ଆସନ୍ତାକାଲି ଏହି ସବୁ ସ୍ଥାନରେ ମିଳିବ କୋରୋନା ଟିକା

0

ଯାଜପୁର (ସଂକେତ ଖବର) ଯାଜପୁର ଜିଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲା ପ୍ରଶାସନର ଉଦ୍ୟମ ଜାରି ରହିଛି । ଜିଲାର ବିଭିନ୍ନ ସ୍ଥାନରେ ନିୟମିତ କୋରୋନା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ପରିକ୍ଷା କରାଯାଉଛି । ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ନେଇ ଲୋକଙ୍କୁ ସତର୍କ କରାଯାଉଛି । ସାମାଜିକ ନିୟମ ମାନିବା ପାଇଁ ପରାମର୍ଶ ଦିଆଯାଉଛି । ଜିଲାର ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କୋରୋନା ଟିକା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ କୋଭିସିଲ୍ଡ ପ୍ରଦାନ କରାଯାଇଥିଲା । ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ମାନଙ୍କୁ ଏବେ ଦ୍ୱିତୀୟ ଡୋଜ ଦେବାର ବ୍ୟବସ୍ଥା କରାଯାଉଛି ।

ବଡଚଣା ବ୍ଲକ ବାଉଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଟୀକା ପାଇଁ ଭିଡ

କେନ୍ଦ୍ରରୁ ଟିକା ଆସିବାରେ ବିଳମ୍ବ ହେତୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକା ପ୍ରଦାନରେ ବିଳମ୍ବ ଦେଖାଦେଇଛି । ବିଭିନ୍ନ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ ଦେଖାଦେଇଛି । ଜିଲାର ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ବାଲିଚନ୍ଦ୍ରପୁରର ବାଉଜଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ବିଭିନ୍ନ ସ୍ଥାନରେ ଟିକା ନେବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଏପରିକି ପ୍ରବଳ ଭିଡ ସାଂଗକୁ ବୟସ୍କ ବ୍ୟକ୍ତିଙ୍କ ପାଇଁ କୌଣସି ସୁବିଧା ନଥିବା କଥା ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ଜିଲାପ୍ରଶାସନକୁ ଅବଗତ କରିଛନ୍ତି । କେଉଁଠି ଲୋକଙ୍କ ପାଇଁ ପାଣି ନାହିଁ ତ କେଉଁଠି ବସିବା ପାଇଁ ଜାଗା ନାହିଁ । ଟିକା ନେବା ପାଇଁ ଅନେକ ବ୍ୟକ୍ତି ପୂର୍ବ ରାତ୍ରିରୁ ଆସି ଲାଇନରେ ଛିଡା ହେଉଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ କୌଣସି ଛାଈର ବ୍ୟବସ୍ଥା ମଧ୍ୟ ନଥିବା ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଅନେକ ଲୋକ । କେତେକ ସ୍ଥାନରେ ଟିକା ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ ଆସିଛି ।

ଟୀକା ନେବା ପାଇଁ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ଭିଡ

ରାତି ଅଧରୁ ଆସି ଲାଇନରେ ଠିଆ ହୋଇ ରହିଥିବା ଲୋକେ ଟିକା ପାଇନଥିବା ବେଳେ କେତେକ ଲୋକେ ଟିକା ନେଇ ପଳାଉଥିବା ଭଳି ଅଭିଯୋଗ ଜିଲା ପ୍ରଶାସନ ନିକଟରେ ପହଂଚିଛି । କେତେକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୋରୋନା ଟିକା ଆସିବା ନେଇ ଗୁଜବ ହେଉଥିବାରୁ ଲୋକେ ଦିନ ଦିନ ଡାକ୍ତରଖାନା ସମ୍ମୁଖରେ ଅପେକ୍ଷା କରିରହୁଛନ୍ତି । ସେତେବେଳେ ସାମାଜିକ ଦୂରତାକୁ ଭୁଲି ଯାଇ ଓଲଟି କୋରୋନା ସଂକ୍ରମଣକୁ ନିମନ୍ତ୍ରଣ କରୁଥିବା ଭଳି ଘଟଣା ଦେଖିବାକୁ ମିଳୁଛି । ଏଭଳି ସବୁ ଅଭିଯୋଗ ପାଇବା ପରେ ଆଜି ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି କେଉଁ କେଉଁ ଅଂଚଳରେ କୋରୋନା ଟିକାକରଣ କରାଯିବ ସେ ନେଇ ବିବରଣୀ ପ୍ରଦାନ କରାଯାଇଛି । ଆସନ୍ତାକାଲି ବଡଚଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୦୦ ଡୋଜ ,ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଡୋଜ,ଧର୍ମଶାଳା ବ୍ଳକ ଅଧିନ କୋତପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୦ ଡୋଜ,ଯାଜପୁର ବ୍ଲକ ଆଦମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କମାଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଡୋଜ,କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଡୋଜ,ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦୦ ଡୋଜ,ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୦ ଡୋଜ,ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୦ ଡୋଜ ପ୍ରଦାନ କରାଯିବ । ଏହି ସବୁ କେନ୍ଦ୍ରରେ କେବଳ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଜିଲାପାଳ ଚକ୍ରବର୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଜିଲାର ବିଭିନ୍ଣ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିଆଯିବାକୁ ଥିବା ଟୀକା କେନ୍ଦ୍ରର ତାଲିକା

Leave a Reply

Your email address will not be published. Required fields are marked *

You cannot copy content of this page