ଆନନ୍ଦ ଉଲ୍ଲାସରେ ଭୁବନପୁରରେ ଜୟ ଜଗନ୍ନାଥ ମହୋତ୍ସବ ଉଦଯାପିତ

0

????????????????????????????????????

ଯାଜପୁର (ସଂକେତ ଖବର) ଆଖପାଖ ଗାଁର ଲୋକେ ତିନିଦିନ ଧରି ଏକାଠି ରହୁଥିଲେ, ଏକାଠି ଖାଉଥିଲେ ଏବଂ ଏକାଠି ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତିର ମହାନତାର ପ୍ରଚାର ଓ ପ୍ରସାର ପାଇଁ ସବୁବେଳେ ମଂଚରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅମୃତ ସମ୍ପର୍କରେ ବାନ୍ଧି ହୋଇ ରହିଥିବା ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଭଗବତ ଚେତନାରେ ନିଜକୁ ହଜାଇ ଦେଉଥିଲେ । ଏହିଭଳି ଏକ ଆବେଗପୂର୍ଣ୍ଣ ଓ ଭକ୍ତିମୟ ପରିବେଶ ମଧ୍ୟରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ ପଂଚାୟତର ଭୁବନପୁର ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ବାର୍ଷିକୋତ୍ସବ ଅବସରରେ ଅନୁଷ୍ଠିତ ହେଉଥିବା ଜୟ ଜଗନ୍ନାଥ ମହୋତ୍ସବ ଉଦଯାପିତ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସକାଳ ୭ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉ ଥିଲା । ଉଦଯାପନ ଦିବସରେ ଓଡିଶାର ସୁନାମଧନ୍ୟ ଭଜନ ଗାୟକ ସୁବାଷ ଦାସ ଏବଂ ତାଙ୍କ ସହ ଥିବା ଅନ୍ୟ ସୁପ୍ରତିଷ୍ଠିତ ଗାୟକଙ୍କ ଭଜନ ପରିବେଷଣରେ ଉତ୍ସବ ସ୍ଥଳ ନାଚି ଉଠିଥିଲା ।

ଭକ୍ତମାନେ ଭଜନର ତାଳେ ତାଲେ ନାଚିବା ସହ ସେମାନଙ୍କ ସହ ସୁବାଷ ଏବଂ ଅନ୍ୟ ଭଜନ ଗାୟକଙ୍କ ନୃତ୍ୟ ଏକ ଭାବାବେଗ ପରିବେଷ ସୃଷ୍ଟି କରିଥିଲା । ଏହିଦିନ ସଂଧ୍ୟାରେ ଓଡିଶାର ସୁପ୍ରସିଦ୍ଧ ନୃତ୍ୟଗୁରୁ ନୀରଞ୍ଜନ ରାଉତଙ୍କ ତତ୍ତ୍ୱାବଧାନରେ ନୁପୁର ଅନୁଷ୍ଠାନର ନୃତ୍ୟ ଏବଂ ଦେଶାତ୍ମବୋଧ ସଙ୍ଗୀତରେ ଅଭିନୟ ଶହ ଶହ ଭକ୍ତ ମାନଙ୍କୁ ସ୍ତମ୍ବଭୂତ କରି ଦେଇଥିଲା । ସେହିପରି ଦ୍ୱିତୀୟ ଦିନରେ ସୁଶାନ୍ତ ପାଣିଙ୍କ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳର ଗଡ ମେକର ସାଂସ୍କୃତିକ ଦଳର ଶ୍ରୀ ଜଗନ୍ନାଥ ସଂସ୍କୃତି ନେଇ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ ମଧ୍ୟ ଜୟ ଜଗନ୍ନାଥ ମହୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହୋଇଥିଲା ।

ପ୍ରତ୍ୟେକ ଦିନ ଗାୟକ ସୌରଭ ରଂଜିତ ମିଶ୍ର ଏବଂ ଗାୟକ ପିୟୁସ ବିଶ୍ୱନାଥ ସ୍ୱାଇଁଙ୍କ ମଧ୍ୟରେ ବାଦୀପାଲା ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ମହଲରେ ମୁଖ୍ୟ ଆକର୍ଷଣ ସାଜିଥିଲା । ପୁରୀର ଘଣ୍ଟବାଦ୍ୟ ଦଳଙ୍କ ଘଣ୍ଟବାଜା, ଧର୍ମଶାଳାର ଢୋଲ ସହ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଏବଂ ଆତସବାଦୀ ଦ୍ୱାରା ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା । ତେବେ ତିନିଦିନ ବ୍ୟାପୀ ମହୋତ୍ସବରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ସର୍ବଦା ଏକାଠି ରହି ପ୍ରସାଦ ସେବନ କରିବା , ମଂଚରେ ସର୍ବଦା ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ଯଜ୍ଞ ମଣ୍ଡପରେ ଯଜ୍ଞ ଚାଲିବା ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଉଦଯାପନ ଦିବସରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲ ।



ଜୟ ଜଗନ୍ନାଥ ମହୋତ୍ସବର ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଠାରୁ ମଝବୁତ ସମ୍ପର୍କ ଦୁନିଆରେ ଆଉ କିଛି ନଥାଇ ପାରେ । ଏହି ସମ୍ପର୍କକୁ କେବଳ ଅନୁଭବୀ ହିଁ ବୁଝିପାରେ । ଭକ୍ତି, ଶ୍ରଦ୍ଧା, ଆବେଗ, ମଣିଷ ପଣିଆ ଥିବା ମଣିଷଟିଏ ପାଖରେ ଏଭଳି ଅନୁଭବ ମିଳିବାର ଅମୃତ ସୁଯୋଗ ମିଳିଥାଏ । ଆମର ଧର୍ମ ଓ ସଂସ୍କୃତି ସର୍ବଦା ମଣିଷ ପଣିଆକୁ ଗୁରୁତ୍ୱ ଦେଇଛି । ମଣିଷ ପଣିଆର ଅଭାବ ଏବେ ସବୁଠାରୁ ବଡ ସଙ୍କଟ ହୋଇପଡିଛି । ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରତିଟି ମଣିଷ ମଧ୍ୟରେ ମଣିଷ ପଣିଆକୁ ଅଧିକ ଉଜ୍ଜିବୀତ କରିଥାଏ । ନିଜ ସ୍ୱାର୍ଥରୁ ଉର୍ଦ୍ଧ୍ୱକୁ ଯାଇ ଏଭଳି ମହାନ ଲକ୍ଷ ନେଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏଥିରେ ବିଶିଷ୍ଟ ଭଜନ ଗାୟକ ସୁବାଷ ଦାଶ, ଗୁରୁୁ ନୀରଞ୍ଜନ ରାଉତ, ଉଦଘୋଷକ ଶ୍ରୀନିବାସ ଖଟୁଆରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ତୋଷ ବିଶ୍ୱାଳ ମହୋତ୍ସବ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page