ବର୍ଷା ପାଣିରେ ଉବୁଟୁବୁ ସୟଦପୁର ପଞ୍ଚାୟତ, ପାଣି ନିଷ୍କାସନ କଲେ ଗ୍ରାମବାସୀ

0

ବିଂଝାରପୁର, (ସଂକେତ ଖବର) ବର୍ଷା ପାଣିରେ ଉବୁଟୁବୁ ସୟଦପୁର ପଞ୍ଚାୟତ। ବିଂଝାରପୁର ବ୍ଲକ ସଦର ମହକୁମାଠାରେ ଅବସ୍ଥିତ ସୟଦପୁର ପଞ୍ଚାୟତରେ ବର୍ଷା ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନାହିଁ। ଫଳରେ ଲଗାଣ ବର୍ଷା ହେଲେ ପଞ୍ଚାୟତର ବିଭିନ୍ନ ବସ୍ତିରେ ବର୍ଷାଜଳ ଲହଡି ଭାଙ୍ଗୁଛି। ଗତ ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ପଞ୍ଚାୟତର ପଠାନ୍ ମହଲ୍ଲା, ଆଖୁନ୍ଦ ମହଲ୍ଲା, ଆଖୁନ୍ଦ ସାହି, ହୋସେନି ମହଲ୍ଲା, ଖାଦିମ୍ ମହଲ୍ଲା ସମେତ ବହୁ ବସ୍ତିରେ ବର୍ଷାଜଳ ଜମିରହି ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛି। ବର୍ଷାଜଳ ଜମିରହିବା ଫଳରେ ଲୋକେ ଘରୁ ବାହାରି ପାରୁନାହାନ୍ତି। ଆଣ୍ଠୁଏ ପାଣିରେ ପସି ଯିବା ଆସିବା ଦ୍ଵାରା ଗ୍ରାମର ବହୁଲୋକ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ତରଫରୁ ବର୍ଷା ପାଣି ନିଷ୍କାସନ ପାଇଁ କୌଣସି ପ୍ରତିକାର କରାଯାଇ ନଥିବା ବେଳେ ଗ୍ରାମବାସୀ ଡ୍ରେନେଜ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଶେଷରେ ଗ୍ରାମର ଯୁବ ସାମାଜିକ କର୍ମୀ ଜାଓ୍ଵେଦ ଇକବାଲ୍ ଖାନ୍, ସେକ ଅବ୍ରାରୁଲ ହକ୍, ସେକ ରାଜା, ଅବୁନସିମ ଖାନ୍, ସେକ ତସଲିମ୍, ସରଓ୍ଵର ଅଲ୍ଲି ଖାନ୍, ନୁର୍ ମହମ୍ମଦ୍, ସେକ ବେଲାଲ୍, ଫେଜାନ୍ ଖାନ୍, ସେକ ନଜିମ୍ ଅଖତର୍, ସେକ ଇରସାଦ୍, ସେକ ହିରାଲାଲ୍, ସେକ ଅଲ୍ଲାଉଦ୍ଦିନ, ରଜାକ୍ ଖାନ୍, ସେକ ସାଲିକ, ସେକ ଗୋରା, ରାଜୁ ଖାନ୍, ସମସୁଲ୍ ହୋଦା, ସେକ କମରୁନଙ୍କ ସମେତ ଗ୍ରାମବାସୀ ଜେସିବି ସହାୟତାରେ ବର୍ଷା ପାଣି ନିଷ୍କାସନ କରିଛନ୍ତି। ପ୍ରକାଶ ଥାଉକି ବର୍ଷାଜଳ ନିଷ୍କାସନକୁ ନେଇ ସୟଦପୁର ପଞ୍ଚାୟତରେ ପ୍ରତିବର୍ଷ ସମସ୍ୟା ଦେଖିବାକୁ ମିଳୁଛି କିନ୍ତୁ ପ୍ରଶାସନ ପକ୍ଷରୁ କୋଣସି ସ୍ଥାୟୀ ପ୍ରତିକାର କରାଯାଉନି ଯାହାକୁ ନେଇ ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସ୍ଥାୟୀ ପ୍ରତିକାର କରିବାକୁ ପ୍ରାକ୍ତନ ସରପଞ୍ଚ ଅବଦୁଲ୍ କାଦିର ଖାନ୍ ଦାବି କରିଛନ୍ତି। ଏ ସଂପର୍କରେ ସରପଞ୍ଚଙ୍କ ପ୍ରତିନିଧୀ ମୋଜାହିଦ ଅଲ୍ଲୀ ଖାନଙ୍କୁ ପଚାରିବାରୁ ବର୍ଷା ଜଳ ନିଷ୍କାସନ କରାଯାଉଛି। ଖୁବଶିଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page