ଏକାନ୍ତବାସରେ ବାଗଚୀ !
![](https://www.sanketkhabar.com/wp-content/uploads/2020/06/FB_IMG_1590984501384.jpg)
କରୋନା ଲଢ଼େଇର ଆରମ୍ଭରେ ରାଜ୍ୟ ଶାସନ କଳର ପ୍ରମୁଖ ଚେହେରା ସାଜିଥିବା ସୁବ୍ରତୋ ବାଗଚୀ ହଠାତ୍ ଅନ୍ତର୍ଦ୍ଧାନ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ରାଜ୍ୟସାରା କଥା ଉଠୁଛି କୁଆଡ଼େ ଗଲେ ବାଗଚୀ ମହୋଦୟ। ଦିନେ ଯାହାଙ୍କ କଥା ଗଣମାଧ୍ୟମରେ ରାତିଦିନ ଚର୍ଚ୍ଚା ହେଉଥିଲା, ସାରା ରାଜ୍ୟବାସୀ ପ୍ରତିଦିନ ୪.୩୦ ହେଲେ ଯାହାଙ୍କ ଶ୍ରୀମୁଖକୁ ଚାହିଁ ବସିଥିଲେ ସେ ଏମିତି ହଟାତ୍ ଅନ୍ତର୍ଦ୍ଧାନ ହୋଇଯିବା ମନରେ ଅନେକ ସନ୍ଦେହ ସୃଷ୍ଠିକରୁଛି।
ବିଗତ କିଛିଦିନ ହେଲାଣି ଯଦିଓ ବାଗଚୀ ମହୋଦୟଙ୍କୁ ଆଉ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳୁନାହିଁ ହେଲେ ସମସ୍ତେ ଆଶା କରିଥିଲେ ଅନ୍ତତପକ୍ଷେ ଗତକାଲି ସନ୍ଧ୍ୟା୫.୩୦ ରେ ବନ୍ଦେ ଉତ୍କଳ ଜନନୀ ଗାନବେଳେ ଦେଖା ଦେବେ,କିନ୍ତୁ ତାହାବି ହେଲା ନାହିଁ। ତେବେ ବାଗଚୀଙ୍କ ଏହି ଅନୁପସ୍ଥିତି ପଛର କାରଣ ଯାହାବି ହେଉନା କାହିଁକି ତାଙ୍କର ଏପରି ଅଚାନକ ଅଦୃଶ୍ୟ ହୋଇଯିବା ପଛରେ ଏକ ବଡ ରାଜନୈତିକ ଅଭିସନ୍ଧି ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
ଏକଥା ସମସ୍ତେ ସ୍ବିକାର କରିବାକୁ ବାଧ୍ୟ ଯେ ସୁବ୍ରତ ବାଗଚୀ ଯେଭଳି ଢଙ୍ଗରେ ଦୀର୍ଘ ଦୁଇମାସ ଧରି ରାଜ୍ୟ ସରକାର ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପକ୍ଷ ରଖିଲେ ତାହା ଅନ୍ୟଦ୍ବାରା ସମ୍ଭବ ହୋଇନଥାନ୍ତା। ରାଜ୍ୟ ଯେତେବେଳେ ଏକ ଭୟଙ୍କର ବିପତ୍ତିକୁ ପ୍ରଥମକରି ସାମ୍ନା କରୁଥିଲା ସେତବେଳେ ଏଭଳି ଜଣେ ଦୃଢମନା ସାହସୀ ଛବିର ଆବଶ୍ୟକତା ଥିଲା ଯିଏ ରାଜ୍ୟ ସରକାରଙ୍କ କଥା କହିପାରିବେ।
ଯଦିଓ ଅନ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଠାରୁ ଓଡିଶା ଟିକେ ଭିନ୍ନତା କରିବାକୁ ଯାଇ ସୁବ୍ରତ ବାଗଚୀଙ୍କ ପରି ଜଣେ ଅଣରାଜନୈତିକ ତଥା ଅଣପ୍ରଶାସନିକ ବ୍ୟକ୍ତିଙ୍କୁ ସାମ୍ନାକୁ ଆଣିଥିଲା। ସେ’ବି ବେଶ୍ ସଫଳତାର ସହ ଭିନ୍ନ ଭିନ୍ନ ଉପମା ଅଳଙ୍କାର ଦେଇ ଲୋକଙ୍କୁ ଅନେକ ଦିନଧରି ବାନ୍ଧି ରଖିଲେ। ଯଦିଓ ତାଙ୍କର କିଛି କଥା ସାଧାରଣରେ କିଛିଟା ଭୃକୁଞ୍ଚନ ସୃଷ୍ଠି କରୁଥିଲା ତେବେ ଲୋକେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ଚାହିଁ ସବୁ ଚଳେଇ ନେଉଥିଲେ।
ଏମିତି ସମୟ ଆସିଲା ସେ କୋଭିଡ୍ ମୁଖପାତ୍ରରୁ ସାମ୍ବାଦିକ ଭୂମିକା ଲିଭାଇବାକୁ ଯାଇ ବିଭିନ୍ନ ଲୋକଙ୍କର ସାକ୍ଷାତକାର ମଧ୍ୟ ନେଲେ। ହେଲେ ହଟାତ୍ ଦେଖାଗଲା ସୁବ୍ରତ ବାଗଚୀ ଅଦୃଶ୍ୟ ହୋଇଗଲେ। ଶୁଣାଯାଉଛି ବାଗଚୀ ମହୋଦୟ କାଳେ ଲକ୍ଷ୍ମଣ ରେଖା ଅତିକ୍ରମ କରିବାରୁ ଏଭଳି ଦଶା ଭୋଗିବାକୁ ପଡିଛି। ପ୍ରଶାସନିକ ଭାଗମାପ ଭୁଲ୍ ହେବାରୁ ଏପରି ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି।
ଓଡିଶା ଶାସନରେ ଏଭଳି ଅନେକ ନଜିର ଅଛି ଯେଉଁମାନେ ଲକ୍ଷ୍ମଣରେଖା ଡେଇଁବାକୁ ଯାଇ ଅତିତରେ ଅନେକ ମୂଲ୍ୟ ଦେବାକୁ ପଡିଛି। ଦିନେ ଯିଏ ରାଜ୍ୟବାସୀଙ୍କୁ ସଙ୍ଗରୋଧ, ଏକାନ୍ତବାସ ପରି ଶବ୍ଦର ଅର୍ଥ ବୁଝାଉଥିଲେ ସେ ନିଜେ ଏକାନ୍ତବାସରେ ରହିବାର ଆଶଙ୍କା ସମସ୍ତଙ୍କୁ ବ୍ୟସ୍ତ କରିଛି। ସମୟ କହିବ ବାଗଚୀ ମହୋଦୟଙ୍କ ଅଦୃଶ୍ୟ ପଛର କାହାଣୀ ହେଲେ ଏକଥା ସତ୍ୟ ବାଗଚୀ ବାବୁ ଜଣେ କରିତକର୍ମା କ୍ରାଇସିସ୍ ମ୍ୟାନେଜର ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ବିରଞ୍ଚି ନାରାୟଣ ଦାସ