ବିଚିତ୍ର ବିଶ୍ବ ଧନୀ ମୁସଲମାନ ଦେଶ ଲେବାନନ।
![](https://www.sanketkhabar.com/wp-content/uploads/2020/07/FB_IMG_1594014991269.jpg)
ଆଜି ଆମେ ଏଭଳି ଏକ ଦେଶ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଗୋଟିଏ ସମୟରେ ଉତ୍ତର ସୁଇଜରଲାଣ୍ଡ ବୋଲି କୁହା ଯାଉଥିଲା। ଏହି ଦେଶର ସୁରକ୍ଷାକୁ ନେଇ ଅନେକଙ୍କ ମନରେ ଆଶଙ୍କା ସୃଷ୍ଠି ହୋଇଥାଏ ହେଲେ ଏହା ବିଶ୍ବର ଅନ୍ୟତମ ସୁରକ୍ଷିତ ଦେଶ ଅଟେ। ଏସିଆ ମହାଦେଶର ଏହି ଦେଶଟି ହେଉଛି ଲେବାନନ୍ ଯାହାକୁ ଏକ ଧନୀ ମୁସଲମାନ ଦେଶ ଭାବେ ବିବେଚନା କରାଯାଏ। ଏହାର ସ୍ବାଦିଷ୍ଟ ଖାଦ୍ୟ, ଜୀବନଶୈଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ବିଶ୍ବର ବିଭିନ୍ନ ଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଲେବାନନ୍ ଏସୀୟ ଦେଶ ହୋଇଥିଲେବି ଏହାର ଚଳନୀ ପ୍ରାଶ୍ଚାତ୍ୟ ଦେଶମାନଙ୍କ ପରି। ଲେବାନନ୍ ର ସୀମା ଦକ୍ଷିଣରେ ଇସ୍ରାଏଲ ଏବଂ ଉତ୍ତର ଆଉ ପୂର୍ବରେ ସିରିଆ ସହ ଲାଗିକରି ଅଛି। ମଧ୍ୟ ପ୍ରାଚ୍ୟର ଆରବ ଦେଶ ମାନଙ୍କ କଥା ଉଠିଲେ ମରୁଭୂମୀ ଆଉ ଓଟର କଥା ମନକୁ ଆସିଥାଏ ହେଲେ ଲେବାନନରେ ଏ ସମସ୍ତ କିଛି ଦେଖିବାକୁ ମିଳିନଥାଏ। ସିରିଆ ଏବଂ ଇସ୍ରାଏଲର ସୀମାକୁ ଲାଗି ଏହି ଦେଶ ଥିବାରୁ ଏହାର ସୁରକ୍ଷାକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ହେଲେ ମଧ୍ୟ ପ୍ରାଚ୍ୟର ସବୁଠାରୁ ସୁରକ୍ଷିତ ଦେଶ ଭିତରେ ଲେବାନନ୍ ଅନ୍ୟତମ।
ଲେବାନନ୍ ଦେଶର ପ୍ରତ୍ୟକ ଲୋକଙ୍କ ଆର୍ଥିକ ସ୍ଥିତି ବେଶ୍ ସ୍ବଚ୍ଛଳ ଆଉ ଏହା ପଛର କାରଣ ହେଲା ଏହି ଦେଶରେ ବହୁ ପରିମାଣରେ ସୁନା ଖଣି ଦେଖିବାକୁ ମିଳିଥାଏ। କିମ୍ବଦନ୍ତୀ କହେ ଏହି ଦେଶ ଉପରେ ପ୍ରଭୁ ଯିଶୁଙ୍କ ପ୍ରଥମ ଆର୍ଶିବାଦ ଅଛି। ଲେବାନନ୍ ଗୋଟିଏ ଛୋଟିଆ ଦେଶ ସତ ହେଲେ ଏହାର ସୁନ୍ଦର ସାମୁଦ୍ରିକ ବେଳାଭୂମି, ଐତିହାସିକ କିର୍ତ୍ତିରାଜୀ, ସ୍ବାଦିଷ୍ଟ ବ୍ୟଞ୍ଜନ ଆଉ ରାତ୍ରୀର ମନମୁଗ୍ଧକର ପରିବେଶ ପର୍ଯ୍ୟଟକଙ୍କୁ ସର୍ବଦା ଆକର୍ଷିତ କରିଥାଏ। ଏଠିକାର ମୂଳ ଭାଷା ଆରବିକ୍ ହେଲେ ଏହାର ଅଧିବାସୀ ଜର୍ମାନୀ, ଫ୍ରେଞ୍ଚ ଏବଂ ଇଂରାଜୀ ଭାଷା ମଧ୍ୟ ବ୍ୟବହାର କରିଥାନ୍ତି।
ଲେବାନନ୍ ଆଉ ଆମ ଦେଶ ମଧ୍ୟରେ ଦୁରତ୍ବ ହଜାର ମାଇଲରୁ ଅଧିକ ହେବ, ହେଲେ ଆମର ଆଉ ଲେବାନନ୍ ଦେଶର ଖାଦ୍ୟ ମଧ୍ୟରେ ଅନେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ଆମ ପରି ସେଠାରେ ମଧ୍ୟ ସମାନ ମସଲା ମସଲି ବ୍ୟବହାର କରା ଯାଇଥାଏ।ଲେବାନନ୍ ର ଲୋକମାନେ ଅଧିକ ଛେଳି ମାଂସ ଖାଇବାର ଦେଖା ଯାଇଥାଏ। ଏଠିକାର ଲୋକଙ୍କ ଭାବନା ଅନ୍ୟ ଆରବ ଦେଶମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲେବାନନ୍ ହେଉଛି ପ୍ରଥମ ଆରବ ରାଷ୍ଟ୍ର ଯେଉଁଠି ଟେଲିଭିଜନ ରେଡିଓ ବ୍ୟବହାର ଉପରେ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଛି।
ମହିଳା ମାନଙ୍କ ସ୍ବାଧିନତା ଦିଗରୁ ଲେବାନନ୍ ସ୍ବତନ୍ତ୍ର। ଏହି ଦେଶର ନାମ ଉଚ୍ଚତମ ପର୍ବତମାଳା ଲେବାନନ୍ ନାମାନୁସାରେ ହୋଇଥିବାର ଇତିହାସ କହେ। ଲେବାନନର ରାଜଧାନୀ ବେରୁଟ୍ ଯାହା ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ଅନୁକୂଳ ସହର । ୨୦୧୪ ମସିହା ନୂଆବର୍ଷ ପାଳନ ଅବସରରେ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ବିଶ୍ବର ସର୍ବାଧିକ ପର୍ଯ୍ୟଟକ ଏକାଠି ହୋଇଥିବା ସହର ହେଉଛି ଲେବାନନର ରାଜଧାନୀ ବେରୁଟ। ଲେବାନନ୍ ର ସମୁଦାୟ ବାର୍ଷିକ ଆୟର ୧୦ ପ୍ରତିଶତ ଏହି ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଖରୁ ଆୟ ହୋଇଥାଏ।
ଇତିହାସ କହେ ଏହି ସହର ଅତିତରେ ସାତ ଥର ଧ୍ବଂସ ହୋଇଯାଇଛି ହେଲେ ପୁନର୍ବାର ଏହା ଶତ ପ୍ରତିଶତ ସମୃଦ୍ଧ ରୂପରେ ମୁଣ୍ଡ ଟେକିଛି। ଆଜି ବିଶ୍ବର ସୁନ୍ଦର ସହର ମାନଙ୍କ ମଧ୍ୟରେ ବେରୁଟ୍ ଅନ୍ୟତମ। ନାଇଟ୍ ଲାଇଫ୍ ପାର୍ଟି ପାଇଁ ଲେବାନନ୍ ବିଶ୍ବରେ ପ୍ରସିଦ୍ଧ। ଏହି ଦେଶରେ ପୃଥିବୀର ସର୍ବାଧିକ ଲୋକପ୍ରିୟ ନାଇଟ୍ କ୍ଲବ ରହିଛି। ଏହି ଦେଶରେ ମୁଖ୍ୟତଃ ଇସଲାମ୍ ଓ ଇଶାଇ ଧର୍ମାବଲମ୍ବୀ ମାନେ ବାସକରନ୍ତି। ୧୯୭୫-୧୯୯୦ ମସିହା ପର୍ଯ୍ୟନ୍ତ ଲେବାନନ୍ ରେ ଭୟଙ୍କର ଗୃହଯୁଦ୍ଧ ଦେଖା ଯାଇଥିଲା।
ଲେବାନନ୍ ରେ ରୋମାନ୍ ସମ୍ରାଜ୍ୟର ଶାସନ ଚାଲିଥିବା ବେଳେ ଅନେକ ଲୋକ ଇଶାଇ ଧର୍ମ ଗ୍ରହଣ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅନେକ ଇସଲାମ୍ ଧର୍ମକୁ ପରିବର୍ତ୍ତିତ ହୋଇଥିଲେ। ଏହି ଦେଶର ତାପମାତ୍ରା ବେଶ୍ ଅନୁକୂଳ। ଏହାର ତାପମାତ୍ରା ସର୍ବନିମ୍ନ ୧୩ ଡିଗ୍ରୀରୁ ସର୍ବାଧିକ ୩୦ ଡିଗ୍ରୀ ମଧ୍ୟରେ ଦେଖିବାକୁ ମିଳିଥାଏ। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଏଠାକୁ ପର୍ଯ୍ୟଟନରେ ଯିବାପାଇଁ ଉଚ୍ଚିତ ମନେ କରିଥାନ୍ତି। ଲେତାନୀ ନଦୀ ହେଉଛି ଲେବାନନ୍ ର ସବୁଠାରୁ ଲମ୍ବା ନଦୀ ଯାହାର ଦୈର୍ଘ୍ୟ ୧୪୦ କିଲୋମିଟର।
ଦେଶର ସମସ୍ତ ପ୍ରମୂଖ ସହର ଏହି ନଦୀ କୂଳରେ ଅବସ୍ଥିତ ସେଥିପାଇଁ ଏହାକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହା ଯାଇଥାଏ। ମାଛ ଧରିଵା ଏଠାକାର ଲୋକଙ୍କର ଏକ ବଡ ଅଭ୍ୟାସ, ଏପରିକି କିଛି ପରିବାର ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରକରି ଚଳିଥାନ୍ତି। କିଛି ଲୋକଙ୍କ ଘର ନଦୀରେ ଦେଖିବାକୁ ମିଳିଥାଏ। ଲେବାନନ୍ ର ଆଉ ଏକ ରୋଜଗାରର ରାସ୍ତା ହେଲା ଗହଣା ବ୍ୟବସାୟ। ବିଶ୍ବର ଅତ୍ୟନ୍ତ ଭଲ ସୁନା ଆଉ ସୁନ୍ଦର ଡିଜାଇନର ଗହଣା ବ୍ୟବସାୟର ଦେଶ ହେଲା ଲେବାନନ୍।
ବହୁ ପରିମାଣର ଲୋକ ଏହି ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି। ଏହି ଦେଶର ଲୋକମାନେ ଖୁବ୍ ରୋମାଣ୍ଟିକ। ୧୪ ଫେବୃଆରୀ ଭାଲେଣ୍ଟାଇନ ଡେ କୁ ଦେଶବ୍ୟାପି ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇ ଥାଏ। ଦେଶର ରାଜଧାନୀ ବେରୁଟକୁ ଏହିଦିନ ପୁରାପୁରି ଲାଲ୍ ରଙ୍ଗରେ ସଜାଇ ଦିଆ ଯାଇଥାଏ। ଗୋଟିଏ ସପ୍ତାହ ଧରି ଚାଲୁଥିବା ଏହି ଉତ୍ସବ ସତରେ ଖୁବ୍ ଆକର୍ଷଣୀୟ ମନେହୁଏ। ଲେବାନନର ବ୍ରେଡ୍ ଖୁବ୍ ସ୍ବାଦିଷ୍ଟ ସେଥିପାଇଁ ପଡୋଶୀ ରାଷ୍ଟ୍ରମାନଙ୍କୁ ଏହି ଦେଶରୁ ବ୍ରେଡ ସପ୍ଲାଏ କରାଯାଇ ଥାଏ।
ଲେବାନନ୍ ର ସ୍ବାସ୍ଥ୍ୟସେବା ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ଠାରୁ ବେଶ୍ ଉନ୍ନତ। ପ୍ରତି ୧୦ ଜଣକ ପାଇଁ ଏହି ଦେଶରେ ଜଣେ ଡାକ୍ତର ଉପଲବ୍ଧ। ଏହି ଦେଶରେ ଗୋଟିଏ ଜମିର ଦୁଇଜଣ ମାଲିକ ଦେଖିବାକୁ ମିଳିଥାନ୍ତି। ଜମି ନିଜର ହୋଇ ଥିଲେବି ଇଚ୍ଛାନୁସାରେ ଏହାକୁ ବ୍ୟବହାର କରାଯାଇ ପାରେନା। ମଧ୍ୟପ୍ରାଚ୍ୟର ଲେବାନନ୍ ହେଉଛି ପ୍ରଥମ ଦେଶ ଯେଉଁ ଦେଶରେ ଲୋକତାନ୍ତ୍ରୀକ ସରକାର ଦେଖିବାକୁ ମିଳେ। ଏହି ଦେଶର ଲୋକମାନେ ପଢାଶୁଣାରେ ବେଶ୍ ଆଗରେ।
ଏହାର ସ୍ବାକ୍ଷରତା ହାର ୯୮ ପ୍ରତିଶତ ହୋଇଥିବା ବେଳେ ଏହାର ଶିଶୁମାନେ ଗଣିତ ଓ ଫିଜିକ୍ସରେ ବେଶ୍ ମଜଭୁତ୍। ଲେବାନନ୍ ର ସରକାରୀ ଓ ବେସରକାରୀ ଶିକ୍ଷା ବ୍ୟବସ୍ଥା ବେଶ୍ ଉନ୍ନତ। ଏହି ଦେଶ ୭ ହଜାର ବର୍ଷ ପୂରାତନ ବୋଲି ଇତିହାସ କହେ। ୧୯୪୮-୭୫ ମଧ୍ୟରେ ଏହି ଦେଶକୁ ପାଲେଷ୍ଟାଇନ ଶରଣାର୍ଥୀମାନେ ବହୁ ସଂଖ୍ୟାରେ ଆସିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜିବି ପାଲେଷ୍ଟାଇନ ଶରଣାର୍ଥୀ ମାନଙ୍କୁ ନେଇ ଏବେବି ବିଦ୍ରୋହ ଦେଖିବାକୁ ମିଳୁଛି।
ଏହାରି ମଧ୍ୟରେ ବିଶ୍ବର ଅତ୍ୟନ୍ତ ସମୃଦ୍ଧ ବିତ୍ତଶାଳୀ ରାଷ୍ଟ୍ର ଭାବରେ ଲେବାନନ୍ ତାର ସ୍ବତନ୍ତ୍ରତା ବଜାୟ ରଖିଆସିଛି।
ବିରଂଚି ନାରାୟଣ ଦାସ