ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ଆଭାସି ସଂଗୀତ ସମାରୋହ

0

ନୂଆଦିଲ୍ଲୀ (ସଂକେତ ଖବର) ଅଗ୍ରଣୀ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନ ସ୍ୱର ସମର୍ପଣ ତରଫରୁ ପଣ୍ଡିତ ଓମ୍‍କାରନାଥ ଠାକୁର ଆନ୍ତର୍ଜାତିକ ସଂଗୀତ ସମାରୋହ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଶ୍ୱ ଓଡ଼ିଶା ସମାଜର ସଦସ୍ୟ, ପ୍ରବାସୀ ଓଡ଼ିଆ ନେତୃବୃନ୍ଦ ଏବଂ ଦେଶବିଦେଶର ବହୁ ସଂଗୀତ ପ୍ରେମୀ ଜନସାଧାରଣ ଅନ୍‍ଲାଇନ୍‍ ଯୋଗେ ଯୋଗଦେଇଥିବା ଦେଖାଯାଇଥିଲା ।

ଉତ୍ସବର ମୁଖ୍ୟ ଆୟୋଜକ ଏବଂ ସ୍ୱର ସମର୍ପଣର ପ୍ରତିଷ୍ଠାତା ଲବ୍ଧ ପ୍ରତିଷ୍ଠ ଶାସ୍ତ୍ରୀୟ ସଂଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କରୋନାର କରାଳ କାଳିମା କାଳରେ କଳାର ସେବା ଓ ସମୃଦ୍ଧିକୁ ଜାରି ରଖିବା ନେଇ ତାଙ୍କର ପ୍ରୟାସକୁ ମିଳୁଥିବା ପ୍ରୋତ୍ସାହନ ନେଇ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଆଗକୁ ଏହିଭଳି ସକ୍ରୀୟ ସହଯୋଗର କାମନା କରିଥିଲେ । ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଏବଂ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପ୍ରବାସରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ପରମ୍ପରା ଓ ଐତିହ୍ୟକୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ସ୍ୱର ସମର୍ପଣ ଏବଂ ଗୁରୁ ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଅବଦାନ ଅନନ୍ୟ ଏବଂ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ସଞ୍ଜୟ ଶ୍ରୀବାସ୍ତବ, ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ରୀତା ପାତ୍ର, ଶିଶିର ଦୁବେ ଓ ରାଜପାଲ ଜୋହର ପ୍ରମୁଖ ଯୋଗଦେଇ ସଂଗୀତର ଶୁଦ୍ଧତା ଓ ଶାସ୍ତ୍ରୀୟତାକୁ ବଜାୟ ରଖିବାରେ ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଉଲ୍ଲେଖନୀୟ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ । ସ୍ୱର ସମର୍ପଣ ପକ୍ଷରୁ ୨୦୨୧ର ତେଜସ୍ୱୀ ସମ୍ମାନ ସିଦ୍ଧାନ୍ତ ଦୁବେ ଏବଂ ସ୍ୱପ୍ନାରାଣୀ ତଥା ସ୍ୱର ସମାଜସେବୀ ସମ୍ମାନ ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ନୂଆଦିଲ୍ଲୀରୁ ଆଚାର୍ଯ୍ୟ ଅଭିମନ୍ୟୁ, ମୁମ୍ବାଇରୁ ସିଂହବନ୍ଧୁ ଭାବେ ପ୍ରସିଦ୍ଧି ପ୍ରାପ୍ତ ପଦ୍ମଶ୍ରୀ ପଣ୍ଡିତ ସୁରୀନ୍ଦର ସିଂହ, ଭୁବନେଶ୍ୱରରୁ କରୁଣାକର ନାୟକ, ନୂଆଦିଲ୍ଲୀରୁ ସ୍ୱପ୍ନାରାଣୀ, ନଏଡ଼ାରୁ ନେହା ଦୁବେ, ଲଣ୍ଡନରୁ ମୁକେଶ କାକ୍କର ଏବଂ ନୂଆଦିଲ୍ଲୀରୁ ଲକ୍ଷ୍ମୀପ୍ରିୟା ପ୍ରଧାନ ପ୍ରମୁଖ ସେମାନଙ୍କର ସୁମଧୂର ଓ ସୁଲଳିତ ସଂଗୀତର ଅପୂର୍ବ ମାଧୁର୍ଯ୍ୟରେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ନଏଡ଼ାର ଆଚାର୍ଯ୍ୟ ଅଭିମନ୍ୟୁଙ୍କର ଦୁଇ ଶିଷ୍ୟ ଭାଇ ତଥା ପ୍ରତିଭାବାନ ଶିଶୁ କଳାକାର ସିଦ୍ଧାନ୍ତ ଓ ବିଭାନ୍‍ ଦୁବେଙ୍କ ଦ୍ୱାରା ପରିବେଷିତ ଗଣେଶ ବନ୍ଦନା ।

ବାଦ୍ୟଯନ୍ତ୍ରରେ କୃଷ୍ଣଚନ୍ଦ୍ର ଦାସ, ସୁବୋଧ ନାରାୟଣ ପାଢ଼ୀ, ପ୍ରକାଶ ସାଲସକର ଓ ବିଜୟ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ । ଆକାଶବାଣୀ ଓ ଦୂରଦର୍ଶନର ପ୍ରଖ୍ୟାତ୍‍ ଉଦ୍‍ଘୋଷିକା ପ୍ରତିମା ଶର୍ମା, ସମଗ୍ର ଅଧୀବେଶନକୁ ସୁଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ତାଞ୍ଜାନିଆରୁ ରିଚା ଗୁପ୍ତା, ଭାରତରୁ ସୁଖନନ୍ଦନ ବିନ୍ଦ୍ରା, କୃଷ୍ଣା ଶତପଥୀ, ହରିହର ରଥ ଏବଂ ଅନିନ୍ଦିତା ଦାସ ପ୍ରମୁଖ ଅନ୍ତର୍ଭକ୍ତ ଥିଲେ । ନଏଡ଼ାସ୍ଥିତ ଓମ୍‍କାର ଡିଭାଇନ୍‍ ପ୍ଲେସ୍‍ ପରିସରରୁ କାର୍ଯ୍ୟକ୍ରମର ଜୀବନ୍ତ ପ୍ରସାରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page