଆଦି ଅନେକ ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରାଯାଇ ନାହିଁ । ସେମାନେ ଏଭଳି ଏକ ପରିସ୍ଥିତି ଆସିବ ବୋଲି ଆକଳନ କରି ଲକ୍ ଡାଉନ କଡାକଡି କରିନଥିଲେ । କିନ୍ତୁ ଆମେ ଆମର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏହା କରିବାକୁ ବାଧ୍ୟ ହେଲେ । ଏବେ ପ୍ରଶ୍ନ ଉଠୁଛି ଏହି ଦୁଇମାସ ମଧ୍ୟରେ ସ୍ଥିତିରେ ଏମିତି କ’ଣ ସୁଧାର ଆସିଗଲାଯେ ଆମେ ରେଳ ବିମାନ ଚଲାଇବାକୁ ନିଷ୍ପତ୍ତି ନେଲେ ?

ଯେଉଁ ବାଟ ଦେଇ ଏ ଭୁତାଣୁ ବିଦେଶରୁ ଦେଶକୁ ଆଉ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବ୍ୟାପିଥିଲା ଏବେ ସେ ରାସ୍ତା ପୁନର୍ବାର ଖୋଲିବାକୁ ଯାଉଛି । ଆଜିବି ମହାରଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ସ୍ଥିତି ଗମ୍ଭୀର । ଓଡିଶା କଥା ଦେଖିଲେ ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୨୦୦ ଆକ୍ରାନ୍ତ ଗତ ସପ୍ତାହକ ମଧ୍ୟରେ ଯାହାପୁଣି ଦୁଇଟି ରାଜ୍ୟରୁ ଆସିଛି ପ୍ରବାସୀଙ୍କ ମାଧ୍ୟମରେ । ଶୁଣିବାକୁ ମିଳୁଛି ଦିଲ୍ଲୀରୁ ବାହାରିବାକୁ ଥିବା ୧୫ ଯୋଡା ଟ୍ରେନ ପଛରେ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଖୁସି କରିବାର ଯୋଜନା ଅଛି ।

ଅନେକ ସାଂସଦ, ସ୍ବଚ୍ଛଳ ବର୍ଗଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ଯଦି ସରକାର ଏଭଳି ନିଷ୍ପତ୍ତି ନେଉଥାନ୍ତି ତାହେଲେ ଏହା ଏକ ଆତ୍ମଘାତୀ ନିଷ୍ପତ୍ତି ବୋଲି ବୁଝିବାକୁ ପଡିବ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁଯାୟୀ ଆସନ୍ତା ଦିନରେ ଏହି କରୋନା ତାର ପ୍ରକୃତ ରୂପ ଦେଖାଇବାକୁ ଯାଉଛି ଆଉ ଯଦି ଏହା ସତ୍ୟ ହୁଏ ତାହେଲେ କେଉଁ ପରିସଂଖ୍ୟାନ ଆଧାରରେ ସରକାର ଏଭଳି ନିଷ୍ପତ୍ତି ନେଉଛିନ୍ତି ତାହା ବୁଝି ହେଉନାହିଁ । ସହଜ ଭାବରେ କହିବାକୁ ଗଲେ ବିମୁଦ୍ରୀକରଣ ହେଉ ବା କରୋନା ପାଇଁ ଲକ୍ ଡାଉନ୍ ସବୁବେଳେ ସାଧାରଣ ନାଗରିକଟିକୁ ହଇରାଣ ହେବାକୁ ପଡୁଛି ।

ଏବେବି ସମୟ ଅଛି ଏ ନିଷ୍ପତ୍ତିର ପୁନର୍ବିଚାର କରିବାର । ଦେଶରେ ଏବେସୁଦ୍ଧା ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ପହଞ୍ଚିଲାଣି ୨୧ ଶହରେ । ଏଭଳି ସମୟରେ ଟ୍ରେନ୍ ଚାଲିବା ନିଷ୍ପତ୍ତି କେତେଦୁର ଠିକ୍ ତାହା ସବୁଠାରୁ ବଡ ପ୍ରଶ୍ନ । ଅନ୍ତତପକ୍ଷେ ଏତେ ପରିଶ୍ରମ ବୃଥା ନଯାଉ ଏହା ଆମର ମତ ।

                                                                                                                                                       ବିରଂଚି ନାରାୟଣ ଦାସ

09438214989

Leave a Reply

Your email address will not be published. Required fields are marked *

You cannot copy content of this page