ବନ୍ଦ ହୋଇଯିବ ବେସରକାରୀ ସ୍କୁଲ ଏବଂ କଲେଜ୍!

0

ସେଦିନ ଥାଏ ୨୦୧୮ ମସିହା ଫେବୃଆରୀ ୮ ତାରିଖ। ମୁଣ୍ଡ ଉପରେ ଯୁକ୍ତ ୨ ପରୀକ୍ଷା, ଦେଖିବାକୁ ମିଳିଲା ରାଜଧାନୀ ର ଗାନ୍ଧୀମାର୍ଗରେ ହଜାର ହଜାର ଶିକ୍ଷକ ଅଧ୍ୟାପକଙ୍କ ମେଳି। ବୁଝିଲା ବେଳକୁ କାରଣ ହେଉଛି ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ଏ ମହାସମାବେଶର ଆୟୋଜନ। ୨୦୧୭ ମସିହାରେ ମିଳିତ ଶିକ୍ଷକ ମଞ୍ଚର ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ବ୍ଲକଗ୍ରାଣ୍ଟ ପରି ଏକ କୁତ୍ସିତ ପ୍ରଥାକୁ ବନ୍ଦକରି ପୂର୍ଣ ଅନୁଦାନ ପାଇଁ ଘୋଷଣା କରିଥିଲେ ଅଥଚ ବର୍ଷକ ପରେ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ଧରା ପଡି ଯାଇଥିଲା। ସରକାର ଏକ ସମୟରେ ଆନ୍ଦୋଳନର ଚାପରେ ପୂର୍ଣ୍ଣ ଅନୁଦାନ ପାଇଁ ନିଷ୍ପତ୍ତି ନେଇଥିଲେ ବି ପରବର୍ତ୍ତୀ ସମୟରେ ଏହାକୁ ନେଇ ଅଦ୍ଭୁତ ସର୍ତ୍ତ ରଖିଥିଲେ। ତଥାକଥିତ ପୂର୍ଣ୍ଣ ଅନୁଦାନ ପାଇବାକୁ ହେଲେ ପ୍ରତ୍ୟେକ ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ମାଧ୍ୟମରେ ଘୋଷଣା କରିବାକୁ ପଡିବ ଯେ ଅନୁଦାନ ସଙ୍କ୍ରାନ୍ତୀୟ ମକଦ୍ଦମା କୌଣସି ନ୍ୟାୟାଳୟରେ ନାହିଁ। ଦେଖାଗଲା ଏଭଳି ବେଆଇନ୍ ତଥା ମୁଣ୍ଡଜାମିନ ସର୍ତ୍ତ ମୁହୁର୍ତ୍ତକ ମଧ୍ୟରେ ସାରା ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ୨୫ ବର୍ଷ ଚାକିରୀ ପରେ ଏକ ମୁଣ୍ଡଜାମିନ ଅନୁଦାନ ପାଇଁ ମିଳିତ ମଞ୍ଚ ଖୋଲାଖୋଲି ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଥିଲା। ଯେ ପର୍ଯ୍ୟନ୍ତ ଏ ସର୍ତ୍ତ ନହଟା ଯାଇଛି ସେ ଯାଏ ଆନ୍ଦୋଳନ ଚାଲିବ ବୋଲି ମଞ୍ଚ ଘୋଷଣା କରିଥିଲା। ଦେଖାଗଲା ମିଳିତ ମଞ୍ଚର ଆହ୍ବାନରେ ରାଜ୍ୟର ୬୦ ହଜାର ଶିକ୍ଷକ ଅଧ୍ୟାପକ କର୍ମଚାରୀ ରାଜଧାନୀ ରାଜରାସ୍ତାରେ ଏକାଠି ହୋଇଥିଲେ। ଗାନ୍ଧୀମାର୍ଗରେ ଅତିତରେ ଅନେକ ଶିକ୍ଷକ ଆନ୍ଦୋଳନ ହୋଇଛି ହେଲେ ଏ ଆନ୍ଦୋଳନ ଥିଲା ପୁରାପୁରି ନିଆରା। ଜୁଆଡେ ଚାହିଁଲେ ଖାଲି ଶିକ୍ଷକ ଆଉ ଶିକ୍ଷକ। ପୁରା ରାଜଧାନୀ ଜନସମୁଦ୍ରରେ ପରିଣତ ହୋଇଯାଇଥିଲା। ସରକାରଙ୍କ ପାଖରେ ଦାବି କରିଥିଲେ ବେଆଇନ ଲିଖିତ ସୂଚନା ସର୍ତ୍ତାବଳୀ ଉଚ୍ଛେଦ କରିବା ପାଇଁ ଆଉ ଶେଷରେ ସରକାର ରାଜି ହୋଇଥିଲେ।

ଏହା ମଧ୍ୟରେ ବ୍ଲକଗ୍ରାଣ୍ଟ ପରିବର୍ତ୍ତେ ପୂର୍ଣ ଅନୁଦାନ ମିଳୁଛି ସତ ହେଲେ ତାହା ମାତ୍ର କିଛି ବର୍ଦ୍ଧିତ ଟଙ୍କା ମାତ୍ର। ଚାକିରୀ ସର୍ତ୍ତାବଳୀ ବିହୀନ ଏ ଅନୁଦାନ ହଜାର ହଜାର ଶିକ୍ଷକ ଅଧ୍ୟାପକଙ୍କ ଯୋଗ୍ୟତାକୁ ଉପହାସ କରୁଛି। ପ୍ରତିଦିନ ବିନା ଚାକିରୀ ସର୍ତ୍ତାବଳୀ ଆଊ ପେନସନରେ ଅବସର ନେଉଛନ୍ତି। କେତେ ଆଶା କେତେ ସ୍ବପ୍ନ ନେଇ ୩୦ ବର୍ଷ ତଳେ ଚାକିରୀ ଜୀବନ ଆରମ୍ଭ କରିଥିବା ଶିକ୍ଷକ ଜଣକ ଆଖି ଛଳଛଳ ହୋଇ ଘରକୁ ଫେରୁଛି। ସହକର୍ମୀଙ୍କ ସହାନୁଭୁତି, ସମ୍ମାନ ଆଉ ଶ୍ରଦ୍ଧାକୁ ପୁଞ୍ଜି କରି ଚାକିରୀ ସରିବା ପରେ ପୁଣି ଆଉ ଏକ ସଂଘର୍ଷ ର ଜୀବନ ଆରମ୍ଭ କରୁଛି। ଯେଉଁ ବୟସରେ ବିଶ୍ରାମ ନେବାକଥା ସେତେବେଳେ ପେଟପାଇଁ ଚିନ୍ତା କରିବାକୁ ବାଧ୍ୟ ହେଉଛି। ଏହାଠୁ ବଳି ଆଉ କଣ ବିଡମ୍ବନା ଥାଇପାରେ। ରାଜ୍ୟ ସରକାର ଏ କଥା ଦେଖିପାରୁ ନାହାନ୍ତି।

ଏହି ଧାରା ଜାରୀ ରହିଲେ ଆସନ୍ତା ୫ରୁ ୧୦ ବର୍ଷ ମଧ୍ୟରେ ଆଉ ବେସରକାରୀ ସ୍କୁଲ କଲେଜରେ ଶିକ୍ଷକ ଅଧ୍ୟାପକ ନଥିବେ। ବାଧ୍ୟହୋଇ ଏ କଲେଜ ସବୁ ବନ୍ଦ ହୋଇଯିବ। ସରକାରୀ ପ୍ରାୟୋଜିତ ବେସରକାରୀ ଆବାସିକ ବିଦ୍ୟାଳୟ ମହାବିଦ୍ୟାଳୟ ଏବେ ପ୍ରତି ୧୦ କିଲୋମିଟରରେ ପ୍ରତିଷ୍ଠା ହୋଇ ସାରିଲାଣି। ସରକାରଙ୍କ ପାଇଁ କଲେଜ ବନ୍ଦ ହେବା କିଛା ଫରକ ପଡିନପାରେ ହେଲେ ଏହାଯେ ରାଜ୍ୟର ୮୦ ଭାଗରୁ ଅଧିକ ଗ୍ରାମାଞ୍ଚଳ ଗରିବ ପିଲାଙ୍କ ପାଠ ପଢିବା ପାଇଁ ରାସ୍ତା ବନ୍ଦ ହୋଇଯିବ। ଯାହା ପାଖରେ ପଇସା ଥିବ ସେ ପାଠ ପଢିବ ନଚେତ୍ ମୁର୍ଖ ହେବା ଥୟ। ରାଜ୍ୟବାସୀ ଶିକ୍ଷକ ଆନ୍ଦୋଳନକୁ ଅନେକ ସମୟରେ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ଏହା ସହ ସେମାନଙ୍କର କିଛି ନେଣଦେଣ ନାହିଁ ବୋଲି ଭାବନ୍ତି ହେଲେ ଏକଥା ମନେରଖିବା ଦରକାର ଏହି ଆନ୍ଦୋଳନ ସହ ସେମାନଙ୍କର ପିଲାଙ୍କ ଆଗାମୀ ଭବିଷ୍ୟତ ଜଡିତ।

ଶିକ୍ଷକ ଜଣକ ହୁଏତ ସରକାରଙ୍କ ଏଭଳି ବୈମାତୃକ ମନୋଭାବର ଶିକାର ହୋଇ ଭାଗ୍ୟକୁ ଆଦରି ଚାକିରୀରୁ ଖାଲିହାତରେ ଅବସର ନେଇଯାଇ ପାରେ ହେଲେ ଏହାଦ୍ବାରା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏକ ଭୟଙ୍କର ବିପଦ ମଧ୍ୟକୁ ଠେଲି ହୋଇଯାଉଛି ତାହା ଆଉ ବୁଝିବାରେ ଅସୁବିଧା ନାହିଁ। ;-ଅଧ୍ୟାପକ ବିରଞ୍ଚି ଦାସ।

Leave a Reply

Your email address will not be published. Required fields are marked *

You cannot copy content of this page