ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆନ୍ତର୍ଜାତିକ ଆଧ୍ୟାତ୍ମିକ ଆଲୋଚନାଚକ୍ର ।

0

ନୂଆଦିଲ୍ଲୀ (ସଂକେତ ଖବର) : ଜୀବ ଭାବରେ ମଣିଷ, ଏହାର ଶ୍ରେଷ୍ଠତ୍ୱ ଓ ସ୍ୱତନ୍ତ୍ରତାକୁ ହରାଇବା ଫଳରେ କରୋନା ଭଳି ସଙ୍କଟ ଉପୁଜିଥିବା, ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ ମତ ପ୍ରକାଶ କରିଛନ୍ତି । ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା କୁମାର ଭାଇଙ୍କ ସିଦ୍ଧିପ୍ରାପ୍ତ ଦିବସ ଅବସରରେ ଆୟୋଜିତ ‘ସୃଷ୍ଟିର ରହସ୍ୟ’ ଶୀର୍ଷକ ଆନ୍ତର୍ଜାତିକ ଆଭାସି ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ
ଯୋଗଦେଇ ଡଃ ଦେବୀ, ସୃଷ୍ଟିର ଉତ୍ପତ୍ତି, ସ୍ରଷ୍ଟାଙ୍କର ଉଦ୍ଦେଶ୍ୟ ଏବଂ ସର୍ଜିତଙ୍କର ଅଭ୍ୟୁଦୟ ସଂକ୍ରାନ୍ତରେ ବିସ୍ତୃତ, ପ୍ରାଞ୍ଜଳ ଓ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ସ୍ରଷ୍ଟା ଜଳ,
ସ୍ଥଳ, ପାହାଡ଼, ପର୍ବତ, ବନ, ଲତା ଓ ପଶୁପକ୍ଷୀଙ୍କ ପରେ ଏମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରେଷ୍ଠ ଜୀବ ଭାବେ ମଣିଷକୁ ସର୍ଜନା କରିଥିଲେ ବୋଲି ଗୁରୁ ମା’ ଭାବରେ
ଲୋକପ୍ରିୟ ଡଃ ଦେବୀ ସୂଚାଇଥିଲେ । ଭଗବାନ ମାନବକୁ ଜଗତ କଲ୍ୟାଣ ସାଧନ ପାଇଁ ବୁଦ୍ଧି, ବିବେକ, ଶକ୍ତି ଏବଂ ପବନ, ପାଣି, ଉତ୍ତାପ ଓ ଅଗ୍ନି ଆଦି ସମ୍ପଦ ପ୍ରଦାନ କରିଥିବା ସେ ଉଲ୍ଲେଖ କରିଥିଲେ । କିନ୍ତୁ କାଳକ୍ରମେ ମଣିଷ ପଥଭ୍ରଷ୍ଟ ହୋଇ ଈଶ୍ୱରଙ୍କ ଦ୍ୱାରା ସ୍ଥିରୀକୃତ ସମ୍ବିଧାନକୁ ଉଲ୍ଲଙ୍ଘନ କରିବା ସହିତ ପ୍ରକୃତି ପ୍ରତି ଶ୍ରଦ୍ଧା, ସଦାଚାର ଓ ସମ୍ମାନ ପ୍ରଦର୍ଶନକୁ ଭୁଲିଯାଇ ଅତ୍ୟଧିକ ଲୋଭ, ସୁବିଧାବାଦ, ଗର୍ବ ଓ ଅହଙ୍କାରର ଶିକାର ହୋଇଥିବା ଗୁରୁ ମା’ ଦର୍ଶାଇଥିଲେ । ଦିନ ଆସିଲା ମଣିଷ ନିଜକୁ ସ୍ୱୟଂ ସୃଷ୍ଟିକର୍ତ୍ତା ବୋଲି ଆସ୍ଫାଳନ କରିବାକୁ ଲାଗିଲା । ଫଳସ୍ୱରୁପ ପ୍ରକୃତି ଓ ମାନବର ସମ୍ପର୍କରେ ଅସନ୍ତୁଳନ ସୃଷ୍ଟି ହେବାଦ୍ୱାରା କୋଭିଡ୍‍ ଭଳି ମହାମାରୀ ସାରା ବିଶ୍ୱରେ ଆଜି ଧ୍ୱଂସର ତାଣ୍ଡବ ଲୀଳା ରଚାଇଚାଲିଥିବା ଡଃ ଦେବୀ କ୍ଷୋଭର ସହିତ ପ୍ରକାଶ କରିଥିଲେ ।


ଶୋଭନୀୟ ଆନ୍ଦୋଳନ ଦ୍ୱାରା ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କର୍ମଶାଳାରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ସ୍ୱାଗତ ଭାଷଣ ପ୍ରଦାନ କରି ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର
ଦ୍ୱିବେଦୀ, ବର୍ତ୍ତମାନର ପ୍ରଳୟଙ୍କରୀ ପରିସ୍ଥିତିରେ ବିଚଳିତ ନ ହୋଇ ନିଷ୍କାମ କର୍ମ ଓ ସେବା ସହିତ ସୃଷ୍ଟିନିୟନ୍ତାଙ୍କ ନିକଟରେ ନିଜର ତନ, ମନ ଓ ଧନ ସବୁ କିଛିକୁ ସମର୍ପଣ
କରିଦେବାକୁ ପରାମର୍ଶ ଦେଇଥିଲେ ।
ୱେବ୍‍ ଆଲୋଚନାରେ ଅଂଶଗ୍ରହଣ କରି ଡଃ ରବି ନାରାୟଣ ବେହେରା, କୃପାନିଧି ବିଶ୍ୱାଳ, ହୃଷୀକେଶ ପାତ୍ର, ବିରଜା ମହାପାତ୍ର, ବିନାୟକ ଦାସ, ସୁନନ୍ଦା ମିଶ୍ର ପଣ୍ଡା, ମନୋଜ
ଖଟୁଆ, ନିରାକାର ବେଉରା, କୃଷ୍ଣ କୁମାର, ଦୁର୍ଗା ମାଧବ ମିଶ୍ର, ଗୀତାଞ୍ଜଳି ସ୍ୱାଇଁ, ଝୁମ୍‍ ଝୁମ୍‍ ପାଢ଼ୀ, ଅକ୍ଷୟ ସାମଲ, ବିମଳ ଭଲ, ଦୟାନିଧି ରାଉତ, ମଧୁସ୍ମିତା ପଣ୍ଡା ଓ ପ୍ରକାଶ
ନାୟକ ପ୍ରମୁଖ ଆଜିର ଦୁନିଆରେ ଶୋଭନୀୟ ଆଚରଣବିଧିର ବ୍ୟାପକ ପ୍ରାସଙ୍ଗିକତା ଓ ବହୁଳ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଇନ୍ଦ୍ରମଣି ନାୟକ, କ୍ଷୀରାବ୍‍ଦୀ
ତନୟା ଦେବୀ, ସନ୍ତୋଷ ରାଉତ, ଶ୍ରୀମନ୍ତ ବିଶ୍ୱାଳ ଏବଂ ପୁଷ୍ପାଞ୍ଜଳି ବାରିକ, କବିତା ଓ ସଙ୍ଗୀତ ମାଧ୍ୟମରେ କୁମାର ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋଭନୀୟ
ଶିକ୍ଷାଶ୍ରମର ଛାତ୍ରୀମାନେ ଶୋଭନୀୟ ଆନ୍ଦୋଳନର ମହତ୍ୱ ଆଧାରିତ ନୃତ୍ୟ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।


ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ନଳିନୀ ପତି, ଧୀରେନ୍ଦ୍ର କର, ଅଭୟ କୁମାର ନାୟକ, ବରଦା ପ୍ରସନ୍ନ ଦାସ, କୃଷ୍ଣ ନାୟକ, ଡଃ ଦେବେନ୍ଦ୍ର ମାଝି, ସନାତନ
ମହାକୁଡ଼, ଭରତ ମିଶ୍ର, ଡଃ ଏଲ୍‍.ଏନ୍‍. ତ୍ରିପାଠୀ, ପୀତାମ୍ବର ବାରିକ, ଅହଲ୍ୟା ବାରିକ, ସରିତା ମହାପାତ୍ର, କସ୍ତୁରିକା ପଟ୍ଟନାୟକ, ଏମ୍‍.ଏସ୍‍ ଜମାନ, ତାପସ ରଞ୍ଜନ ପରିଡ଼ା,
ମମତା ପ୍ରଧାନ, ସନ୍ତୋଷ ଅଧିକାରୀ, ମିନତୀ ଦେବୀ, ବନଲତା ଦେବୀ, ଡଃ ପ୍ରଦୀପ୍ତ ମିଶ୍ର, ନିରଞ୍ଜନ ଭାଇ, ମନୋଜ ଦାସ, ନିରଦବରଣ ଖୁଣ୍ଟିଆ, ରଘୁନାଥ ମଣ୍ଡଳ, ବରୁଣ
ମହାନ୍ତି, ଅଜୟ ବେହୁରା, ମଞ୍ଜୁ ତ୍ରିପାଠୀ ଏବଂ ସୁଧାଂଶୁବାଳା ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଭର୍ଚ୍ଚୁଆଲ ସଭାର ପ୍ରାରମ୍ଭରେ କରୋନା ମୃତକଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା
କରାଯାଇଥିଲା । ମହାକାଂକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ବାରିକ ଖୁବ୍‍ ସୁନ୍ଦର, ସାବଲୀଳ ଓ ସୂଚାରୁ ଢଙ୍ଗରେ ସମଗ୍ର ଲାଇଭ୍‍ଷ୍ଟ୍ରିମିଙ୍ଗ କାର୍ଯ୍ୟକ୍ରମକୁ ଉପସ୍ଥାପନା ଓ ସଂଯୋଜନା
କରିଥିଲେ । ନନ୍ଦନ ଦ୍ୱିବେଦୀ ଦକ୍ଷତାର ସହିତ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page