ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ଜଗିବ “ବିଶ୍ୱ ଓଡିଶା ସମାଜ”(ବିଓଏସ)

0

ନୂଆଦିଲ୍ଲୀ(ସଂକେତ ଖବର)ବିଶ୍ଵ ଓଡ଼ିଶା ସମାଜ ( ବିଓସ) ବିଶ୍ଵ ଭରି ଓଡ଼ିଆ ମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧନ ପାଇଁ ଅଭିପ୍ରେତ ବୋଲି ବରେଣ୍ୟ ବକ୍ତା ମାନେ ପ୍ରକାଶ କରିଛନ୍ତି। ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ନୂତନ ଏବଂ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ବିଓସ ବଦ୍ଧପରିକର ବୋଲି ସେମାନେ ପ୍ରକାଶ କରିଛନ୍ତି। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ବିଶ୍ଵ ଓଡ଼ିଶା ସମାଜକୁ ଉଦଘାଟନ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଡ଼ଃ ବିଶ୍ଵ ଭୂଷଣ ହରିଚନ୍ଦନ, ଭାରତୀୟ ସଂସ୍କୃତି ବିଶ୍ବର ଅନନ୍ୟ ସଂସ୍କୃତି ବୋଲି ଆଖ୍ୟା ଦେଇଥିଲେ।

ଭାରତୀୟ ସଂସ୍କୃତିର ମହାନତାକୁ ଅଭିବୃଦ୍ଧି କରିବାରେ ଓଡ଼ିଶାର ଦାନ ଅତୁଳନୀୟ ବୋଲି ସେ କହିଥିଲେ। ସାରା ବିଶ୍ବର ଓଡ଼ିଆ ମାନେ ଓଡ଼ିଶାର ରକ୍ତାକ୍ତ ଗଣସଂଗ୍ରାମ ଗର୍ବିତ ସାମରିକ ପରମ୍ପରା ଓ ବୀର ଭୂମିର ଗର୍ବି ଦାୟଦ ବୋଲି ଡଃ ହରିଚନ୍ଦନ ବର୍ଣ୍ଣନା କରିଥିଲେ।
ଏହି ଅବସରରେ ଡଃ ହରିଚନ୍ଦନ ବିଓସର ୱେବସାଇଟ କୁ ଉଦଘାଟନ କରିଥିଲେ। ଆଭାସି ମଞ୍ଚରେ ଅନୁଷ୍ଠିତ ଏହି ମହାସମାରୋହରେ ପୃଥିବୀର ବହୁ ରାଷ୍ଟ୍ରର ଓଡ଼ିଆ ସମାଜର କର୍ମକର୍ତ୍ତା, ବିଶିଷ୍ଟ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାର ଶୁଭେଚ୍ଛୁ ମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ସାମାଜିକ ଗଣମାଧ୍ୟମ ଦ୍ଵାରା ଲାଇଭ୍ ଷ୍ଟ୍ରୀମିଂ ଜରିଆରେ ସହସ୍ରାଧିକ ଦର୍ଶକ ଦେଖିଥିଲେ।


ଉଦଘାଟନ ଉତ୍ସବର ସଫଳତା ପାଇଁ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ୍, ବିଶ୍ଵ ଓଡ଼ିଶା ସମାଜ, ସାରା ଦୁନିଆର ଓଡ଼ିଆ ମାନଙ୍କ ମଧ୍ୟରେ ଏକତା, ମୈତ୍ରୀ ଓ ପ୍ରୀତି ପ୍ରତିଷ୍ଠା ସାଙ୍ଗକୁ ସେମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ବିଶେଷ ଯୋଗଦାନ ପ୍ରଦାନ କରିବ ବୋଲି ଦୃଢ ଆଶା ପୋଷଣ କରିଥିଲେ।

ପୃଥିବୀର କୋଣେ କୋଣେ ବସବାସ କରୁଥିବା ଓଡ଼ିଆ ମାନେ ଜଗନ୍ନାଥ ଧର୍ମ ଓ ଦର୍ଶନ ର ମହାନତା, ମହନୀୟତା ଓ ମଧୁରତା କୁ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଯୋଗୁଁ ପ୍ରଫେସର ଲାଲ୍ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ।


ଅନଲାଇନ୍ ମହୋତ୍ସବ ରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଓଡ଼ିଶା ବିଧାନ ସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ପୃଥିବୀର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆ ଅଧିବାସୀ ମାନଙ୍କୁ ଗୋଟିଏ ସୁତ୍ରରେ ବାନ୍ଧିବା ପାଇଁ ବିଶ୍ଵ ଓଡ଼ିଶା ସମାଜର ସାଧୁ ଉଦ୍ୟମର ସ୍ମୃତିଗାନ କରିଥିଲେ।
ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର , ବିଶ୍ୱରେ ଗଣତନ୍ତ୍ରର ପରମ୍ପରା ନିଅଁ କୁ ସମୃଦ୍ଧ କରିବାରେ ଓଡିଶା ଓ ଜଗନ୍ନାଥ ସଂସ୍କୃତିର ଅବଦାନ ଉଲ୍ଲେଖଯୋଗ୍ୟ ବୋଲି ଦର୍ଶାଇଥିଲେ।

ଲୋକସେବକ ମଣ୍ଡଳର ଜାତୀୟ ସଭାପତି ରାଜକୁମାର , ତାଙ୍କର ଅନୁଷ୍ଠାନ “ସମାଜ” ବିଶ୍ଵ ଓଡ଼ିଆଙ୍କର ସ୍ବାର୍ଥ ରକ୍ଷା ନେଇ ସମର୍ପିତ ସେବା ଜାରି ରଖିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ବିଶ୍ଵ ଓଡ଼ିଶା ସମାଜର ସାରା ଜଗତର ଓଡ଼ିଆ ମାନଙ୍କୁ ଏକିକରଣ କରିବାର ଉଦ୍ୟମ ବହୁ ସମ୍ଭାବନା ଓ ଅଜସ୍ର ପ୍ରତିଶୃତିର ସ୍ବାକ୍ଷର ବହନ କରୁଥିବା ସୂଚାଇଥିଲେ।ଦୀର୍ଘ ପ୍ରତିକ୍ଷିତ ୱେବ୍ ବୈଠକ ରେ ପୌରହିତ୍ୟ କରି ବିଓସର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ବିଶ୍ଵ ଓଡ଼ିଶା ସମାଜ, ଦୁଇ କୋଟି ପ୍ରବାସୀ ଓଡ଼ିଆଙ୍କ ର ଦୀର୍ଘ ଆକାଂକ୍ଷିତ ଓ ପ୍ରତିକ୍ଷିତ ଆଶା , ଭରସା ଓ ସ୍ୱପ୍ନକୁ ସାକାର କରିବା ସକାଶେ ବ୍ୟାପକ ପ୍ରୟାସ ଜାରି ରଖିବ ବୋଲି ଘୋଷଣା କରିଥିଲେ।
ବିଓସର ପ୍ରତିଷ୍ଠାତା ଡଃ ଅରୁନ୍ଧତୀ ଦେବୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ବ ଓଡ଼ିଶା ସମାଜର ମୁଖ୍ୟ ପୃଷ୍ଠପୋଷକ ଡଃ ସୂର୍ଯ୍ୟ ନାରାୟଣ ପାତ୍ର ବିଓସର ପ୍ରଥମ ସଦସ୍ୟତା ଗ୍ରହଣ କରି ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ।


ଦୁବାଇରୁ ସୁଧାଶ୍ରୀ ଦାଶ ସଭାକୁ ସଂଚାଳନ କରିଥିଲେ। ବ୍ରିଟେନ ରୁ ଶିବ ରଂଜନ ବିଶ୍ଵାଳ ୱେବସାଇଟ ସମ୍ପର୍କରେ ଓ ଆମେରିକାରୁ ରୁପା ଦାସ ବିଓସର ସଦସ୍ୟତା ଅଭିଯାନ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।


ଏହି ଅବସରରେ ଅନୁଷ୍ଠିତ‘ କଲଚୁରାଲ କାର୍ନିଭାଲ’ ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭଜନ ସମ୍ରାଟ ଅନୁପ ଜାଲୋଟା ଉଦଘାଟନ କରିଥିଲେ। ସାଂସ୍କୃତିକ ସଂଧ୍ୟାକୁ ଆମେରିକାରୁ ଅକ୍ଷୟ ମହାନ୍ତି ପରିଚାଳନା ଏବଂ ଭାରତରୁ ପୁଷ୍ପାଞ୍ଜଳି ବାରିକ ସଂଯୋଜନା କରିଥିଲେ। ବୈଷ୍ଣବ କୈଳାସ, ଶାଶ୍ବତ ଯୋଶୀ, ସଂଗ୍ରାମ ସସ୍ମିତା ପ୍ରମୁଖ ଖ୍ୟାତି ସମ୍ପର୍ଣ୍ଣ କଳାକାର ନିଜର ସୃଜନଶୀଳ ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page