ବୈତରଣୀ ନଦୀରୁ ଅଚିହ୍ନା ଶବ ଉଦ୍ଧାର, ହତ୍ୟା ସନ୍ଦେହ
ଦଶରଥପୁର (ସଙ୍କେତ ଖବର): ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସିଦ୍ଧେଶ୍ୱର ଘାଟ ନିକଟରୁ ଗୁରୁବାର ଦିନ ଏକ ଅଚିହ୍ନା ଶବ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୨ ଘଟିକା ସମୟରେ ସିଦ୍ଧେଶ୍ୱର ଘାଟ ନିକଟ ବୈତରଣୀ ନଦୀ ପାଣିରେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଯାଜପୁର ଟାଉନ ଥାନାକୁ ସୂଚନା ଦେଇଥିଲେ । ଯାଜପୁର ଟାଉନ ଥାନା ପୁଲିସ୍ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଭାସୁଥିବା ଶବକୁ ଉଦ୍ଧାରକରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ଉଦ୍ଧାର ଶବଟି ଅଚିହ୍ନା ପୁରୁଷଙ୍କର ହୋଇଥିବା ବେଳେ ବୟସ ପାଖାପାଖି ୩୦ ରୁ ୩୫ ହେବ ବୋଲି ଅନୁମାନ କରାଯାଏ । ଶବର ହାତ ଓ ଗୋଡ ବନ୍ଧାଯାଇ ଥିବା ବେଳେ ତାଙ୍କୁ ହତ୍ୟାପରେ ନଦୀ ପାଣିରେ ଫିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ଢ଼େର ସମୟ ବିତିଯାଇଥିବାରୁ ଶବଟିକୁ ଚିହ୍ନିବା କଷ୍ଟକର ହୋଇପଡିଥିବା ବେଳେ ଯାଜପୁର ପୋଲିସ୍ ଏ ଘଟଣାରେ ୨୫୮ /୨୧ରେ ଏକ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଶବଟି ଚିହ୍ନଟ ହୋଇପାରି ଜଣାଯାଇଛି ।