ମାଓବାଦୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଣ ମାମଲା: ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡର ୨୬ ସ୍ଥାନରେ ଚଢ଼ାଉ କଲା ‘ଏନ୍‌ଆଇଏ’

0

ନୂଆଦିଲ୍ଲୀ: ମାଓବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ ଘଟଣାରେ ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ୨୬ ସ୍ଥାନରେ ଚଢ଼ାଉ କରି ତଲାସ କରିଥିବା କଥା ଶନିବାର ଦିନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) କହିଛି।

‘ଏନ୍‌ଆଇଏ’ର ଅଧିକାରୀମାନେ କହିଛନ୍ତି, ସ୍ଥାନୀୟ ପୁଲିସ, ବିହାର ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ (ଏସ୍‌ଟିଏଫ୍‌) ଏବଂ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ସହାୟତାରେ ‘ଏନ୍‌ଆଇଏ’ ଅଭିଯୁକ୍ତ ବ୍ୟକ୍ତି ଏବଂ ସନ୍ଦିଗ୍ଧମାନେ ସଂଶ୍ଳିଷ୍ଟ ଥିବା ୨୬ଟି ସ୍ଥାନରେ ତଲାସ କରିଛି।

ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ବିହାରର ୨୩ଟି ସ୍ଥାନରେ ଚଢ଼ାଉ କରାଯାଇ ତଲାସ କରାଯାଇଛି। ସେଥିରେ ରହିଛି ଜେହାନାବାଦ ୮ଟି, ପାଟନା ଗ୍ରାମାଞ୍ଚଳର ୨ଟି, ଅର୍‌ୱାଲ୍‌ର ୧ଟି, ନାଳନ୍ଦାର ୧ଟି, ଗୟାର ୮ଟି, ନୱାଦାର ୧ଟି ଏବଂ ଔରଙ୍ଗାବାଦର ୨ଟି ସ୍ଥାନ। ସେହିଭଳି, ଝାଡ଼ଖଣ୍ଡରେ ତଲାସ ହୋଇଥିବା ଏକମାତ୍ର ସ୍ଥାନ ରହିଛି କୋଡେର୍ମା ଜିଲ୍ଲାରେ। ଏହାଛଡ଼ା ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଏବଂ ଆନ୍ଧ୍ରପ୍ରଦେଶର ନେଲୋରରେ ମଧ୍ୟ ଚଢ଼ାଉ କରାଯାଇଥିବା କଥା ସେମାନେ କହିଛନ୍ତି।

‘ଏନ୍‌ଆଇଏ’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଜି ହୋଇଥିବା ତଲାସ ସମୟରେ ୩ଟି ଦେଶୀ ପିସ୍ତଲ, ଗୋଟିଏ .୩୨୫ ବୋର୍‌ ରାଇଫଲ୍‌, ୫୯ଟି ଅଫୁଟା ଗୁଳି, କେତେକ ଡିଜିଟାଲ୍‌ ଉପକରଣ, ନକ୍ସଲ୍‌ ସାହିତ୍ୟ, କିଛି ଆପତ୍ତିଜନକ କାଗଜପତ୍ର ଏବଂ ନିଶାଦ୍ରବ୍ୟ ବୋଲି ସନ୍ଦେହ ହେଉଥିବା ୪ କେଜି ସାମଗ୍ରୀ ଜବତ ହୋଇଛି।

ଅଧିକାରୀମାନେ କହିଛନ୍ତି ଯେ, ପାଟନା, ଅର୍‌ୱାଲ୍‌, ଗୟା ଏବଂ ନାଳନ୍ଦା ଆଦିକୁ ମିଶାଇ ବିହାରର ମଗଧ ଅଞ୍ଚଳରେ ‘ସିପିଆଇ’ (ମାଓବାଦୀ) କ୍ୟାଡର୍‌ ଏବଂ ‘ଓଭର୍‌ ଗ୍ରାଉଣ୍ଡ୍‌ ୱାର୍କର୍‌’ (ଓଜିଡବ୍ଲୁ) ଚଳାଇଥିବା ‘ଟେରର୍‌ ଫାଇନାନ୍ସିଙ୍ଗ୍‌ ନେଟ୍‌ୱାର୍କ’ ସହ ଏହି ମାମଲା ଜଡ଼ିତ।

Leave a Reply

Your email address will not be published. Required fields are marked *

You cannot copy content of this page